ମାତିଛନ୍ତି ବାର୍‌ହା ପଲ, ଉଜାଡ଼ିଲେ ଧାନ ଫସଲ

Advertisment
ମାତିଛନ୍ତି ବାର୍‌ହା ପଲ, ଉଜାଡ଼ିଲେ ଧାନ ଫସଲ

ମେଣ୍ଢାଶାଳ: ଗତ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ବାର୍‌ହା ପଲ ମାତିଛନ୍ତି। ସଂଜ ନଇଁବା ମାତ୍ରେ ଚନ୍ଦକା ଜଙ୍ଗଲରୁ ଧାନ ଗହୀରକୁ ମାଡ଼ି ଆସୁଛନ୍ତି। ‌ଥୋଡ଼ ଧରିବାକୁ ବସିଥିବା ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଫଳରେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଗଲାଣି। ବନ ବିଭାଗ ବାର୍‌ହାମାନଙ୍କୁ ଘଉଡ଼ାଇବାକୁ ପାଇଁ ପଦକ୍ଷେପ ନେଉନଥିବାରୁ ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି ବୋଲି ଅଭିଯୋଗ ହେଉଛି।

ମେଣ୍ଢାଶାଳ ପଞ୍ଚାୟତର ହରିଡାମଡ଼ା ଗ୍ରାମ ଓ ଛତାବର ପଞ୍ଚାୟତର ଜାମୁଝରୀ ଗ୍ରାମର ଚାଷୀମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଚନ୍ଦକା ଅଭୟାରଣ୍ୟର ଟ୍ରେଞ୍ଚକୁ ଲାଗି ରହିଥିବା ଏହି ଦୁଇ ଗାଁର ଚାଷ ଜମି ଏବେ ବାର୍‌ହାଙ୍କ ମୁହଁରେ ନଷ୍ଟ ହେଉଛି। ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ ପ୍ରତିଦିନ ୫୦ରୁ ଅଧିକ ବାର୍‌ହା ଗହୀରକୁ ପଶି ଆସୁଛନ୍ତି। ଥୋଡ଼ ଧରିଥିବା ଧାନ ଖାଇବା ସହିତ ଧାନ ଫସଲକୁ ତାଡ଼ି ପକାଉଛନ୍ତି। ଫଳରେ ଥୋଡ଼ ଧରୁଥିବା ଧାନ ଗଛ ଆଉ ସଳଖି ହୋଇପାରିବ ନାହିଁ କି ସେଥିରୁ ମୁଠାଏ ବି ଧାନ ଆଦାୟ ହୋଇ ପାରିବ ନାହିଁ। ଜାମୁଝରୀ ଗ୍ରାମର ଆଠ ମାଣ ମାଳ ଓ ତଇଲ ଫାର୍ମ ମାଳରେ ବାର୍‌ହାମାନେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ସେହିଭଳି ହରିଡାମଡ଼ା ଗ୍ରାମର ବଣିଆଚୁଆ ମାଳ ଓ ପଥର କୋରଡ଼ ମାଳରେ ବାର୍‌ହା ପଲ ବହୁତ ଥୋଡ଼ ଧାନ ବିଲକୁ ନଷ୍ଟ କରିଦେଇଛନ୍ତି। ଅଭିଯୋଗ ପାଇବା ପରେ ଆଜି ମେଣ୍ଢାଶାଳ ସେକ୍ସନର ଫରେଷ୍ଟ ଗାର୍ଡ ବିନୋଦିନୀ ବେହେରା କ୍ଷେତ୍ର ତଦନ୍ତ କରିବାକୁ ଯାଇ କ୍ଷୟକ୍ଷତି ଆକଳନ କରିଥିଲେ। ଚାଷୀମାନେ ନିଜ ଜମିର ପଟ୍ଟା ନକଲ ଦେଇ ଉପଯୁକ୍ତ ଫର୍ମରେ ଆବେଦନ କରିବାକୁ ଚାଷୀମାନଙ୍କୁ କହିଥିଲେ। ହଳଦିଆ ରେଞ୍ଜ ଅଧିକାରୀ ଜୟକୃଷ୍ଣ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ଚାଷୀମାନେ ଅଭିଯୋଗ ପତ୍ର ନିଜର ସେକ୍ସନ ଅଫିସରଙ୍କୁ ଦେଲା ପରେ କ୍ଷତି ହୋଇଥିବା ଜମିର ପରିମାଣ ଅନୁସାରେ କ୍ଷତିପୂରଣ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe