ଭ୍ରାନ୍ତିହୀନ କ୍ରାନ୍ତିକାରୀ ପ୍ରାଣନାଥ

Advertisment

ସୋମନାଥ ପାତ୍ର

ସୋମନାଥ ପାତ୍ର

ଭ୍ରାନ୍ତିହୀନ କ୍ରାନ୍ତିକାରୀ ପ୍ରାଣନାଥ

facebook

ମନୁଷ୍ୟ ସମାଜର ଅଗ୍ରଗତି ପଥରେ ଯେଉଁସବୁ ପ୍ରତିବନ୍ଧକ ରହିଛି ତାକୁ ହଟାଇ ନୂତନ ପ୍ରଗତିଶୀଳ ବ୍ୟବସ୍ଥାକୁ ଯିବାର ନାମ କ୍ରାନ୍ତି। ମହାନ୍‌ ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ଥିଲେ ଏହି କ୍ରାନ୍ତି ପଥର ଯାତ୍ରୀ। ଏହା ସାଙ୍ଗକୁ ସେ ଥିଲେ ଉତ୍ସର୍ଗୀକୃତ ଜନସେବକ, ସମାଜ ସଂସ୍କାରକ, ବାମପନ୍ଥୀ ପ୍ରବକ୍ତା, ପ୍ରଗତିବାଦୀ ଜନନେତା, ସାହିତ୍ୟିକ ତଥା ଶିକ୍ଷା ପ୍ରସାରରେ ଅଗ୍ରଣୀ। ଏକ ସମ୍ଭ୍ରାନ୍ତ ବଂଶରେ ଜନ୍ମଲାଭ କରି, ଉଚ୍ଚଶିକ୍ଷା ଲାଭ କରିଥିବା ଯୁବକ ପ୍ରାଣନାଥ ଚାକିରିର ମୋହ ତ୍ୟାଗ କରି ଐତିହାସିକ ଆହ୍ବାନକୁ ସ୍ବାଗତ ଜଣାଇ ଏବଂ ଗାନ୍ଧୀ, ଗୋପବନ୍ଧୁଙ୍କୁ ନିଜ ଜୀବନର ଆଦର୍ଶ ରୂପେ ଗ୍ରହଣ କରିନେଇ ଜାତୀୟ ମୁକ୍ତି ଆନ୍ଦୋଳନକୁ ଲମ୍ଫ ଦେଇଥିଲେ।

ସେ ଥଲେ ଦୂରଦ୍ରଷ୍ଟା। ବର୍ତ୍ତମାନରେ ସନ୍ତୁଷ୍ଟ ନ ରହି ଭବିଷ୍ୟତକୁ ଦେଖୁଥିଲେ, ଭବିଷ୍ୟତ ବିଷୟରେ ଚିନ୍ତା କରୁଥିଲେ। ସେ ଚିନ୍ତା କରୁଥିଲେ ଯେ ବ୍ରିଟିସ୍‌ ସରକାର ଯାଇ ଯଦି ରାଜା, ମହାରାଜା, ଜମିଦାରମାନଙ୍କ ଶାସନ ରହିଲା, ତେବେ ଲୋକେ ପ୍ରକୃତ ସ୍ବାଧୀନତାର ସୁଫଳ ପାଇପାରିବେ ନାହିଁ। ତେଣୁ ସେ ଭାବୁଥିଲେ ବ୍ରିଟିସ୍‌ ସାମ୍ରାଜ୍ୟବାଦ ସହିତ ଦେଶରୁ ରାଜତନ୍ତ୍ର ଓ ଜମିଦାରୀ ପ୍ରଥାର ଉଚ୍ଛେଦ ହେବା ଦରକାର। ଓଡ଼ିଶାରେ ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ମାଳତୀ ଚୌଧୁରୀ, ମୋହନ ଦାଶ, ସୁରେନ୍ଦ୍ର ଦ୍ବିବେଦୀ ପ୍ରମୁଖଙ୍କ ସହ ମିଳିତ ହୋଇ ପ୍ରାଣନାଥ କଂଗ୍ରେସ-ସୋସାଲିଷ୍ଟ ପାର୍ଟି ଗଠନ କଲେ ଓ ଏହି ସଙ୍ଗଠନର ନେତୃତ୍ବ ନେଲେ। ଏହି ସଙ୍ଗଠନର ଆହ୍ବାନରେ ଗଡ଼ଜାତ ମାନଙ୍କରେ ରାଜାମାନଙ୍କର ଅତ୍ୟାଚାର, ଶୋଷଣ ବିରୋଧରେ ଆନ୍ଦୋଳନ ଓ ଚାଷୀ ଆନ୍ଦୋଳନ ବ୍ୟାପକ ରୂପ ନେଲା। ୧୯୩୬ରେ ଓଡ଼ିଶାରେ କୃଷକ ସଙ୍ଗଠନ ଗଠିତ ହେଲା। ପ୍ରାଣନାଥ ସେହି ସଙ୍ଗଠନର ମୁଖ୍ୟକର୍ତ୍ତା ରହିଥିଲେ।
ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନରେ ବେଜେଲଗେଟ୍‌ ହତ୍ୟା ମାମଲରେ ତାଙ୍କୁ ଯୋଡ଼ିବାର ଷଡ଼ଯନ୍ତ୍ର କରାଯାଇଥିଲା, କିନ୍ତୁ ତାହା ସଫଳ ହୋଇନଥିଲା। ଜାତୀୟ ମୁକ୍ତି ଆନ୍ଦୋଳନ, ଗଡ଼ଜାତ ରାଜତନ୍ତ୍ର ବିରୋଧୀ ଆନ୍ଦୋଳନ, ଜମିଦାରୀ ବିରୋଧୀ ଆନ୍ଦୋଳନ ଯୋଗୁଁ ସେ ଦଶଥର କାରାବରଣ କରିଥିଲେ ଏବଂ ଦୀର୍ଘବର୍ଷ ବନ୍ଦୀଶାଳାରେ କଟାଇଥିଲେ। ସ୍ବାଧୀନତା ପରେ ମଧ୍ୟ ସେ ଦୀର୍ଘଦିନ ଆତ୍ମଗୋପନ କରି ଶେଷରେ ୧୯୪୮ରୁ ୫୨ ପର୍ଯ୍ୟନ୍ତ ଅଟକବନ୍ଦୀ ହୋଇ ରହିଥିଲେ। ସେ ଜଣେ ନିର୍ଭୀକ ସଂଗ୍ରାମୀ ଭାବେ ସବୁ ଦଣ୍ଡକୁ ସହ୍ୟ କରୁଥିଲେ। ସେ ଥିଲେ ପ୍ରବଳ ଆଶାବାଦୀ। ସେ ଖୋର୍ଦ୍ଧା ଅଞ୍ଚଳର ପୂର୍ବ ଗୌରବକୁ ଫେରାଇ ଆଣିବା ପାଇଁ ସର୍ବଦା ଚେଷ୍ଟିତ ଥିଲେ। ଖୋର୍ଦ୍ଧାବାସୀଙ୍କ ଶ୍ରଦ୍ଧା ପାଇ ସେ ପ୍ରଥମ ଓଡ଼ିଶା ବିଧାନସଭାକୁ ୧୯୩୬/୩୭ରେ ଓ ସ୍ବାଧୀନତା ପରେ ୧୯୫୭ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଜଣେ ଦକ୍ଷ ବିଧାୟକ ଭାବେ ତାଙ୍କର ଖ୍ୟାତି ଥିଲା।

ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ସେହି କ୍ରାନ୍ତି ଭାବଧାରାକୁ ଦର୍ଶାଇ ‘ଆସନ୍ତା କାଲିର ସାହିତ୍ୟ’ ପୁସ୍ତକ ରଚନା କରିଥିଲେ। ଶିକ୍ଷା ହିଁ ସମସ୍ତ ବିକାଶର ଚାବିକାଠି, ଶିକ୍ଷାର ବିକାଶ ନ ଘଟିଲେ ସ୍ବାଧୀନତା ରକ୍ଷା ହୋଇପାରିବ ନାହିଁ, ତେଣୁ ଶିକ୍ଷାର ପ୍ରସାର ପାଇଁ ଦୁଇ ଦୁଇଟି ହାଇସ୍କୁଲ୍‌ ପ୍ରତିଷ୍ଠା ସହ ଖୋର୍ଦ୍ଧାର ବରୁଣେଇ ପାଦଦେଶରେ ଏକ ବିଶାଳ କଲେଜ ପ୍ରତିଷ୍ଠା କଲେ। ବହୁ ଗୁଣଗ୍ରାହୀ, ସ୍ବାଧୀନଚେତା ଅଧ୍ୟାପକଙ୍କୁ ଆଣି ଏହି ଅନୁଷ୍ଠାନରେ ରଖାଇଲେ। ଏହାକୁ ଏକ ବିଶ୍ବବିଦ୍ୟାଳୟର ରୂପ ଦେବା ତାଙ୍କ କଳ୍ପନାରେ ଥିଲା। ତାଙ୍କର ମାନସ ସନ୍ତାନ ଏହି କଲେଜ ଆଜି ଏକ ଆଦର୍ଶ ସ୍ବୟଂ ଶାସିତ କଲେଜରେ ପରିଣତ ହୋଇଛି। ଏହିପରି କ୍ରାନ୍ତିପଥର ଗୋଟିକ ପରେ ଗୋଟିଏ ପାହାଚ ଅତିକ୍ରମ ଚାଲିଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ କଲିକତାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିଲେ।

ସ୍ବାଧୀନତା ସଂଗ୍ରାମୀ, କାକଟପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe