ରାଜଧାନୀ ଉପକଣ୍ଠରେ ମେଘ ଦେଖି ନାଚିଲେ ମୟୂର

Advertisment
ରାଜଧାନୀ ଉପକଣ୍ଠରେ ମେଘ ଦେଖି ନାଚିଲେ ମୟୂର

ଭୁବନେଶ୍ବର: ସକାଳ ପାହୁଣୁ ମେଘାଚ୍ଛନ୍ନ ହୋଇଯାଇଥିଲା ଆକାଶ। କୋହଲା ପବନ ସାଙ୍ଗକୁ ଝିପିଝିପି ବର୍ଷାରେ ଭିଜୁଥିଲା ମାଟି। ସତେ‌ ଯେମିତି ଏ ପରିବେଶକୁ ଅନେକ ଦିନ ହେଲା ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲା ପଥରଗାଡ଼ିଆର ମୟୂର ପଡ଼ିଆ। ବର୍ଷା ମାଟି ଛୁଉଁଛୁଉଁ ପୁଚ୍ଛ ମେଲେଇ ନୃତ୍ୟରେ ମଜିଯାଇଥିଲେ ସମବେତ ମୟୂର। ଶିଖରଚଣ୍ଡୀ ପଛ ପାର୍ଶ୍ବ ପଥରଗାଡ଼ିଆ ମୟୂର ପଡ଼ିଆ ଓ ନରାଜ ନିକଟ ମୟୂର ଉଦ୍ୟାନ (ପିକକ ଭ୍ୟାଲି)ରେ ନୃତ୍ୟରତ ମୟୂରଙ୍କ ଏହି ‌ମନୋରମ ଦୃଶ୍ୟ ପଥଚାରୀଙ୍କୁ କ୍ଷଣେ ଅଟକିଯିବାକୁ ବାଧ୍ୟ କରିଥିଲା। ଅନେକ ଏହି ଦୃଶ୍ୟକୁ ନିଜ ମୋବାଇଲ୍‌ ଓ କ୍ୟାମେରାରେ କଏଦ କରିବାରେ ମାତି ଯାଇଥିଲେ। ମୟୂର ପ୍ରେମୀ ପାଣୁ ବେହେରାଙ୍କ ଦେହାନ୍ତ ପରେ ତାଙ୍କ ନାତି କାହ୍ନୁ ବେହେରା ଏବେ ପିକକ୍ ଭ୍ୟାଲିର ରକ୍ଷଣାବେକ୍ଷଣ କରୁଛନ୍ତି। ନରାଜ ଫାଇରିଂ ରେଞ୍ଜ ନିକଟ ଜଙ୍ଗଲରେ ରହୁଥିବା ପ୍ରାୟ ୧୩୦ଟି ମୟୂରଙ୍କୁ ପ୍ରତିଦିନ ସକାଳ ଓ ସଂଧ୍ୟାରେ ଖାଦ୍ୟ ଦେଉଥିବା କାହ୍ନୁ ଆଜି ଦିନ ତମାମ ମୟୂରଙ୍କୁ ଖାଦ୍ୟ ପରସିଥିଲେ। ମେଘୁଆ‌ ପାଗ ହୋଇଥିବାରୁ ଶତାଧିକ ମୟୂର ପଡ଼ିଆ ମଝିକୁ ଚାଲିଆସି ପୁଚ୍ଛ ମେଲାଇ ନୃତ୍ୟ କରୁଥିବା ଦୃଶ୍ୟକୁ ଲୋକେ ଉପଭୋଗ କରିଥିଲେ। ସେହିଭଳି ଶିଖରଚଣ୍ଡୀ ପାହାଡ଼ରେ ରହୁଥିବା ପ୍ରାୟ ୧୦ରୁ ଅଧକ ମୟୂର ପଥରଗାଡ଼ିଆ ମୟୂର ପଡ଼ିଆକୁ ଚାଲି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe