ଗୀତା ହୋତା : ଏକ ସମର୍ପିତ ଜୀବନ

Advertisment

ଏକାଦଶାହ ଉପଲକ୍ଷେ - ପୀତବାସ ରାଉତରାୟ

ଏକାଦଶାହ ଉପଲକ୍ଷେ - ପୀତବାସ ରାଉତରାୟ

ଗୀତା ହୋତା : ଏକ ସମର୍ପିତ ଜୀବନ

ଓଡ଼ିଶାର ସାହିତ୍ୟ, ସଂସ୍କୃତି ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟିତା ବିଶିଷ୍ଟ ସାହିତ୍ୟିକା, ଅନୁବାଦିକା, ସଂପାଦିକା ତଥା ସଙ୍ଗଠିକା ଗୀତା ହୋତାଙ୍କ ଜୀବନଯାତ୍ରା ଅନୁଧ୍ୟାନ କଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ବାଲ୍ୟ ବୟସରୁ ସେ ପୁରୀ କଲେଜରେ ପାଠ ପଢ଼ୁଥିବା ସମୟରେ ସାତକଡ଼ି ହୋତାଙ୍କୁ ବିବାହ କରି କୌଣସି ସ୍କୁଲ୍ ବା କଲେଜରେ ପ୍ରବେଶ ନକରି ବ୍ୟକ୍ତିଗତ ଉଦ୍ୟମରେ ଶିକ୍ଷାଅର୍ଜନ କରି ସାହିତ୍ୟ ରାଜ୍ୟରେ ନିଜ ପାଇଁ ଏକ ସାରସ୍ୱତ ପରିଚୟ ସୃଷ୍ଟି କରିପାରିଥିଲେ। ସାତକଡ଼ି ହୋତାଙ୍କ ସାହିତ୍ୟ ରଚନା ସହ ତାଳଦେଇ ଏହି ସାରସ୍ୱତ ସାଧିକା ଜୀବନକାଳ ମଧ୍ୟରେ ଗଳ୍ପ, ଉପନ୍ୟାସ, କବିତା, ଭ୍ରମଣ ସାହିତ୍ୟ, ଶିଶୁ ସାହିତ୍ୟ, ଆତ୍ମଜୀବନୀ, ପ୍ରବନ୍ଧ ତଥା ସ୍ତମ୍ଭ ରଚନା କରି ୧୫ଟି ପୁସ୍ତକ ଉପହାର ଦେଇ ସମୃଦ୍ଧ କରିଛନ୍ତି ଓଡ଼ିଆ ସାରସ୍ୱତ ଭଣ୍ଡାରକୁ। ତାଙ୍କର ସବୁଠାରୁ ବଡ଼ ଅବଦାନ ହେଲା ‘ଅମୃତାୟନ’ ଭଳି ଲୋକପ୍ରିୟ ମାସିକ ପାରିବାରିକ ପତ୍ରିକାକୁ ସେ ଦୀର୍ଘ ୪୨ ବର୍ଷ ଧରି ସମ୍ପାଦନା କରି ଆସୁଥିଲେ। ସାତକଡ଼ି ହୋତା ଭାରତୀୟ ରେଳବାଇ ସେବାରେ ଯୋଗଦେଇ ଭାରତର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହେବା ସମୟରେ ଶ୍ରୀମତୀ ହୋତା ତାଙ୍କର ସହାୟତାରେ ସବୁସ୍ଥାନରେ ଓଡ଼ିଶାର ସଂସ୍କୃତିକୁ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନା କରି ଓଡ଼ିଶା ମାଟିର ଟେକ ରଖିଛନ୍ତି ଏପରିକି ସେହି ସ୍ଥାନମାନଙ୍କରେ ପତିପତ୍ନୀ ମିଳିତ ଅଭିନୟ ମଧ୍ୟ କରିଛନ୍ତି।

ସାତକଡ଼ି ହୋତା ଓଡ଼ିଶାରେ ଆସି ରେଳବିଭାଗରେ ଉଚ୍ଚପଦବିରେ ଅବସ୍ଥାପିତ ହେବା ସମୟରେ ଗୀତା ହୋତାଙ୍କ ପ୍ରଚେଷ୍ଟା ଫଳରେ ମହିଳା ସମିତି ମାଧ୍ୟମରେ ମହିଳା ସଶକ୍ତିକରଣ, ଶିକ୍ଷାର ପ୍ରସାର, ସାଂସ୍କୃତିକ ବିକାଶ ଏପରିକି କୁଷ୍ଠରୋଗ ନିବାରଣ ଅଭିଯାନରେ ସାମିଲ ହୋଇଥିଲେ। ଜଟଣୀଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ, କଲେଜ ସ୍ଥାପନ, କଟକରେ ରେଳବାଇ କର୍ମଚାରୀଙ୍କ କନ୍ୟାମାନଙ୍କ ପାଇଁ ଛାତ୍ରୀନିବାସ ସ୍ଥାପନ ଭଳି କାର୍ଯ୍ୟ ଥିଲା ତାଙ୍କର ପ୍ରଚେଷ୍ଟାର ଫଳ। ତାଙ୍କର ସାଙ୍ଗଠନିକ ଦକ୍ଷତାରେ ମୁଗ୍‌ଧ ହୋଇ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କୁ ଓଡ଼ିଶା ମହିଳା କଂଗ୍ରେସର ସଭାନେତ୍ରୀ ପଦରେ ଅବସ୍ଥାପିତ କରିଥିଲେ। ନିକଟରେ ରଜତଜୟନ୍ତୀ ପାଳନ ହୋଇଥିବା ‘କଳିଙ୍ଗ ପୁସ୍ତକ ମେଳା’ର ସେ ଥିଲେ ସଭାପତି। ନିଜର ସାମଗ୍ରିକ ସାହିତ୍ୟ କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ ଓ ବହୁ ସାରସ୍ୱତ ସଂସ୍ଥା ଦ୍ୱାରା ସମ୍ମାନୀତ ହୋଇଥିଲେ।

ସେ ଥିଲେ ଅତ୍ୟନ୍ତ ମେଳାପୀ ଓ କର୍ମଚଞ୍ଚଳା। ଦୀର୍ଘ୪୨ ବର୍ଷ ମଧ୍ୟରେ ସେ ବହୁ ଲେଖକ ଲେଖିକା ସୃଷ୍ଟି କରିଛନ୍ତି କାରଣ ‘ଅମୃତାୟନ’ ପତ୍ରିକା ଥିଲା ସାହିତ୍ୟର ଅନ୍ତୁଡ଼ିଶାଳ। ତାଙ୍କର ଉପସ୍ଥିତ ବୁଦ୍ଧିକୁ ସାତକଡ଼ି ହୋତା ତାଙ୍କ ଆତ୍ମଜୀବନୀରେ ବର୍ଣ୍ଣନା କରି ଲେଖିଛନ୍ତି, ଥରେ ଓଡ଼ିଶା ବାହାରେ ଥିବା ସମୟରେ ପଶ୍ଚିମବଙ୍ଗର ରେଳବାଇ କର୍ମଚାରୀଙ୍କ ଏକ ବିରାଟ ଆନ୍ଦୋଳନ ହୋଇଥିଲା। ସେଥିରେ ବିକ୍ଷୋଭକାରୀମାନେ ସାତକଡ଼ି ହୋତା ଓ ତାଙ୍କ ସହିତ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଟେଲିଫୋନ୍ ଲାଇନ୍ ସବୁ କାଟି ଦେଇଥିଲେ। କେବଳ ସେମାନଙ୍କୁ ଘରୁ ଖାଇବା ମଗାଇ ଖାଇବା ପାଇଁ ଅନୁମତି ଦେଇଥିଲେ। ଗୀତା ହୋତା ସ୍ୱାମୀଙ୍କୁ ଖାଇବାକୁ ଦେଇଥିବା ଟିଫିନ୍ ଡବା ଭିତରେ ଲେଖି ପଠାଇଥିଲେ ‘ବ୍ୟସ୍ତ ହେବ ନାହିଁ ପୋଲିସ୍‌କୁ ଖବର ଦିଆଗଲାଣି ସବୁ ଠିକ୍ ହୋଇଯିବ’, ଏ ଥିଲା ମୋବାଇଲ୍ ନଥିବା ସମୟର ଘଟଣା ଓ ଗୀତା ହୋତାଙ୍କ ବୁଦ୍ଧିମତାର ପରିଚୟ।

ଏହି ମହିୟସୀ ମହିଳାଙ୍କ ୮୫ ବର୍ଷ ବୟସରେ ତିରୋଧାନ ଓଡ଼ିଆ ଜାତି ପାଇଁ ଅପୁରଣୀୟ କ୍ଷତି । ତାଙ୍କର ଆତ୍ମାର ସଦ୍‌ଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା।

ମୋ : ୯୪୩୭୫୭୪୪୯

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe