ମନୀଷ ହତ୍ୟା ମାମଲା: ଜେଲ୍‌ ଗଲେ କନେଷ୍ଟବଳ ସଂଘ ସଂପାଦକ, ହୋଟେଲ୍‌ ମାଲିକ ଓ ମ୍ୟାନେଜର

ମନୀଷ ହତ୍ୟା ମାମଲା: ଜେଲ୍‌ ଗଲେ କନେଷ୍ଟବଳ ସଂଘ ସଂପାଦକ, ହୋଟେଲ୍‌ ମାଲିକ ଓ ମ୍ୟାନେଜର

ଭୁବନେଶ୍ୱର : ବହୁ ବାଦବିବାଦ ପରେ ଶେଷରେ ହାବିଲଦାର ଓ କନେଷ୍ଟବଳର ମହାସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କୁ ଗିରଫ କରିଛି ତମାଣ୍ଡୋ ପୁଲିସ। ପ୍ରସନ୍ନଙ୍କ ସମେତ ହୋଟେଲ୍ ସାଉଥ୍‌ସିଟିର ମାଲିକ ପ୍ରଦ୍ୟୁମ୍ନ ଜେନା ଓ ମ୍ୟାନେଜର ଶୋଭିତ୍ କୁମାର ଜେନାଙ୍କୁ ବି ଗିରଫ କରାଯାଇଛି। ବିଳମ୍ବିତ ରାତି ଯାଏ ହୋଟେଲ୍ ଖୋଲିବା, ବାର୍‌ ପାଇଁ ଲାଇସେନ୍ସ ନ ଥାଇ ମଦ ବିକ୍ରି କରିବା, ଗୋଟିଏ ଲାଇସେନ୍ସ ଥାଇ ହୋଟେଲ୍‌ରେ ୨ଟି ବାର୍ ଖୋଲି ମଦ ବିକିବା, ମହାମାରୀ କରୋନା ନିୟମାବଳି ଉଲ୍ଲଂଘନ କରିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଚ୍ଚଶବ୍ଦରେ ଗୀତ ବଜାଇବା, ଗ୍ରାହକଙ୍କୁ ଶୋଷଣ କରିବା, ସ୍ଥାନୀୟ ଲୋକ ଓ କର୍ମଚାରୀଙ୍କୁ ଧମକାଇବା ଭଳି ପ୍ରାୟ ୧୦ରୁ ଅଧିକ ଦଫାରେ ଏହି ୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ଗତକାଲି ପ୍ରସନ୍ନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ସେହିଭଳି କାର୍ଯ୍ୟାନୁଷ୍ଠାନରେ ଅବହେଳା କରିବାରୁ ତମାଣ୍ଡୋ ଥାନାଧିକାରୀ ପ୍ରମୋଦ ପଟ୍ଟନାୟକଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ଚନ୍ଦକା ଥାନାରେ ଥିବା ଶୁଭ୍ରାନ୍ତ କୁମାର ଜେନା ଆଜି ଏଠାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

publive-image

ପ୍ରସନ୍ନ ବେହେରାଙ୍କ ଫର୍ଣ୍ଣିଚର ୱାର୍କସପ୍‌ରେ ପୁଲିସର ଛାନ୍‌ଭିନ୍‌
ଧଉଳି : ହାବିଲଦାର କନେଷ୍ଟବଳ ମହାସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କ ଲିଙ୍ଗିପୁର ସନ୍ଥବିହାରସ୍ଥିତ ଫର୍ଣ୍ଣିଚର ୱାର୍କସପ୍‌ରେ ଶନିବାର ଦିନ ଧଉଳି ଥାନା ପୁଲିସ ଛାନ୍‌ଭିନ୍‌ କରିଥିଲା। ଧଉଳି ଥାନା ଅଧିକାରୀ ଦୟାନିଧି ନାୟକ ଏବଂ ଏସ୍‌ଆଇ କାଶୀନାଥ ହାଂସଦା ପ୍ରମୁଖ ସେଠାରେ ପହଞ୍ଚି ସୋ’ ରୁମ୍‌ ଓ ୱାର୍କସପ୍‌ର ମାଲିକାନା କାହା ନାମରେ ଅଛି ସେ ସଂପର୍କିତ କାଗଜପତ୍ର ଯାଞ୍ଚ କରିଥିଲେ। ଏ ନେଇ ପୁଲିସ ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ଏଥିସହିତ କେତେଦିନ ହେଲା ଏଠାରେ ୱାର୍କସପ୍‌ ଚାଲିଛି ଓ ସୋ’ ରୁମ୍‌ ଆଉ କେଉଁଠାରେ ରହିଛି, ଘର ମାଲିକ କିଏ; ସେ ସଂପର୍କରେ ସବିଶେ‌ଷ ତଥ୍ୟ ହାସଲ କରିଥିଲା। ସେହିପରି ନିକଟରେ ଥିବା ସୋ’ ରୁମ୍‌ରେ ମଧ୍ୟ ପୁଲିସ ଯାଞ୍ଚ କରିଥିଲା। କର୍ମଚାରୀ ଓ ପରିଚାଳକଙ୍କୁ ପଚରାଉଚରା କରିଥିଲା। ଅନ୍ୟପକ୍ଷରେ ଶନିବାର ଦିନ ପ୍ରସନ୍ନ ଜେଲ୍‌ ଯିବା ପରେ ଉକ୍ତ ସଂସ୍ଥାରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କା କରି ଧଉଳି ଥାନା ପୁଲିସ ୱାର୍କସପ୍‌ରେ ମୁତୟନ ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe