ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ୪୬ ଫୁଟିଆ ରାସ୍ତା ପାଇଁ ମାପଚୁପ, ବଢ଼େଇବାଙ୍କ ଛକରେ ଉତ୍ତେଜନା

Advertisment
ସୋମବାର  ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ବଡ଼ ଉଚ୍ଛେଦ : ଜବରଦଖଲରେ ଥିବା ୨୨୫ ଦୋକାନ ଭଙ୍ଗା ହେବ, ମନ୍ଦିର ନିକଟରୁ ସବୁ ଜବରଦଖଲ ହଟିବ

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ରହିବ ୪୬ଫୁଟ୍‌ ଓସାର ରାସ୍ତା। ଏଥିପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ, ବିଏମ୍‌ସି ଅତିରିକ୍ତ କମିସନରଙ୍କ ଉପସ୍ଥିତିରେ ମନ୍ଦିର ପାଚେରି କଡ଼ରେ ମାପ କରାଯାଇଛି। ଆବଶ୍ୟକ ଅନୁଯାୟୀ ଘରୋଇ ଜମି ଅଧିଗ୍ରହଣ କରାଯିବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ମାପଚୁପ କରାଯିବା ସହ ରିପୋର୍ଟ ପ୍ରସ୍ତୁତି ପରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିସ୍ତୃତ ଆଲୋଚନା କରାଯାଇଛି। ମାପଚୁପ ବେଳେ ବଢ଼େଇବାଙ୍କ ଛକରେ ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ଲୋକଙ୍କର ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପର୍ଯ୍ୟଟକଙ୍କ ଗାଡ଼ି ଯିବା ଆସିବା ପାଇଁ ପୂର୍ବରୁ ଥାନା ଥିବା ବିଲ୍‌ଡିଂ ପଛପଟ ରାସ୍ତା ୪୬ଫୁଟ୍‌ ଚଉଡ଼ା କରାଯିବ। ସେହିପରି ମନ୍ଦିର କାର୍ଯ୍ୟାଳୟ ଥିବା ସ୍ଥାନରେ ରାସ୍ତା ମଧ୍ୟ ଚଉଡ଼ା କରାଯିବା ସହ ମନ୍ଦିର ପଶ୍ଚିମ ଦିଗ ଓ ପଶ୍ଚିମ ଉତ୍ତର କୋଣ ମଧ୍ୟ ଚଉଡ଼ା କରାଯିବ। ଏଥିପାଇଁ ଆଜି ପାପନାଶିନୀ ପୁଷ୍କରିଣୀ ନିକଟରୁ ହସ୍ପିଟାଲ ଶେଷ ପର୍ଯ୍ୟନ୍ତ ରାସ୍ତା ମାପ କରାଯାଇଛି। ରଥଦାଣ୍ଡରୁ ଏହି ରାସ୍ତା ପାପନାଶିନୀ ପୁଷ୍କରିଣୀ କଡ଼ରେ ମନ୍ଦିର ପାଚେରି ତଥା ହସ୍ପିଟାଲ ନିକଟରେ ବାହାରିବା ପାଇଁ ଅଧିକାରୀମାନେ ତଦାରଖ କରିଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର କୃପାସଦନ ଗଳିରୁ ନଳକୁଣ୍ଡ ମଧ୍ୟ ଦେଇ ଜମେଶ୍ବର ମନ୍ଦିର ପର୍ଯ୍ୟନ୍ତ ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯାଇଛି। ୪୬ ଫୁଟ୍‌ ରାସ୍ତା ପାଇଁ ଆବଶ୍ୟକ ହେଲେ ସେଠାରେ ଥିବା ଘରୋଇ ଜମି ଅଧିଗ୍ରହଣ କରାଯିବ। ଏନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକଙ୍କ ସମେତ ବିଡିଏ, ଆର୍‌ଏଣ୍ଡ୍‌ବିର ଅଧିକାରୀମାନେ ସମୀକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe