ସୁସ˚ହତ ଜୀବନ

Advertisment

ମନ ପରିଭାଷା - ଡ. ଫକୀର ମୋହନ ସାହୁ

ମନ ପରିଭାଷା - ଡ. ଫକୀର ମୋହନ ସାହୁ

ସୁସ˚ହତ ଜୀବନ

discover.jkuat.ac.ke

ଆମେମାନେ ଜୀବନକୁ କେଉଁ ଆଭିମୁଖ୍ୟର ସହିତ ବ୍ୟତୀତ କରିଥାଉ। ମନୋବିଜ୍ଞାନର ଭାଷାରେ ଆମ ଭିତରୁ କିଛି ଲୋକ ଅତୀତ-ସର୍ବସ୍ବ ହୋଇଥିବା ବେଳେ କିଛି ବର୍ତ୍ତମାନ-ସର୍ବସ୍ବ ଏବ˚ ଆଉ କିଛି ଭବିଷ୍ୟତ-ସର୍ବସ୍ବ ହୋଇଥାଆନ୍ତି। ଏବେ ବିଚାର କରିବା ଏହି ତିନି ପ୍ରକାରର ଲୋକେ କିଭଳି ହୋଇଥାଆନ୍ତି ବା କିଭଳି ହୋଇପାରନ୍ତି।

ପାଶ୍ଚାତ୍ୟ ମନୋବୈଜ୍ଞାନିକମାନଙ୍କ ମତରେ ଅତୀତକୁ ପ୍ରାଧାନ୍ୟ ଦେଉଥିବା ଲୋକେ ସାଧାରଣତଃ ରକ୍ଷଣଶୀଳ ହୁଅନ୍ତି। ଏମାନେ ଦେଖି ଚାହିଁ କୌଣସି କାର୍ଯ୍ୟ କରନ୍ତି ବା ଆଗକୁ ଚାଲନ୍ତି। ଏମାନେ ଅତୀତର ସ୍ଥିତିକୁ ବଜାୟ ରଖିବାର ଚେଷ୍ଟା କରନ୍ତି। ପ୍ରାଚ୍ୟ ବିଚାରରେ ଏପରି ଲୋକେ ପରମ୍ପରାବାଦୀ ହୁଅନ୍ତି। ଅତୀତର ସ୍ଥିତି ଯେ ବଦଳୁ ଏହା ସେମାନଙ୍କ କାମ୍ୟ ନୁହେଁ।

ଯେଉଁମାନେ ବର୍ତ୍ତମାନ-ସର୍ବସ୍ବ ସେମାନେ ଇନ୍ଦ୍ରିୟାନୁଭୂତିକୁ ଅଧିକ ଗୁରୁତ୍ବ ଦିଅନ୍ତି। ଏ କିସମର ଲୋକେ ମିଳୁଥିବା ସୁଖକୁ ଭରପୂର ଉପଭୋଗ କରନ୍ତି। ଏପରି ଆଭିମୁଖ୍ୟର ଗୋଟିଏ ଭଲ ଗୁଣ ହେଉଛି ଏହା ଯେ ଏମାନେ ପ୍ରାୟତଃ ପ୍ରାଣୋଚ୍ଛଳ ହୋଇଥାଆନ୍ତି। ଅତୀତର ଦୁଃଖ ଏମାନଙ୍କ ବର୍ତ୍ତମାନର ସୁଖକୁ ମଳିନ କରିପାରେ ନାହିଁ। ତେବେ, ଏଭଳି ବ୍ୟକ୍ତି ସାଧାରଣ ଜୀବନରେ ରୋମା˚ଚ ପାଇବା ଲାଗି ଦ୍ରୁତ ଗତିରେ ଗାଡ଼ି ଚଳାଇ ପାରନ୍ତି ବା ନିଶା ଦ୍ରବ୍ୟ ସେବନ କରିପାରନ୍ତି। ଇ˚ରେଜୀରେ ଏମାନଙ୍କୁ ‘ହେଡୋନିଷ୍ଟ୍୍‌’ ବୋଲି କୁହାଯାଇପାରେ।

ଯେଉଁମାନେ ଭବିଷ୍ୟତକୁ ନେଇ ଅଧିକ ଚିନ୍ତା କରନ୍ତି, ସେମାନେ ଅନେକ ବିଷୟର ସମ୍ଭାବ୍ୟ ପରିଣତି ନେଇ ସତର୍କ ରହନ୍ତି। ସେମାନେ ନିଜ ଭବିଷ୍ୟତ୍‌ ସୁରକ୍ଷାରେ ବା ଭବିଷ୍ୟତ୍‌ ଗଢ଼ିବାରେ ଅଧିକ ବ୍ରତୀ ହୁଅନ୍ତି। ସେଥିଲାଗି ସେମାନେ ବର୍ତ୍ତମାନ ସମୟର ସୁବିନିଯୋଗ କରନ୍ତି। ଉଦାହରଣ ସ୍ବରୂପ ଭବିଷ୍ୟତରେ ଯେମିତି ଶରୀର ଅସୁସ୍ଥ ନ ହୁଏ, ସେଥି ଲାଗି ସେମାନେ ବ୍ୟାୟାମ ଆଦି କରନ୍ତି ଓ ଶୃଙ୍ଖଳିତ ଜୀବନ ଯାପନ କରନ୍ତି। କିନ୍ତୁ ଏମାନଙ୍କ ସମସ୍ୟା ହେଲା ଏୟା ଯେ ଏମାନେ ଅଧିକ ସମୟ ଭବିଷ୍ୟତର କଳ୍ପନାରେ ବ୍ୟୟ କରିପାରନ୍ତି ବା ଅନାଗତ ଆଶଙ୍କାରେ ଘାରି ହୋଇପାରନ୍ତି।

ତେଣୁ ମନରେ ପ୍ରଶ୍ନ ଉଠେ ଯେ କେଉଁ ଧରଣର ଆଭିମୁଖ୍ୟ ଏକ ଉତ୍ତମ ଜୀବନଯାପନ ପାଇଁ ଅଧିକ ଉପଯୋଗୀ? ପାଶ୍ଚାତ୍ୟ ଦେଶର ଲୋକେ ଭବିଷ୍ୟତକୁ ଅପେକ୍ଷାକୃତ ଅଧିକ ଗୁରୁତ୍ବ ଦେଇଥାଆନ୍ତି। ଭବିଷ୍ୟତ୍‌ର ଲକ୍ଷ୍ୟ ଓ ସ˚କଳ୍ପ ସେମାନଙ୍କ ଜୀବନକୁ ଅଧିକ ପ୍ରଭାବିତ କରେ। ପୁଣି ଏହା ବି ଦେଖାଯାଏ ଯେ ପାଶ୍ଚାତ୍ୟ ଦେଶର ଲୋକଙ୍କ ଭିତରୁ ଅନେକ ବର୍ତ୍ତମାନକୁ ଗୁରୁତ୍ବ ଦେଇ ଇନ୍ଦ୍ରିୟପ୍ରବଣତାରେ ମାତନ୍ତି। ସେହିଭଳି ଭାରତୀୟମାନେ ବା ପ୍ରାଚ୍ୟ ଭୂଖଣ୍ତର ଲୋକେ ସମ୍ଭବତଃ ଅତୀତର ରୋମନ୍ଥନ ପ୍ରତି ଅଧିକ ଆଗ୍ରହୀ ହୁଅନ୍ତି।

ଏ ପରିପ୍ରେକ୍ଷୀରେ ଏକ ଉତ୍ତମ ଜୀବନ ଧାରା ଲାଗି ଯାହା ଆବଶ୍ୟକ ତାହା ହେଲା, ଏହି ତିନି ଆଭିମୁଖ୍ୟର ଏକ ସମନ୍ବୟ। ଅତୀତର ରୋମନ୍ଥନ କଲା ବେଳେ ସେଥିରୁ ବର୍ତ୍ତମାନର ଜୀବନ ଲାଗି ଉପାଦାନ ସ˚ଗ୍ରହ କରି କିଭଳି ତାହା ଦ୍ବାରା ଭବିଷ୍ୟତକୁ ଋଦ୍ଧିମନ୍ତ କରାଯାଇପାରିବ, ତାହା ଉପରେ ସମସ୍ତେ ଗୁରୁତ୍ବ ଦେବା ଆବଶ୍ୟକ। ‘ହାୟ ଏ ଦୁନିଆ କ’ଣ ଥିଲା, ବର୍ତ୍ତମାନ କ’ଣ ହୋଇଛି!’ ବୋଲି ବିଳାପ କରିବା ଭଳି ‘ହେ ଭଗବାନ, ଆଗକୁ କ’ଣ ହେବ କେଜାଣି?’ ଭଳି ଭୟ ପ୍ରକଟ କରିବା ଏକ ପ୍ରମାଦପୂର୍ଣ୍ଣ ଜୀବନର କାରଣ ହୋଇପାରେ। ସେହି ଭଳି ସର୍ବଦା ସ୍ଥୂଳ ସୁଖର ଅନୁଧାବନରେ ବର୍ତ୍ତମାନକୁ ନିଃଶେଷ କରି ଦେବା ବି ଅନୁଚିତ।

ଜାଭିୟର‌୍‌ ବିଶ୍ବବିଦ୍ୟାଳୟ
ଭୁବନେଶ୍ବର - ୧୩

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe