ଭୁବନେଶ୍ବର: ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ୧୯୦୯ରୁ ପାଳନ କରାଯାଉଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ମହିଳାମାନଙ୍କ ସଫଳତାର ଜୟଗାନ ସହ ସେମାନଙ୍କୁ ନ୍ୟାଯ୍ୟ ଅଧିକାର ଦେବା ଓ ସଶକ୍ତ କରିବା। ମହିଳାମାନେ ସେମାନଙ୍କ ଅଧିକାର ସାବ୍ୟସ୍ତ କଲେ ଓ ସୁରକ୍ଷିତ ଜୀବନଯାପନ କଲେ ସଶକ୍ତ ଓଡ଼ିଶା ଗଠନ ସମ୍ଭବ ବୋଲି ସେ କହିଥିଲେ। ମିସନ ଶକ୍ତିର ନିର୍ଦ୍ଦେଶିକା ସୁଜାତା ଆର୍ କାର୍ତ୍ତିକେୟନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, କ୍ଷୁଦ୍ର ଉଦ୍ୟମରୁ ଆରମ୍ଭ ହୋଇଥିବା ମିସନ ଶକ୍ତି ଆନ୍ଦୋଳନ ଆଜି ୧୮ ବର୍ଷରେ ପଦାର୍ପଣ କରିଛି। ମହିଳାଙ୍କୁ ସ୍ବାବଲମ୍ବୀ, ସଶକ୍ତ ଓ ପ୍ରଗତିଶୀଳ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଶିଶୁ ସୁରକ୍ଷା ଅଧିକାର କମିସନର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଓଡ଼ିଶା ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗର କମିସନର ଚିତ୍ରା ଅରୁମୁଗମ୍ ସ୍ବାଗତ ଭାଷଣ ଦେଇଥିଲେ। ସମନ୍ବିତ ଶିଶୁ ବିକାଶ ଯୋଜନା ଓ ସମାଜ କଲ୍ୟାଣ ନିର୍ଦ୍ଦେଶକ ରେଘୁ ଜି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଉତ୍ତମ ପ୍ରଦର୍ଶନ ପାଇଁ ଗଞ୍ଜାମ, ଗଜପତି ଓ ବାଲେଶ୍ବର ଜିଲ୍ଲାକୁ ପୁରସ୍କୃତ କରାଯାଇଛି। ପୁରସ୍କାର ରାଶି ବାବଦକୁ ସେମାନଙ୍କୁ ୨୫ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।
ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ: ସଶକ୍ତ ଓଡ଼ିଶା ଗଠନ ପାଇଁ ଆହ୍ୱାନ
Advertisment
Follow Us