ପ୍ରଫେସର ବ୍ରଜବନ୍ଧୁ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

Advertisment

ନିରଞ୍ଜନ ପଟ୍ଟନାୟକ

ନିରଞ୍ଜନ ପଟ୍ଟନାୟକ

ପ୍ରଫେସର ବ୍ରଜବନ୍ଧୁ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରଫେସର ବ୍ରଜବନ୍ଧୁ ମିଶ୍ର, ଓଡିଶାର ଶିକ୍ଷା ଆକାଶର ଏକ ଉଜ୍ଜ୍ବଳ ନକ୍ଷତ୍ର। ଜଣେ ମେଧାବୀଛାତ୍ର, ଶିକ୍ଷାବିତ ଏବଂ ଶିକ୍ଷା ପ୍ରଶାସକ ଭାବରେ ସୁନାମ ଅର୍ଜନ କରିଥିବା ଏକ ବଳିଷ୍ଠ ବ୍ୟକ୍ତି। ୧୯୬୧ ମସିହାରେ ମୁଁ ଗଙ୍ଗାଧର ମେହେର ମହାବିଦ୍ୟାଳୟ, ସମ୍ବଲପୁରରେ ପଢୁଥିବା ବେଳେ ପ୍ରଫେସର ମିଶ୍ର ଦ୍ବିତୀୟ ଥର ପାଇଁ ଅଧ୍ୟକ୍ଷ ଭାବରେ ଯୋଗ ଦେଇଥିଲେ। ସେହି ବର୍ଷ କଲେଜ ଛାତ୍ରସଂସଦର ସଂପାଦକ ଥିବାରୁ ତାଙ୍କ ସହିତ ପ୍ରତ୍ୟକ୍ଷ ସଂପର୍କ ସ୍ଥାପିତ ହୋଇଥିଲା। ଶ୍ରୀବଲ୍ଲଭ ପାଣିଗ୍ରାହୀ ସଂସଦର ସଭାପତି ଥିଲେ। ପାଠ ପଢୁଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଆମେ ଗୁରୁ ଏବଂ ଗୁର୍ବୀ ଭାବରେ ସମ୍ମାନ ପ୍ରଦର୍ଶନ କରୁଥିଲୁ। ପ୍ରତ୍ୟେକ ସନ୍ତାନସନ୍ତତି, ତାଙ୍କର ପିତାମାତାଙ୍କୁ ଭକ୍ତି କଲାଭଳି, ଛାତ୍ରଛାତ୍ରୀମାନେ ମଧ୍ୟ ଗୁରୁମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ। ୧୯୨୦ ମସିହା, ମଇ ୧୮ ତାରିଖରେ ତାଳଚେରଠାରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ମିଶ୍ର, ୧୯୯୯ ମସିହା ଡିସେମ୍ବର ୧୪ ତାରିଖରେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କର ପୁତ୍ରକନ୍ୟା, ଛାତ୍ରଛାତ୍ରୀ ଓ ବନ୍ଧୁବର୍ଗ ପ୍ରଫେସର ମିଶ୍ରଙ୍କ ଶତବାର୍ଷିକୀ ଉପଲକ୍ଷେ, ଏକ ସ୍ମରଣିକା ପୁସ୍ତକ ପ୍ରକାଶ କରୁଛନ୍ତି, ଯାହାକି ଆସନ୍ତା ରବିବାର ଜୁନ୍ ୫ ତାରିଖରେ ଉନ୍ମୋଚିତ ହେବ। ଏହି ଶତବାର୍ଷିକୀ ସମାରୋହ ପାଇଁ ମୋର ଶୁଭେଚ୍ଛା ଜ୍ଞାପନ କରୁଛି ଏବଂ ଗୁରୁଙ୍କ ଅମର ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଓ ଭକ୍ତିପୂତ ପ୍ରଣାମ ଜଣାଉଛି।

ଜଣେ ମେଧାବୀ ଛାତ୍ର ହିସାବରେ ସେ ତାଳଚେର ଯୁବରାଜ ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ୟୁଲେସନ୍, ରେଭେନ୍ସା କଲେଜରୁ ଦ୍ବିତୀୟ ସ୍ଥାନ ସହିତ ପ୍ରଥମ ଶ୍ରେଣୀ ଆଏସସି ଏବଂ ବିଏସସି (ଗଣିତ ଅନର୍ସ)ରେ ପାଟନା ବିଶ୍ୱବିଦ୍ୟାଳୟରୁ ଶୀର୍ଷ ସ୍ଥାନ ସହିତ ପ୍ରଥମଶ୍ରେଣୀ ଅଧିକାର କରିଥିଲେ।

ସେହିଭଳି, ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଏମ୍‌ଏସ୍‌ସି (ଗଣିତ)ରେ ଶୀର୍ଷ ସ୍ଥାନ ଅଧିକାର କରି ଚାରୋଟି ସ୍ବର୍ଣ୍ଣପଦକ ପାଇଥିଲେ। ଆମେରିକାସ୍ଥ କଲମ୍ବିଆ ବିଶ୍ବବିଦ୍ୟାଳୟରୁ ଏଏମ୍‌ ଏବଂ ମଚିଗାନ୍‌ ବିଶ୍ୱବିଦ୍ୟାଳୟରୁ ଏମ୍ଏସ୍‌ ଡିଗ୍ରୀ ପ୍ରାପ୍ତ କରିଥିଲେ। ଆମେରିକାରୁ ଫେରିବା ପରେ, ଅଧ୍ୟାପକ ମିଶ୍ର ରେଭେନ୍ସା କଲେଜିଏଟ୍ ସ୍କୁଲର ପ୍ରଧାନଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ। ରେଭେନ୍ସା କଲେଜରେ ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରଫେସର ଭାବରେ ଅତି ସରଳ ଭାଷାରେ ଗଣିତ ଶିକ୍ଷା ପ୍ରଦାନ କରି ସୁନାମ ଅର୍ଜନ କରିଥିଲେ। ରାଜେନ୍ଦ୍ର କଲେଜ, ବଲାଙ୍ଗୀର, ଗଙ୍ଗାଧର ମେହେର କଲେଜ, ସମ୍ବଲପୁର ଏବଂ ଖଲ୍ଲିକୋଟ୍‌ କଲେଜ, ବ୍ରହ୍ମପୁରରେ ଅଧ୍ୟକ୍ଷ ଭାବରେ ଦାୟିତ୍ବ ତୁଲାଇବା ବେଳେ ସମ୍ବଲପର ଏବଂ ବ୍ରହ୍ମପୁରରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଥମ ରେଜିଷ୍ଟ୍ରାର ଏବଂ ପରେ ଏହାର ଏଡମିନିଷ୍ଟ୍ରେଟର ଭାବରେ କାର୍ଯ୍ୟ କରି ବିଶ୍ୱବିଦ୍ୟାଳୟର ଭିତିଭୂମି ସୁଦୃଢ଼ କରାଇବାରେ ସହାୟକ ହୋଇଥିଲେ। ସେ ଓ.ୟୁ.ଏ.ଟି ର କୁଳସଚିବ ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ସରକାର ହାତକୁ ନେଲାପରେ, ଏହାର ଏଡମିନିଷ୍ଟ୍ରେଟର ଭାବରେ ନିଯୁକ୍ତି ହୋଇଥିଲେ ।

ଓଡ଼ିଶାର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ଥିଲା। ରାଜ୍ୟର ସ୍କୁଲଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ବୋର୍ଡର ଅଧ୍ୟକ୍ଷ, ପାଠ୍ୟପୁସ୍ତକ ପ୍ରକାଶନ ବୋର୍ଡର ଅଧ୍ୟକ୍ଷ ଏବଂ ସିଲେକସନ୍ ବୋର୍ଡର ଅଧ୍ୟକ୍ଷ ଭାବରେ କାର୍ଯ୍ୟକରି ସଂସ୍କାରମୂଳକ ନୂତନ ଶିକ୍ଷାନୀତି ପ୍ରଣୟନ କରିଥିଲେ। ଭାରତ ସରକାରଙ୍କ ଅଧିନରେ ଥିବା ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଙ୍ଗ ଏଣ୍ଡ ଏଜୁକେସନାଲ୍ ଏଡମିନିଷ୍ଟ୍ରେସନ୍, ଦିଲ୍ଲୀରେ ଜଣେ ବିଶେଷଜ୍ଞ ଭାବରେ କିଛି ବର୍ଷ କାର୍ଯ୍ୟ କରିଥିଲେ।

ଅବସର ଗ୍ରହଣ ପରେ ସେ ସିକିମ୍‌ ରାଜ୍ୟରେ ଶିକ୍ଷାସଚିବ ଭାବରେ କାର୍ଯ୍ୟକରି ଏକ ନୂତନ ରାଜ୍ୟରେ ଦେଶରେ ପ୍ରଚଳିତ ଶିକ୍ଷାନୀତି ପ୍ରଣୟନ କରିବାର ଦାୟିତ୍ବ ଗ୍ରହଣ କରିଥିଲେ। ଏହି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବ୍ରଜବନ୍ଧୁ ମିଶ୍ରଙ୍କ ଅମରଆତ୍ମା ପ୍ରତି ଆଉଥରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe