ସପ୍ତଦଶ ନାରଦ ସମ୍ମାନ ଉତ୍ସବ: ସୁବ୍ରତ ଦାସଙ୍କୁ ନାରଦ ସମ୍ମାନ

Advertisment
ସପ୍ତଦଶ ନାରଦ ସମ୍ମାନ ଉତ୍ସବ: ସୁବ୍ରତ ଦାସଙ୍କୁ ନାରଦ ସମ୍ମାନ

ଭୁବନେଶ୍ବର: ସକାରାତ୍ମକ ସାମ୍ବାଦିକତାର ପ୍ରତୀକ ହେଉଛନ୍ତି ନାରଦ। ସେ ସମସ୍ତଙ୍କର ଭାଷା ବୁଝିପାରୁଥିଲେ। କୌଣସି ବାହ୍ୟ ପ୍ରଲୋଭନ ଦ୍ବାରା ପ୍ରଭାବିତ ହେଉ ନଥିଲେ। ନିଷ୍ଠାପର ଓ ନିଃସ୍ବାର୍ଥପର ଭାବେ ସତ୍ୟ ବଖାଣୁଥିଲେ। ତେଣୁ ସାମ୍ବାଦିକତାକୁ ପେସା କରୁଥିବା ପ୍ରତ୍ୟେକ ସାମ୍ବାଦିକ ନାରଦଙ୍କୁ ଆଦର୍ଶ ମାନିବା ଉଚିତ୍‌ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ‘ବିଶ୍ବ ସମ୍ବାଦ କେନ୍ଦ୍ର’ ପକ୍ଷରୁ ଆଜି ଇଡ୍‌କଲ ଅଡିଟୋରିୟମରେ ଅନୁଷ୍ଠିତ ସପ୍ତଦଶ ନାରଦ ସମ୍ମାନ ଓ ନାରଦ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ଅନୁଷ୍ଠାନର ସଭାପତି ନିରଂଜନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରାନ୍ତ କାର୍ଯ୍ୟବାହ ଅନୀଲ କୁମାର ମିଶ୍ର ଯୋଗଦେଇ କହିଥିଲେ, ଟିଭି ହେଉ କି ଖବରକାଗଜ; ସେମାନେ ନିଜନିଜର ଟିଆର୍‌ପି ପାଇଁ ବ୍ୟସ୍ତ। ସମ୍ବାଦ ପରିବେଷଣ ଅପେକ୍ଷା ବିଜ୍ଞାପନକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଏହା ସମାଜ ପାଇଁ ଶୁଭ ସଙ୍କେତ ନୁହେଁ। ସେହିପରି ସାମ୍ବାଦିକ ଏବଂ ଗଣମାଧ୍ୟମ ଅନୁଷ୍ଠାନ ସତ୍ୟ ତଥ୍ୟ ଓ ନିରପେକ୍ଷତା ଭିତ୍ତିରେ ସମ୍ବାଦ ପରିବେଷଣ କରିବା ଉଚିତ ବୋଲି ସେ କହିଥିଲେ। ଏହି ଅବସରରେ ସାମ୍ବାଦିକତାରେ ଜୀବନବ୍ୟାପୀ ସାଧନା ପାଇଁ ସୁବ୍ରତ ଦାସଙ୍କୁ ‘ସପ୍ତଦଶ ନାରଦ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ୧୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉତ୍ତରୀୟ ଦେଇ ରାଜ୍ୟପାଳ ପ୍ରଫେସର ଲାଲ୍‌ ତାଙ୍କୁ ସମ୍ବର୍ଧିତ କରିଥିଲେ। ତପେଶ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ସୁମନ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ସବ୍ୟସାଚୀ ବେହେରା ଅତିଥି ପରିଚୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe