ଅବିସ୍ମରଣୀୟ ଦାସିଆ ଅଜା

Advertisment

୨୫ତମ ଶ୍ରାଦ୍ଧ ଦିବସ ଅବସରରେ - ପ୍ରସନ୍ନ କୁମାର ପାଟ୍ଟଶାଣୀ

୨୫ତମ ଶ୍ରାଦ୍ଧ ଦିବସ ଅବସରରେ - ପ୍ରସନ୍ନ କୁମାର ପାଟ୍ଟଶାଣୀ

ଅବିସ୍ମରଣୀୟ ଦାସିଆ ଅଜା

incredibleorissa.com

ଓଡ଼ିଶା ପାଠାଗାର, ସଂଗ୍ରହାଳୟ ଆନ୍ଦୋଳନର ସ୍ରଷ୍ଟା ପ୍ରଖ୍ୟାତ ସଂଗ୍ରାହକ ଏବଂ ପ୍ରସିଦ୍ଧ ସାରସ୍ବତ ସାଧକ ଦାଶରଥି ପଟ୍ଟନାୟକ (୧୯୦୭-୧୯୯୭) ଦଶ ପଇସାର ରଜା, ଖୁଣ୍ଟାତଡ଼ା ରଜା, ଦାସିଆ ଅଜା ଗୋଟିଏ ପ୍ରାତଃ ସ୍ମରଣୀୟ ନାମ। ସେ ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚତୁର୍ଥ ଶ୍ରେଣୀ ଯାଏ ଥିଲା ତାଙ୍କର ପାଠପଢ଼ା। ପ୍ରାରମ୍ଭିକ ଜୀବନରେ ପେଟପାଟଣା ପାଇଁ ବିଭିନ୍ନ ଛୋଟମୋଟ ଚାକିରି କରିଥିଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ନ ହୋଇ ଗାଁକୁ ଫେରି ପାହାଡ଼ିଆ ଅନୁର୍ବର ଜମିରୁ ନିଜେ ଖୁଣ୍ଟ ତାଡ଼ି ଏହାକୁ ଚାଷ ଜମି ରୂପେ ପ୍ରସ୍ତୁତ କରି ନିଜର ତେଲଲୁଣ ସଂସାରକୁ ଚଳାଇଥିଲେ। ଏଥିପାଇଁ ସେ ଖୁଣ୍ଟାତଡ଼ା ରଜା ନାମରେ ପରିଚିତ ହୋଇଥିଲେ। ଦ୍ବିପ୍ରହର ବିଶ୍ରାମ ସମୟରେ ବହି ପଢ଼ିବା ଥିଲା ତାଙ୍କର ଏକ ନିଶା। କାଲି କ’ଣ ପଢ଼ିବି? ଆଉ ବହି, ପତ୍ରିକା କେଉଁଠାରୁ ପାଇବି? ଏହି ନିଶା ଓ ଚିନ୍ତାରୁ ସେ ଆରମ୍ଭ କଲେ ସେ ପୁସ୍ତକ ଭିକ୍ଷାର କାର୍ଯ୍ୟକ୍ରମ ଓ ସେଥି ଲାଗି ଓଡ଼ିଶା ଯାତ୍ରା। ଗାଁ ଗଣ୍ଡା, ସହର ବଜାର, ଦ୍ବାରଦ୍ବାର ଘୂରି ବୁଲିଲେ। ପାଲଟି ଗଲେ ଓଡ଼ିଶାର ସର୍ବଶ୍ରେଷ୍ଠ ଭିକାରୀ। ଅଧା ଲଙ୍ଗଳା ବେଶ, ହାତରେ ଗୋଟାଏ ଠେଙ୍ଗା, ମୁଣ୍ଡରେ ଠେକା, କାନ୍ଧରେ ଏକ ଝୁଲା ମଣି, ଆଉ ଆଖିରେ ଆଖିଏ ସ୍ବପ୍ନ।

ଏବେ ସେ ହାତ ପାତି ମାଗିଲେ ସମସ୍ତଙ୍କୁ ପୁସ୍ତକ, ପତ୍ରପତ୍ରିକା, ତାଳପତ୍ର ପୋଥି ଏବଂ ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଏବଂ ଦଶ ପଇସାର ଭିକ୍ଷା। ବୟସ ହାର ମାନିଲା ତାଙ୍କ ପାଖରେ। ଜାତି ପାଇଁ ମାଗିଯାଚି ସୃଷ୍ଟି କଲେ ଏକ ମହାନ ସାଂସ୍କୃତିକ ସମ୍ଭାର। ପ୍ରତି ଦିନ ୧୦୦ରୁ ଅଧିକ ପୋଷ୍ଟକାର୍ଡ ଲେଖିବା ଥିଲା ତାଙ୍କର ଏକ ନିଶା। କବି, ଲେଖକ, ସାହିତ୍ୟିକମାନଙ୍କ ପାଇଁ ଏହି ପୋଷ୍ଟକାର୍ଡ ଥିଲା ଏକ ପ୍ରେରଣା। ଏକ ଗ୍ରାମୀଣ ପରିବେଶରେ ଥାଇ ସେ ଦେଖିଥିଲେ ଉତ୍କଳୀୟ ସାଂସ୍କୃତିକ ଚେତନା ଜାଗରଣର ସ୍ବପ୍ନ। ନବେ ବର୍ଷର ଜୀବନ, ଚାଳିଶ ବର୍ଷର ସାଧନା ଥିଲା ଦାସିଆ ଅଜାଙ୍କର ଓଡ଼ିଆ ଜାତିପାଇଁ ସମର୍ପିତ। ଏକ ନିପଟ ମଫସଲ ପାହାଡ଼ ଜଙ୍ଗଲିଆ ଗାଁ ନୟାଗଡ଼ର ଉଦୟପୁରରେ ସେ ପ୍ରତିଷ୍ଠା କରିଦେଲେ ଏକ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ, ଗବେଷଣାଗାର ଓ ଅଭିଲେଖାଗାର। ସେ ଭଳି ବିସ୍ମୟ ସୃଷ୍ଟିକାରୀ ଉଦ୍ୟମ ଆଜି ବିଶ୍ବ ପ୍ରସିଦ୍ଧ ହୋଇପାରିଛି।

ତାଙ୍କୁ ଦେଖିଲେ ଓ ତାଙ୍କ କଥା ଭାବିଲେ ମୁଣ୍ଡ ସ୍ବତଃ ନଇଁ ଆସୁଥିଲା। ଦାସିଆ ଅଜାଙ୍କୁ ଏହି ମହାନ୍‌ କାର୍ଯ୍ୟରେ ସହଯୋଗ କରୁଥିଲେ ସହଧର୍ମିଣୀ ପୌର୍ଣ୍ଣମାସୀ ଦେବୀ। ଦାସିଆ ଅଜାଙ୍କ ପାଠାଗାର ଅଭିଲେଖାଗାରରେ ପୃଥିବୀର ବିଭିନ୍ନ ଦେଶର ବିଭିନ୍ନ ଭାଷାର ୧ ଲକ୍ଷ ୫୦ ହଜାରରୁ ଅଧିକ ପ୍ରାଚୀନ ଓ ଆଧୁନିକ ପୁସ୍ତକ, ପତ୍ରପତ୍ରିକା (ସ୍ବାଧୀନତା ପୂର୍ବର ୧୦ ହଜାର ବିରଳ ପୁସ୍ତକ) ଶତାଧିକ ପୁରୁଣା ସମ୍ବାଦପତ୍ର, ଗଡ଼ଜାତ ଓ ବ୍ରିଟିସ୍‌ ରାଜତ୍ବ ସମୟର ଶତାଧିକ ଦସ୍ତାବିଜ୍‌ ଓ ରେକର୍ଡପତ୍ର, ପ୍ରସିଦ୍ଧ ବରପୁତ୍ରମାନଙ୍କର ଶତାଧିକ ଚିଠିପତ୍ର, ଗବେଷଣା ନିବନ୍ଧ ରହିଛି। ସେମିତି ସଂଗ୍ରହାଳୟର ୫୦ ଗୋଟି ବିଭାଗରେ ୫ ହଜାର ତାଳପତ୍ର ଏବଂ ଚିତ୍ର ପୋଥି, ଚନ୍ଦ୍ରମଣ୍ଡଳର ପଥର, ରାଣୀ ଭିକ୍ଟୋରିଆଙ୍କ ୧୮୦୨ ମସିହାର ସ୍ବର୍ଣ୍ଣ ମୁଦ୍ରା ସହିତ ଦେଶ ବିଦେଶର ଶହଶହ ଦୁର୍ଲଭ ପଦାର୍ଥମାନ ସଂଗୃହୀତ ହୋଇ ରହିଛି।

କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ପ୍ରଫେସର ଡ. ଜୋଆନା ଉଇଲିୟମସ୍‌ ପ୍ରଥମେ ୧୯୭୯ରେ ଦାସିଆ ଅଜାଙ୍କ ପ୍ରସିଦ୍ଧ ସମ୍ଭାରକୁ ଦେଖି ଅତ୍ୟନ୍ତ ଆଶ୍ବର୍ଯ୍ୟାନ୍ବିତ ଏବଂ ବିସ୍ମିତ ହୋଇଥିଲେ। ଆଜି ନୟାଗଡ଼, ଦଶପଲ୍ଲାର ବଣପାହାଡ଼ ଜଙ୍ଗଲଘେରା ଉଦୟପୁର ଗାଁରେ ଥିବା ଦାସିଆ ଅଜାଙ୍କ ପାଠାଗାର, ସଂଗ୍ରହାଳୟକୁ ରାଜ୍ୟ ଏବଂ ଦେଶ ବିଦେଶର ଗବେଷକ, ଦର୍ଶକ, ପର୍ଯ୍ୟଟକ, କବି, ଲେଖକ, ସାହିତ୍ୟିକ ଏବଂ ବୁଦ୍ଧିଜୀବୀମାନେ ଆସୁଛନ୍ତି ଏବଂ ଉଭୟ ଚକିତ ତଥା ପୁଲକିତ ହେଉଛନ୍ତି। ଦାସିଆ ଅଜାଙ୍କ ପରେ ତାଙ୍କ ସୁଯୋଗ୍ୟ ନାତି ଦୀପକ ଅତ୍ୟନ୍ତ ନିଷ୍ଠାର ସହିତ ଅଜାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସମଗ୍ର ଓଡ଼ିଶା ବୁଲି ଆହୁରି ବିରଳ ପୁସ୍ତକ ଓ ଦ୍ରବ୍ୟ ସଂଗ୍ରହ କରି ପାଠାଗାର ସଂଗ୍ରହାଳୟକୁ ପରିପୂର୍ଣ୍ଣ କରିବାରେ ଲାଗିଛନ୍ତି।

ଓଡ଼ିଶାର ଏହି ବିରଳ ବରପୁତ୍ରଙ୍କ ସ୍ମୃତି ରକ୍ଷା ଲାଗି ଓଡ଼ିଶା ସରକାର ପଦକ୍ଷେପ ନିଅନ୍ତୁ। ଦାସିଆ ଅଜାଙ୍କ ଦ୍ବାରା ସ୍ଥାପିତ ପାଠାଗାର ଓ ସଂଗ୍ରହାଳୟକୁ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଲାଗି ସରକାରୀ ଉଦ୍ୟମ ହେଉ। ଦାସିଆ‌ ଅଜାଙ୍କ ଜୀବନୀ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ସ୍ଥାନିତ ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe