Insight Online News
ସବୁ କାଳର ଶ୍ରେଷ୍ଠ ଗୁରୁମାନଙ୍କ ମଧ୍ୟରୁ ଲାହିଡୀ ମହାଶୟ ଥିଲେ ଅନ୍ୟତମ । ସେ ଶ୍ୟାମା ଚରଣ ଲାହିଡୀ ନାମରେ ପ୍ରଥମରୁ ଜଣାଶୁଣା । ସେ ବନାରସ ନିବାସୀ ଏବଂ ସନ୍ତୁଳିତ ଜୀବନ ଯାପନ ନିର୍ବାହ କରିବାର ଏକ ଉଦାହରଣ। ଅଧିକାଂଶ ଲୋକଙ୍କ ପରି ଲାହିଡୀ ମହାଶୟ ଜଣେ ଗୃହସ୍ଥ ଥିଲେ, ଦୈନନ୍ଦିନ ଜୀବନର କର୍ମ ଜଞ୍ଜାଳ ମଧ୍ୟରେ ଥାଇ ସୁଦ୍ଧା ସେ ଭଗବତ ହୃଦୟଙ୍ଗମ ନିମନ୍ତେ ନିଜ ଚେତନାର ସ୍ତରକୁ ଉପରକୁ ଉଠାଇବାରେ ସକ୍ଷମ ହୋଇ ପାରିଥିଲେ ।
ଲାହିଡୀ ମହାଶୟ ସେହି ଅତୁଳନୀୟ ଅମର ସାଧୁ, ମହାବତାର ବାବାଜୀଙ୍କର ଅଗ୍ରଣୀ ଶିଷ୍ୟ ଥିଲେ ଏବଂ ସେ ନିଜେ ସ୍ୱାମୀ ଶ୍ରୀ ଯୁକେଶ୍ୱର ଗିରିଙ୍କର ଗୁରୁ ଥିଲେ, ଯିଏକି ‘ଯୋଗୀର ଆତ୍ମ ଚରିତ’ ପୁସ୍ତକର ରଚୟିତା ଶ୍ରୀ ଶ୍ରୀ ପରମହଂସ ଯୋଗାନନ୍ଦଙ୍କ ଗୁରୁ ଥିଲେ।
ଶ୍ରୀ ଲାହିଡୀ ମହାଶୟଙ୍କ ଜୀବନର ମୁଖ୍ୟ ଘଟଣାଗୁଡ଼ିକ ଏହି ଉଚ୍ଚକୋଟିର ଆତ୍ମ ଚରିତରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଭୁଲ୍ କ୍ରମେ ପଠାଯାଇଥିବା ଟେଲିଗ୍ରାମର ଫଳ ସ୍ୱରୂପ, ଶ୍ରୀ ଲାହିଡୀ ମହାଶୟଙ୍କୁ ରାଣୀଖେତକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ହିମାଳୟରେ ଲକ୍ଷ୍ୟହୀନ ଭାବରେ ବୁଲାବୁଲି କରୁଥିବା ସମୟରେ ଅପ୍ରତ୍ୟାଶିତ ଭାବରେ ବାବାଜୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ।
ଲାହିଡୀ ମହାଶୟଙ୍କ ଜୀବନ, ସନ୍ତୁଳିତ ତଥା ଧ୍ୟାନ କୈନ୍ଦ୍ରିକ ହୋଇ ଭଗବାନଙ୍କୁ ହୃଦୟଙ୍ଗମ କରିବା ଆଭିମୁଖ୍ୟର ଏକ ଉଦାହରଣ ଅଟେ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ମାଧ୍ୟମରେ ସେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଥିଲେ ଯାହାକି ଅନ୍ଧଭକ୍ତ ରାମୁ ଏବଂ ସନ୍ତାନ ବିହୀନ ମହିଳା ଅଭୟା ପରି ସରଳ ଅନୁଗାମୀମାନଙ୍କ ଜୀବନକୁ ଉନ୍ନତ କରିଥିଲା ​​। ଜଣେ ବ୍ରିଟିଶ ଭଦ୍ରଲୋକ ଯିଏକି ତାଙ୍କର ନିଯୁକ୍ତିଦାତା ଥିଲେ, ସେ ମଧ୍ୟ ଲାହିଡୀ ମହାଶୟଙ୍କ ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ଉପକୃତ ହୋଇଥିଲେ ଯେତେବେଳେ ତାଙ୍କର ଅସୁସ୍ଥ ପତ୍ନୀ ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ଚମତ୍କାର ଭାବରେ ସୁସ୍ଥ ହୋଇଯାଇଥିଲେ।
ଏହି ମହାନ ସାଧୁଙ୍କ ଜୀବନର ସବୁଠାରୁ ପ୍ରଭାବଶାଳୀ ଏବଂ ଅଗ୍ରଗାମୀ ଅବଦାନ ଥିଲା - ମହାବତାର ବାବାଜୀଙ୍କ ଆଶୀର୍ବାଦ ମାଧ୍ୟମରେ ହଜିଯାଇଥିବା କ୍ରିୟା ଯୋଗ ବିଜ୍ଞାନର ପୁନଃ ପ୍ରବର୍ତ୍ତନ। ଯୋଗାନନ୍ଦଜୀ, ଯିଏ ‘ଯୋଗଦା ସତସଙ୍ଗ ସୋସାଇଟି ଅଫ ଇଣ୍ଡିଆ’ ଏବଂ ‘ସେଲ୍ଫ ରିଅଲାଇଜେସନ୍ ଫେଲୋସିପ୍’ ସଂସ୍ଥାଗୁଡିକୁ ପ୍ରତିଷ୍ଠା କରିଥିଲେ, ସିଏ ସର୍ବଦା ତାଙ୍କ ପରମଗୁରୁ ଲାହିଡୀ ମହାଶୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଏପରିକି ଶିଶୁ ଅବସ୍ଥାରେ ତାଙ୍କ ପ୍ରିୟ ମା’ଙ୍କ କୋଳରେ ଥିବାବେଳେ, ମହାନ ଗୁରୁଙ୍କର ଆଶୀର୍ବାଦ ପ୍ରାପ୍ତ କରିଥିଲେ।
ଯୋଗାନନ୍ଦଜୀଙ୍କ ଶିକ୍ଷା ମହାନ ଶାସ୍ତ୍ର, ଶ୍ରୀମଦ ଭଗବଦ୍ ଗୀତା ଏବଂ ବାଇବେଲର ଦର୍ଶନ ଉପରେ ଆଧାରିତ । ଏହା ତାଙ୍କର ପ୍ରକାଶନ ଗୁଡିକରେ ତଥା ; 'ଜୀବନଯାପନ କିପରି କରିବ' ଶିକ୍ଷାବଳିରେ ଲିପିବଦ୍ଧ ହୋଇଛି l ସମସ୍ତ ମନୁଷ୍ୟଙ୍କର ଆବଶ୍ୟକ ହେଉଥିବା ‘ଈଶ୍ୱରଙ୍କ ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅଭିଜ୍ଞତା’ ହାସଲ କରିବା ପ୍ରତି ଗୁରୁତ୍ୱ ଦେବା ତାଙ୍କ ବାର୍ତ୍ତାର ମୂଳ ବିଷୟ।
ଶ୍ରୀ ଲାହିଡୀ ମହାଶୟଙ୍କ ଜନ୍ମ ବାର୍ଷିକୀ (ଆବିର୍ଭାବ ଦିବସ) ସେପ୍ଟେମ୍ବର ୩୦ ରେ ଏବଂ ତାଙ୍କର ମହା ସମାଧି ଦିବସ ସେପ୍ଟେମ୍ବର ୨୬ ରେ ପାଳିତ ହୁଏ ।
ଆଜିର ଆଧୁନିକ ଯୁଗରେ ଲକ୍ଷଲକ୍ଷ ଲୋକ କ୍ରିୟା ଯୋଗର ପଥ ଅନୁସରଣ କରିବା, ଭାରତର ମହାନ ଯୋଗାବତାର ଲାହିଡୀ ମହାଶୟଙ୍କର ଜୀବନର ଏକ ପରିସାକ୍ଷ୍ୟ ଅଟେ। ସେ ଗୋଟିଏ ଛୋଟ ସହର 'ଘୁରନି'ରେ ଏହାର ଶୁଭାରମ୍ଭ ଦେଖିଥିଲେ କିନ୍ତୁ ପୃଥିବୀରେ ଅଦ୍ୟାବଧି ବାସ କରିଥିବା ଅନ୍ୟତମ ଉଚ୍ଚକୋଟିର ସାଧୁ ଭାବରେ ପରିଗଣିତ ହୋଇ ପାରିଥିଲେ।
ଲେଖକ: ବିବେକ ଆତ୍ରେ
Follow Us