ପ୍ରେମାବତାର ପରମହଂସ ଯୋଗାନନ୍ଦ

Advertisment

୧୩୦ତମ ଜୟନ୍ତୀ ଉପଲକ୍ଷେ

୧୩୦ତମ ଜୟନ୍ତୀ ଉପଲକ୍ଷେ

ପ୍ରେମାବତାର ପରମହଂସ ଯୋଗାନନ୍ଦ

“ମୁଁ ବାରମ୍ବାର ଆସିବି! ଯଦି ଆବଶ୍ୟକ ହୁଏ ଶତପରାର୍ଦ୍ଧ ଥର ଆସିବି, ଯେପର୍ଯ୍ୟନ୍ତ ମୋ ଜାଣତରେ ଜଣେ କେହି ଭ୍ରାନ୍ତ ଭାଇ ରହିଯାଇଛି।”- ‘ସଙ୍ଗସ୍ ଅଫ୍ ଦି ସୋଲ୍’ କବିତାରେ ପରମହଂସ ଯୋଗାନନ୍ଦ ଏହି ପ୍ରତିଜ୍ଞା କରିଛନ୍ତି। ‘ଯୋଗୀର ଆତ୍ମଚରିତ’ ପୁସ୍ତକ ହେଉଛି ପ୍ରାଚୀନ ଭାରତର ଯୋଗବିଜ୍ଞାନର ପୁନଃସ୍ଥାପନା ନିମିତ୍ତ ବିଶ୍ୱବାର୍ତ୍ତା। ‘ପାଶ୍ଚାତ୍ୟର ଯୋଗର ପିତା’ ଭାବରେ ଜଣାଶୁଣା ଶ୍ରୀଶ୍ରୀଯୋଗାନନ୍ଦ ଜାନୁଆରି ୫ ତାରିଖରେ ଗୋରଖପୁରରେ ଜନ୍ମଗ୍ରହଣ କରିଥିଲେ l ତାଙ୍କର ବାଲ୍ୟ ନାମ ଥିଲା ମୁକୁନ୍ଦଲାଲ ଘୋଷ।

ଯୋଗାନନ୍ଦଙ୍କ ପିତା ଭଗବତୀ ଚରଣ ଘୋଷ (ବଙ୍ଗଳା ନାଗପୁର ରେଳବାଇର ଜଣେ ଉଚ୍ଚ ପଦାଧିକାରୀ) ଏବଂ ମାତା ଜ୍ଞାନପ୍ରଭା ଘୋଷ ଯେତେବେଳେ ତାଙ୍କର ଶିଶୁପୁତ୍ରକୁ ବନାରସ ସ୍ଥିତ ଲାହିଡୀ ମହାଶୟଙ୍କ ନିକଟକୁ ନେଇ ଯାଇଥିଲେ, ସେତେବେଳେ ସେହି ମହାନ୍ ଯୋଗୀ ଶିଶୁକୁ ତାଙ୍କ କୋଳରେ ଧରି ଏବଂ ତା’ର କପାଳରେ ହାତ ରଖି ଏହି ପବିତ୍ର ଭବିଷ୍ୟବାଣୀ କରିଥିଲେ, “ସାନମା! ତୁମର ପୁଅ ଜଣେ ଯୋଗୀ ହେବ। ଆଧ୍ୟାତ୍ମିକ ଇଞ୍ଜିନ୍ ଭାବରେ ସେ ଅନେକ ଆତ୍ମାଙ୍କୁ ଈଶ୍ୱରଙ୍କ ରାଜ୍ୟକୁ ନେଇଯିବ।”

ଯୁବ ମୁକୁନ୍ଦ ଈଶ୍ୱରୀୟ ଅନୁରାଗ ସହିତ ଗୁରୁ ଅନ୍ୱେଷଣରେ ବାହାରିଥିଲେ ଯିଏ ତାଙ୍କ ହୃଦୟରେ ଥିବା ସର୍ବୋଚ୍ଚ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ବାଟ ଦେଖାଇବେ। ଶିଷ୍ୟ ଯେତେବେଳେ ନିଜ ଗୁରୁଙ୍କୁ ବ୍ୟଗ୍ରତାର ସହିତ ଖୋଜୁଥିଲେ, ସେତେବେଳେ ଗୁରୁ ମଧ୍ୟ ଶିଷ୍ୟର ଆଗମନ ବାଟକୁ ଚାହିଁ ବସିଥିଲେ। ଶେଷରେ ଏକ ଶୁଭ ମୁହୂର୍ତ୍ତରେ ଯେତେବେଳେ ମୁକୁନ୍ଦ ଶ୍ରୀଯୁକ୍ତେଶ୍ୱର ଗିରିଙ୍କ ଚୁମ୍ବକୀୟ ପରିଧି ମଧ୍ୟକୁ ଆକର୍ଷିତ ହେଲେ, ସେତେବେଳେ ସେହି ସଂଜେତାନ୍ଦ୍ରିୟ ଜ୍ଞାନବତାର ବାରମ୍ବାର ଆନନ୍ଦିତ ହୋଇପଡିଲେ ଏବଂ ବଙ୍ଗଳା ଭାଷାରେ କହି ଉଠିଲେ, ‘‘ହେ ମୋର ଆପଣାର, ତୁମେ ମୋ ପାଖକୁ ଆସିଛ!… ମୁଁ ତୁମକୁ କେତେ ବର୍ଷ ହେଲା ଅପେକ୍ଷା କରିଛି!’’

ଏହାପରେ ମହାଶୟଙ୍କ ଅଧୀନରେ ଏକ ଦଶନ୍ଧିର କଠିନ ଶିକ୍ଷାଗ୍ରହଣ ପରେ ମୁକୁନ୍ଦଙ୍କୁ ସନ୍ନ୍ୟାସ ସଂପ୍ରଦାୟର ସ୍ୱାମୀ ଦୀକ୍ଷାରେ ଦୀକ୍ଷିତ କରାଯାଇଥିଲା। ତା’ପରଠାରୁ ସେ ସ୍ୱାମୀ ଯୋଗାନନ୍ଦ ନାମରେ ପରିଚିତ ହୋଇଥିଲେ। ଆଦର୍ଶ ଯୁବାବସ୍ଥାର ସାମଗ୍ରିକ ବିକାଶର ଲକ୍ଷ୍ୟ ନେଇ ଯୋଗାନନ୍ଦଜୀ ୧୯୧୭ ମସିହାରେ ସାତଜଣ ପିଲାଙ୍କୁ ନେଇ ଦିହିକାରେ ବାଳକମାନଙ୍କ ପାଇଁ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ବର୍ଷକ ପରେ ରାଞ୍ଚିରେ ଥିବା କାସିମବଜାର ରାଜପ୍ରାସାଦ ତାଙ୍କ ପ୍ରଶିକ୍ଷା ବିତରଣର କ୍ଷେତ୍ର ହୋଇଥିଲା। ଯୋଗଦା ସତ୍‌ସଙ୍ଗ ସୋସାଇଟି ଅଫ୍ ଇଣ୍ଡିଆ (ୱାଇଏସ୍‌ଏସ୍‌)ର ଏହା ଥିଲା ଶୁଭାରମ୍ଭ, ଯାହାର ମୂଳ ଉଦ୍ଦେଶ୍ୟ ଥିଲା ‘ମାନବଜାତିକୁ ଏକ ବୃହତ୍‌ ପରିବାର ଭାବରେ ସେବା କରିବା।’ ଶହେ ବର୍ଷରୁ ଅଧିକ ସମୟ ଧରି, ସମୟର ଉତ୍ଥାନପତନ ସହ ତାଳଦେଇ ଏହି ସଂଗଠନ ଏହାର ଆଶ୍ରମ ଏବଂ ଧ୍ୟାନ କେନ୍ଦ୍ରଗୁଡିକ ମାଧ୍ୟାମରେ କାର୍ଯ୍ୟ କରି ଆସୁଛି।

୧୯୨୦ରେ ଯୋଗାନନ୍ଦଜୀଙ୍କୁ ଆମେରିକାର ଏକ ଅନ୍ତର୍ଜାତୀୟ ଧାର୍ମିକ ଉଦାରବାଦୀ କଂଗ୍ରେସରେ ପ୍ରତିନିଧିତ୍ବ କରିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେପରେ ସେ ଲସ୍ ଏଞ୍ଜେଲସରେ ଏହାର ମୁଖ୍ୟାଳୟର ସ୍ଥାପନା ସହିତ ‘ସେଲ୍ଫ୍ ରିୟଲାଇଜେସନ୍ ଫେଲୋସିପ୍’ (ଏସ୍‌ଆରଏଫ୍‌) ପ୍ରତିଷ୍ଠା କରିଥିଲେ।
ତାଙ୍କ ଶିକ୍ଷାର ମୂଳତତ୍ତ୍ୱ ହେଲା, ଧ୍ୟାନର ଶକ୍ତିଶାଳୀ କୌଶଳ ପ୍ରଣାଳୀର ପ୍ରୟୋଗ - କ୍ରିୟାଯୋଗ ବିଜ୍ଞାନ। ଏହି ପ୍ରାଚୀନ ବିଜ୍ଞାନ ଭଗବଦ୍ ଗୀତାରେ ଉଲ୍ଲେଖ କରାଯାଇଛି। ଆତ୍ମ-ପ୍ରୟାସ ଏବଂ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଉଚ୍ଚ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବା ପାଇଁ ଏହା ଏକ ଶକ୍ତିଶାଳୀ ପଦ୍ଧତି। ଆତ୍ମୀୟତାର ସହ ଏହାର ପ୍ରୟୋଗ ଯୋଗାନନ୍ଦଜୀଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା। ଯଥାର୍ଥରେ ଏହା ଥିଲା ଜୀବନର ଯୁଦ୍ଧକ୍ଷେତ୍ରରେ ସମସ୍ତଙ୍କୁ ଏବଂ ସମସ୍ତ ପରିସ୍ଥିତିକୁ ଜଣେ ‘ବୀର’ର ସାହସ ଏବଂ ବିଜେତାର ଉତ୍‌ଫୁଲ୍ଲତା ସହିତ ସାକ୍ଷାତ୍ କରିବା।

ସନ୍ଧ୍ୟା ଏସ୍ ନାୟାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe