ରାଜଧାନରେ ଅସହ୍ୟ ହେଲାଣି ସ୍ବେରେଜ୍‌ ଯାତନା, ୧୨ବର୍ଷ ପରେ ବି ସରୁନି କାମ

Advertisment

ବାଧକ ସାଜିଛି ଜବରଦଖଲ, ଏବେ ବି ୧୦୦ କିମି ପାଇପ୍‌ ବିଛା ହୋଇନି

ବାଧକ ସାଜିଛି ଜବରଦଖଲ, ଏବେ ବି ୧୦୦ କିମି ପାଇପ୍‌ ବିଛା ହୋଇନି

ରାଜଧାନରେ ଅସହ୍ୟ ହେଲାଣି ସ୍ବେରେଜ୍‌ ଯାତନା, ୧୨ବର୍ଷ ପରେ ବି ସରୁନି କାମ

Telegraph India

ଭୁବନେଶ୍ୱର : ରାଜଧାନୀର ପ୍ରତି ଘରକୁ ସ୍ବେରେଜ୍‌ ଲାଇନ୍‌ ସଂଯୋଗ କରାଯିବ। ଲୋକଙ୍କ ଘରୁ ବାହାରୁଥିବା ଅପରିଷ୍କାର ପାଣିକୁ ବିଶୋଧନ କରି ନଦୀକୁ ଛଡ଼ାଯିବ। ପାଣିରୁ ଜୈବିକ ସାର ପ୍ରସ୍ତୁତ ହେବ। ଦରକାର ପଡ଼ିଲେ, ପାଣିକୁ ପାର୍କ, ଗଛରେ ଦିଆଯିବ। ଫଳରେ ନଦୀରେ ଅପରିଷ୍କାର ପାଣି ମିଶିବ ନାହିଁ କି ନଦୀଜଳ ପ୍ରଦୂଷିତ ହେବ ନାହିଁ। ରାସ୍ତାଘାଟରେ ବି ଘରର ନାଳ ନର୍ଦ୍ଦମା ପାଣି ଭାସିବ ନାହିଁ। ରାଜଧାନୀବାସୀଙ୍କୁ ଏମିତି କେତେ କ’ଣ ସ୍ବପ୍ନ ଦେଖାଇ ଆରମ୍ଭ ହୋଇଥିଲା ସ୍ବେ‌‌‌ରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରକଳ୍ପ। ସ୍ବେରେଜ୍‌ ପାଇପ୍‌ ବିଛାଇବା ପାଇଁ ରାଜଧାନୀ ସାରା ଖୋଳାଖୋଳି କରି ଲୋକଙ୍କୁ ନାକେଦମ୍‌ କରାଗଲା। ମହତ୍‌ ଉଦ୍ଦେଶ୍ୟ‌ରେ କାମ ହେଉଥିବାରୁ ଲୋକେ ଯାତନା ସହିଲେ ପଛେ, ବିରୋଧ କଲେନି। ଭାବିଥିଲେ, ବର୍ଷେ କି ଦୁଇ ବର୍ଷରେ କାମ ସରିଯିବ। କିନ୍ତୁ ବର୍ଷେ କି ଦୁଇ ବର୍ଷ ନୁହେଁ, ୧୨ବର୍ଷରୁ ଊର୍ଧ୍ବ ହେବ କାମ ସରି ପାରୁନାହିଁ। ବର୍ତ୍ତମାନ ସୁଦ୍ଧା ବି ସବୁ ଲୋକଙ୍କ ଘର ସହ ପାଇପ୍‌ ସଂଯୋଗ ହୋଇପାରିନାହିଁ। ସହରରେ ଆହୁରି ୧୦୦ କିମି ପାଇପ୍‌ ବିଛାଇବା ବାକି ରହିଛି। ତେଣୁ କେବେ କାମ ସରିବ, ସେ ନେଇ ମଧ୍ୟ କେହି ଠିକ୍‌ରେ କହିପାରୁନାହାନ୍ତି।

ସୂଚନା ମୁତାବକ, ସହରରେ ଥିବା ପାଖାପାଖି ସାଢ଼େ ୩ଲକ୍ଷ ଘରକୁ ପାଇପ୍‌ ଯୋଗେ ପ୍ରତିଦିନ ଯେତିକି ପାଣି ଯୋଗା ଯାଉଛି, ତାହାର ୮୦ପ୍ରତିଶତ ପାଣି ଦୈନିକ ବ୍ୟବହାର ହେଉଛି। ଅର୍ଥାତ୍‌ ଲୋକଙ୍କ ଘରୁ ଦୈନିକ ୧୭୯ ମିଲିଅନ୍‌ ଲିଟର ଅପରିଷ୍କାର ପାଣି ବାହାରୁଛି। ଏହାର ସଠିକ୍ ପରିଚାଳନା କରା ନଯାଇ ସିଧାସଳଖ ନଦୀକୁ ଛାଡ଼ି ଦିଆଯାଉଥିବାରୁ ନଦୀଜଳ ପ୍ରଦୂଷିତ ହୋଉଛି। ତେଣୁ ଏହାର ବିଶୋଧନ ପାଇଁ ରାଜଧାନୀର ପାଇକରାପୁର, କୋଚିଳାପୁଟ, ବାସୁଆଘାଇ, କେଶୁରା, ରୋକଡ଼ ଏବଂ ଅନ୍ଧାରୁଆ ଆଦି ୬ଟିସ୍ଥାନରେ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ସହରରେ ପ୍ରତି ଘରକୁ ସ୍ବେରେଜ୍‌ ପାଇପ୍‌ ସହ ଯୋଡ଼ିବା ପାଇଁ ୩୦୦ କିଲୋମିଟରର ପାଇପ୍‌ ବିଛାଇବା ପାଇଁ ଯୋଜନା ହୋଇଥିଲା।‌‌‌ ତେବେ ପାଖାପାଖି ୧୨ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି କାମ ଏଯାବତ୍‌ ସରିପାରିନାହିଁ। ୨ ଶହ କିମି ପାଇପ୍‌ ବିଛାଯାଇଥିବା ବେଳେ ଆହୁରି ଶହେ କିମି ପାଇପ୍‌ ବିଛାଇବାକୁ ବାକି ଅଛି।

publive-image

୧୭୯ ମିଲିଅନ୍‌ ଲିଟର ପାଣି ବିଶୋଧନ ବଦଳରେ ୪ଟି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ୪୨ ହଜାର ଘରକୁ ସଂଯୋଗ କରାଯାଇ ମାତ୍ର ସାଢ଼େ ୨୨ ମିଲିଅନ୍‌ ଲିଟର ପାଣି ବିଶୋଧନ କରାଯାଉଛି। ପାଇକରାପୁରରେ ସାଢ଼େ ୪୭ କୋଟି ଟଙ୍କା ବିନିମୟରେ ୮ମିଲିଅନ୍‌ ଲିଟର୍‌ ପ୍ରକଳ୍ପର ୯୦ ପତିଶତରୁ ଅଧିକ କାମ ସରିଥିବା ବ‌େଳେ ୫ ହଜାର ଘରକୁ ସଂଯୋଗ କରାଯାଇଛି। ସେହିପରି କୋଚିଳାପୁଟରେ ୩୧୨ କୋଟି ଟଙ୍କା ବିନିମୟରେ ୪୩ ମିଲିଅନ୍‌ ଲିଟର ପ୍ରକଳ୍ପର ୪୭ ପ୍ରତିଶତ କାମ ସରିଥିବା ବେଳେ ୧୧ହାଜର ୭ଶହ ଘରକୁ ସଂଯୋଗ କରାଯାଇଛି। ବାସୁଆଘାଇରେ ୧୩୭କୋଟି ଟଙ୍କା ବିନିମୟରେ ୨୮ ମିଲିଅନ ଲିଟର ପ୍ରକଳ୍ପର ୭୦ ପ୍ରତିଶତ କାମ ସରିଥିବା ବେଳେ ସାଢ଼େ ୧୨ହଜାର ଘରକୁ ସଂଯୋଗ କରାଯାଇଛି। କେଶୁରାରେ ୧୮୯କୋଟି ଟଙ୍କା ବିନିମୟରେ ୫୬ ମିଲିଅନ୍‌ ଲିଟର ପ୍ରକଳ୍ପର ୬୫ ପ୍ରତିଶତ କାମ ସରିଥିବା ବ‌େଳେ ସାଢ଼େ ୧୩ ହଜାର ଘରକୁ ସଂଯୋଗ କରାଯାଇଛି। ଚନ୍ଦ୍ରଶେଖରପୁର ରୋକଡ଼ରେ ୪୬ ମିଲିଅନ୍‌ ଲିଟର ପ୍ରକଳ୍ପ କାମକୁ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥା ଅଧାରୁ ଛାଡ଼ିଦେବା ପରେ ଏଲ୍‌ ଆଣ୍ଡ ଟି କାମ ହାତକୁ ନେଇଛି। ସେହିପରି ଅନ୍ଧାରୁଆ ପ୍ରକଳ୍ପ ପାଇଁ ଜମି ଚିହ୍ନଟ ସରିଛି ବୋଲି ୱାଟ୍‌କୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏହି ପ୍ରକଳ୍ପକୁ ସ୍ବେରେଜ୍‌‌ ବୋର୍ଡ ଗତ ୨୦୧୦ ମସିହାରେ ଟେଣ୍ଡର୍‌ ପ୍ରକ୍ରିୟାରେ ଚେନ୍ନାଇସ୍ଥିତ ଇସିସିଆଇ(ଇଷ୍ଟର୍ଣ୍ଣ କନ୍‌ଷ୍ଟ୍ରକସନ୍‌ କମ୍ପାନୀ ଇଣ୍ଡିଆ ଲିମିଟେଡ୍‌)ନାମକ ଏକ ଘରୋଇ ସଂସ୍ଥାକୁ ଦେଇଥିଲା। ସଂସ୍ଥା ବର୍ଷକ ମଧ୍ୟରେ ୪୦ ପ୍ରତିଶତ କାମ କରିସାରିଥିଲା। ହେଲେ ବିଭିନ୍ନ ସମସ୍ୟା ଦେଖାଇ ସଂସ୍ଥା ଅଧାରୁ କାମ ବନ୍ଦ କରିବାରୁ ଟେଣ୍ଡର୍‌ ବାତିଲ କରାଯାଇ ୨୦୧୧ ମସିହାରେ ଏହାର ଆଉଥରେ ଟେଣ୍ଡର୍‌ ଆହ୍ବାନ କରାଯାଇଥିଲା। ଯେହେତୁ ଇସିସିଆଇ ୪୦ ପ୍ରତିଶତ କାମ କରିଥିଲା, ତେଣୁ ହାଇକୋର୍ଟରେ ମାମଲା କରି ବର୍ଦ୍ଧିତ ମୂଲ୍ୟରେ ପୁଣି ଥରେ କାମ ନେବାକୁ ଆବେଦନ କରିଥିଲା। କୋର୍ଟରେ ଏହି ମାମଲା ଶୁଣାଣି ପାଇଁ ୫ ବର୍ଷ ବିତିଯିବାରୁ, ସେତେବେଳେ ପ୍ରକଳ୍ପ ଇଞ୍ଚେ ବି ଆଗେଇ ପାରିଲା ନାହିଁ। ତେବେ ୨୦୧୬‌ରେ ମାମଲାର ଶୁଣାଣି ଶେଷ ହେବା ପରେ ସ୍ବେରେଜ୍‌ ବୋର୍ଡ ଟେଣ୍ଡର୍‌ ଡାକିଥିଲା। କିନ୍ତୁ ୨୦୧୭ରେ ଏହି ପ୍ରକଳ୍ପ ୱାଟ୍‌କୋ ଅଧୀନକୁ ଆସିଲା। ପରେ ୨୦୧୭ ମସିହାରେ ୱାଟ୍‌କୋ ଟେଣ୍ଡର୍‌ ଆହ୍ବାନ କରିଥିଲା। ଏଥିରେ ଆଇଟିଏଲ୍‌ ଅହମ୍ମଦାବାଦ, ଲକ୍ଷ୍ମୀ କନଷ୍ଟ୍ରକସନ୍‌ ଲିମିଟେଡ୍‌ ଓ ଟାଟା ପ୍ରୋଜେକ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାକୁ କାମ ଦିଆଯାଇଛି। ୩ବର୍ଷ ଅର୍ଥାତ୍‌ ୨୦୨୦ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ କଣ୍ଟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କରୋନା ଏବଂ ବିଭିନ୍ନ ସ୍ଥାନରେ ଜବରଦଖଲ ଯୋଗୁଁ, କଣ୍ଟ ପୂରିବାର ୨ ବର୍ଷ ପରେ ମଧ୍ୟ ପ୍ରକଳ୍ପ ଶେଷ ହୋଇପାରିନାହିଁ। ଶହେରୁ ଊର୍ଧ୍ବ ଲୋକ କୋର୍ଟରୁ ରହିତାଦେଶ ଆଣିଥିବାରୁ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଅଗଷ୍ଟ ଶେଷ ସୁଦ୍ଧା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରାଯିବ ବୋଲି ୱାଟ୍‌କୋ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe