ନୂଆଦିଲ୍ଲୀ: ସିନ୍ଦୂରା ଫାଟିଲା, ସୂରୁଜ ଉଇଁଲା ଆଉ ଭାରତ ମାତା ନୂଆ ସକାଳ ଦେଖିଲା । ସିନ୍ଦୂରା ଫାଟିବା ଆଗରୁ ‘ଅପରେସନ ସିନ୍ଦୂର’ ଆତଙ୍କୀଙ୍କ ଖେଳ ଖତମ୍ କରିଦେଲା ଆଉ ପହଲଗାମ୍ ହମଲାର ପ୍ରତିଶୋଧ କଡା ଗଣ୍ଡା କରି ନେଲା । ଆଜି ମଝି ରାତିରେ ଭାରତୀୟ ସେନା ଖୋଜି ଖୋଜି ଆତଙ୍କୀଙ୍କୁ ମାରିଛନ୍ତି । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ଶିବିର ଉଡାଇ ଦେଇଛନ୍ତି ଆମ ଯବାନମାନେ ଆଉ ଏଥିସହ ଭାରତ ନେଇଛି ପହଲଗାମ୍ ହମଲାର ପ୍ରତିଶୋଧ ।

Advertisment

ଆତଙ୍କୀଙ୍କ ଉପରେ ଭାରତ ଶକ୍ତ ପ୍ରହାର କରି ପାକ୍ ମାଟିରେ ଶିବିର ଛାରଖାର କରିବା ପରେ ପାକିସ୍ତାନ ଥରହର ହୋଇଛି ।  ‘ଅପରେସନ ସିନ୍ଦୂର’ ଜରିଆରେ ୯ଟି ଟାର୍ଗେଟ୍ କରିଛି । ଯେଉଁଥିରେ ଶତାଧିକ ଆତଙ୍କୀ ସଫା ହୋଇଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣ ଭାରତ ମାଟିରୁ କେବଳ ଆତଙ୍କ ଶିବିରକୁ କରାଯାଇଥିବା ବେଳେ ପାକିସ୍ତାନର ସେନା କ୍ୟାମ୍ପ କିମ୍ବା ନାଗରିକଙ୍କ ଉପରେ କରାଯାଇନଥିବା ସ୍ପଷ୍ଟ କରିଛି ସେନା ।

ତେବେ ଅଧ ରାତିରେ ସୁଖୋଇ-ରାଫେଲରୁ ଦିଆଗଲା ଆତଙ୍କୀଙ୍କୁ ରକ୍ତର ଜବାବ । ଏୟାର ଷ୍ଟ୍ରାଇକରେ ସାମିଲ ଥିଲେ ୮ଟି ସୁଖୋଇ, ୪ଟି ରାଫେଲ । ବ୍ରହ୍ମୋସ୍ ମିସାଇଲ ମାଡ଼ରେ ମାଟିରେ ମିଶିଲା ଆତଙ୍କୀ ଆଡ୍ଡା । ସେପଟେ ଭାରତର ଆକ୍ରମଣ ପରେ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ସବୁଠି ଭୟ ଆତଙ୍କର ବାତାବରଣ । ଲାହୋର ଏୟାରପୋର୍ଟରେ ଏମର୍ଜେନ୍ସି  ଘୋଷଣା ହୋଇଛି । ଏପଟେ ଶ୍ରୀନଗର ବିମାନବନ୍ଦରକୁ ମଧ୍ୟ ଯାତ୍ରୀଙ୍କ ପାଇଁ ବନ୍ଦ କରାଯାଇଛି ।

ଅଧିକ ପଢନ୍ତୁ: ଏଲଓସିରେ ଗୁଳିମାଡ଼, ୩ ଜଣଙ୍କ ମୃତ୍ୟୁ...

ପହଲଗାମ୍ ପ୍ରତିଶୋଧ ନେଇ ଭାରତ ମୃତକଙ୍କ ପରିବାରକୁ ନ୍ୟାୟ ଦେଇଥିବା ବେଳେ ଭାରତବାସୀ ଏକ ନୂଆ ସକାଳ ଦେଖିଛନ୍ତି । ରାତି ପାହିବା ଆଗରୁ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କୁ ନିପାତ କରି ପାକିସ୍ତାନକୁ ପାନେ ଦେଇଛି ଭାରତ । ଯାହା ରାତି ପାହିବା ପରେ ଭାରତୀୟ ଶୁଣି ଖୁସି ଜାହିର କରିଛନ୍ତି । 

ଜାମ୍ମୁ କାଶ୍ମୀରରେ ଭାରତ ମାତା କି ଜୟ... ଏବଂ ଭାରତୀୟ ଯବାନ ଜିନ୍ଦାବାଦ ନାରାରେ କମ୍ପିଛି ପରିବେଶ । ସମସ୍ତେ ଭାରତୀୟ ସେନାର ସାହସ ଏବଂ ଆକ୍ରମଣକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ଭାରତ ପାକିସ୍ତାନ ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଥିବାରୁ ସମସ୍ତେ ଖୁସି ଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି ।