ସ୍ବାମୀ ପରିତ୍ୟକ୍ତା ପାକେଇ ପାଇଁ ପକ୍କା ଘର ସାତ ସପନ

Advertisment

ଜନପ୍ରତିନିଧି ଓ ସରକାରୀ ବାବୁମାନଙ୍କଠୁ ବଳିଯାଇଛି ନାଗ ଆତଙ୍କ

ଜନପ୍ରତିନିଧି ଓ ସରକାରୀ ବାବୁମାନଙ୍କଠୁ ବଳିଯାଇଛି ନାଗ ଆତଙ୍କ

ସ୍ବାମୀ ପରିତ୍ୟକ୍ତା ପାକେଇ ପାଇଁ ପକ୍କା ଘର ସାତ ସପନ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଅଧୀନ ସରକଣା ଉପରମୁଣ୍ଡ ସାହିରେ ଦୀର୍ଘ ୨୫ ବର୍ଷ ଧରି ରହି ଆସୁଥିବା ସ୍ୱାମୀ ପରିତ୍ୟକ୍ତା ବୃଦ୍ଧା ପାକେଇ ନାଏକ(୫୫)ଙ୍କ ପାଇଁ ପକ୍କାଘର ସାତସପନ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନାରେ ପକ୍କାଘର ପାଇବା ପାଇଁ ତାଙ୍କର ସବୁ ଯୋଗ୍ୟତା ରହିଛି। ଏଥିପାଇଁ ସେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ କର୍ତୃପକ୍ଷଙ୍କ ନିକଟରେ ବିଭିନ୍ନ ସମୟରେ ଆବେଦନ କରିଛନ୍ତି। କିନ୍ତୁ ଫଳ ଶୂନ। ଆଜି ବି ବେସାହାରା ପାକେଇ ସେହି ଝାଟିମାଟି ଘରେ ରହୁଛନ୍ତି। ଭତ୍ତା ଟଙ୍କା ବାବଦରେ ପାକେଇ ମାସକୁ ୩୦୦ଟଙ୍କା ସରକାରୀ ଆର୍ଥିକ ସହାୟତା ପାଉଛନ୍ତି। ତାଙ୍କର ଆଧାର ଓ ଭୋଟ୍‌ ପରିଚୟପତ୍ର ମଧ୍ୟ ଅଛି। ହେଲେ ତାଙ୍କୁ କାହିଁକି ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉନାହିଁ, ତାହା ପ୍ରଶ୍ନବାଚୀ। ଅପରପେକ୍ଷ ପଞ୍ଚାୟତ ଜନପ୍ରତିନିଧି ଓ ସରକାରୀ ବାବୁମାନଙ୍କ ଅଣଦେଖାଠୁ ଏବେ ତାଙ୍କ ପାଇଁ ବଳି ଯାଇଛି ନାଗସାପ ଆତଙ୍କ। ଭଙ୍ଗା କବାଟ ଫାଙ୍କ ଦେଇ ନାଗ ସାପ ଘର ଭିତରକୁ ପଶି ଆସୁଥିବାରୁ ପାକେଇଙ୍କ ଚିନ୍ତା ବଢ଼ିଯାଇଛି। ଗତ ୩୦ ତାରିଖ ବିଳମ୍ବିତ ରାତିରେ ଏକ ମୂଷା ପିଛା କରି ଝୁମ୍ପୁଡ଼ି ଭିତରକୁ ପଶି ଆସିଥିବା ନାଗସାପ ଆକ୍ରମଣରୁ ଅଳ୍ପକେ ପାକେଇ ବର୍ତ୍ତି ଯାଇଥିବା କହିଛନ୍ତି। ସାପ ସାପ ବୋଲି ଚିତ୍କାର କରିବାରୁ ପଡ଼ୋଶୀ ସ୍ନେକ୍‌ ହେଲପଲାଇନ୍‌କୁ ଯୋଗାଯୋଗ କରିଥିଲେ। କିନ୍ତୁ ହେଲପଲାଇନ୍‌ର କୌଣସି ସଦସ୍ୟ ନ ପହଞ୍ଚିବାରୁ ପାକେଇ ରାତି ସାରା ଅନିଦ୍ରା ହୋଇ ବସି ରହିଥିଲେ। ୨୫ ବର୍ଷ ତଳେ ପାକେଇ ବାଲିଅନ୍ତା ବ୍ଲକ ଅଧୀନ ରୟଡ଼ପଡ଼ା ଗ୍ରାମର ସ୍ବର୍ଗତ ବନମାଳୀ ନାୟକଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ବନମାଳୀ ଦ୍ବିତୀୟ ବିବାହ କରି ତାଙ୍କୁ ଘରୁ ତଡ଼ି ଦେଇଥିଲେ। ମହାବାତ୍ୟା ଓ ଫାଇଲିନ୍‌ରେ ଝୁମ୍ପୁଡ଼ି ଘର ମାଟିରେ ମିଶି ଗଲା। କିନ୍ତୁ ଏ ପର୍ଯ୍ୟନ୍ତ ସରକାରୀ ବାବୁମାନଙ୍କର ନଜର ତାଙ୍କ ଉପରେ ପଡ଼ି ପାରିନାହିଁ। ଏ ସଂପର୍କରେ ବିଡିଓ ରଶ୍ମୀରେଖା ପ୍ରଧାନଙ୍କୁ ପଚାରିବାରୁ, ଏଭଳି ଅଭିଯୋଗର ସତ୍ୟତା ତଦନ୍ତ ବେଳେ ପ୍ରମାଣିତ ହେଲେ ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ପକ୍କାଘର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe