ଖୋଲା ଝରକା: ମରୁଭୂମିରେ ରହୁଥିବା ମାଛ

ଖୋଲା ଝରକା: ମରୁଭୂମିରେ ରହୁଥିବା ମାଛ

ITV Hub

ଅଷ୍ଟ୍ରେଲିଆର ମରୁଭୂମିର ସ୍ବଚ୍ଛ ଜଳସ୍ରୋତରେ ଏକ ମାଛ ରହେ ଯାହାର ନାମ ‘ଡେଜର୍ଟ ରେନ୍‌ବୋ ଫିସ୍‌’। ବୈଜ୍ଞାନିକ ନାଁ ‘ମେଲାନୋଟେନିୟା ସ୍ଲେଡିଡା ଟେଟେଇ’। ଏ କେବଳ ମରୁଭୂମିରେ ବାସ କରେ। କିନ୍ତୁ ଏଭଳି ପରିସ୍ଥିତିରେ ମାଛଟି କେମିତି ରହୁଛି, ଏକ ସଦ୍ୟ ଅଧ୍ୟୟନରେ ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରିଛନ୍ତି। ଏତେ ଉତ୍ତପ୍ତ ସ୍ଥିତିରେ, ଅର୍ଥାତ୍‌ ବିପରୀତ ପରିସ୍ଥିତିରେ ଜୀବିତ ରହୁଥିବା ଜୀବ ନିଜକୁ କେମିତି ସମ୍ଭାଳୁଛି ତାହା ଜାଣିବାର ଥିଲା। ମଧ୍ୟ ଅଷ୍ଟ୍ରେଲିଆ ଏଭଳି ଏକ କ୍ଷେତ୍ର, ଯେଉଁଠି ଅନେକ ବର୍ଷ ଧରି ବର୍ଷା ହୁଏ ନାହିଁ। ଏ ଅଞ୍ଚଳ ପ୍ରାୟ ୩୦୦ କିଲୋମିଟର ଲମ୍ବା ଓ ଚଉଡ଼ା। ଏଠାରେ କିଛି ହାତଗଣତି ସମୁଦାୟର ଲୋକ ବାସ କରନ୍ତି। କାରଣ ଏ ଅଞ୍ଚଳ ଶୁ‌ଷ୍କ। ଏତେ ଉତ୍ତପ୍ତ ଅଞ୍ଚଳର ଜଳ ସ୍ରୋତରେ କୌଣସି ମାଛ ତିଷ୍ଠିବା ସହଜ ନୁହେଁ। ଡେଜର୍ଟ ରେନ୍‌ବୋ ଫିସ୍‌ ପ୍ରାୟ ୪ ଇଞ୍ଚ ଲମ୍ବା ହୋଇଥାଏ। ଏମାନଙ୍କ ସଂଖ୍ୟା ବହୁତ କମ୍‌। ଫ୍ଲିଣ୍ଡର୍ସ ୟୁନିଭର୍ସିଟିର ପ୍ରଫେସର ଲୁସିୟାନୋ ବେରେଗେରେ ଓ ତାଙ୍କ ଟିମ୍‌ ଡେଜର୍ଟ ରେନ୍‌ବୋ ଫିସ୍‌ ଉପରେ ଅଧ୍ୟୟନ କରିଛନ୍ତି। ରିପୋର୍ଟ ଅନୁସାରେ ଡେଜର୍ଟ ରେନ୍‌ବୋ ଫିସ୍‌ରେ ମାତ୍ର ୮ଟି ଏଭଳି ଜିନ୍‌ ଅଛି, ଯାହା ତାକୁ ବିପରୀତ ପରିସ୍ଥିତିରେ ରହିବାର କ୍ଷମତା ପ୍ରଦାନ କରିଛି। ଯଦି କେବେ କେବେ ବର୍ଷା ହୁଏ ତାହା ତାଙ୍କ ପାଇଁ ଲାଭ ହୁଏ। ଭିନ୍ନ ଭିନ୍ନ ସ୍ଥାନରେ ପରସ୍ପରଠୁ ବହୁତ ଦୂରରେ ଏମାନେ ରହନ୍ତି।

କଥା-ଫରୁଆ: ଛାଇ ପଡ଼ିଲେ ନାହି ଡେଇଁବା

ପ୍ରାଚୀନ ବୈଦ୍ୟଶାସ୍ତ୍ରରେ ନାଭି ବା ନାହିକୁ ଶରୀରର ସବୁଠାରୁ ଶ୍ରେଷ୍ଠ ଗ୍ରନ୍ଥି ଭାବରେ ଗ୍ରହଣ କରାଯାଇଛି। ଶିଶୁଟିଏ ଯେତେବେଳେ ମାଆ ପେଟରେ ଥାଏ ସେତେବେଳେ ଏହି ନାଭିସହ ଯୋଡ଼ା ନଳି ବାଟେ ସେ ଖାଦ୍ୟ ସଂଗ୍ରହ କରେ। ସେତେବେଳେ ତା’ର ପାଟି କାମ କରି ନଥାଏ। ଜନ୍ମ ହେଲାପରେ ଏ ନାଭି ନାଡ଼କୁ କାଟି ଦିଆଯାଏ। ହେଲେ ଏ ନାଭି ମଣ୍ଡଳ ହିଁ ଶରୀରର ସବୁଠାରୁ ଅଧିକ ସ୍ପର୍ଶକାତର ଅଂଶ ବୋଲି ଅନେକ ବିବେଚନା କରନ୍ତି। ଅନ୍ୟ ପକ୍ଷରେ ଆମ ଦେହ କେତେକ ବାହ୍ୟ ପରିବର୍ତ୍ତନ ବା ପ୍ରଭାବ ପ୍ରତି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରେ। ଯେମିତି କେତେକଙ୍କୁ ଥାଏ ସକାଳ ଆଲର୍ଜି ବା ଡଷ୍ଟ୍‌ ଆଲର୍ଜି। ଅର୍ଥାତ୍‌ କିଛି କିଛି ପଦାର୍ଥକୁ ଶରୀର ଗ୍ରହଣ କରେ ନାହିଁ। ଏ ଭଳି ଅନୁଭବକୁ କେହି କେହି ନାହି ଡେଇଁବା କହିଥାନ୍ତି। ଅତଏବ ନାପସନ୍ଦର ବ୍ୟକ୍ତିଙ୍କୁ ଉପଲକ୍ଷ ଦେଇ କୁହାଯାଏ- ‘‘ତାଙ୍କର ଛାଇ ପଡ଼ିଲେ ୟାଙ୍କର ନାହି ଡେଉଁଛି।’’

ଶବ୍ଦତୋଡ଼ା: ପଞ୍ଚପର୍ବ

publive-image Current Affairs - Adda247

ପର୍ବପର୍ବାଣି କହିଲେ ଯେ କୌଣସି ଧର୍ମାନୁଷ୍ଠାନକୁ ବୁଝାଏ। ମାତ୍ର ଆଜିକାଲି ସାମାଜିକ ତଥା ସାଂସ୍କୃତିକ ଜୀବନର ବିକାଶ ସହ ଯେତେ ସାଧାରଣ ଉତ୍ସବ ପାଳିତ ହେଉଛି ସେ ସବୁକୁ ଆମେ ପର୍ବ ଭାବରେ ଗ୍ରହଣ କରୁଛୁ। ଧରାଯାଉ ଆମର ସ୍ବାଧୀନତା ଦିବସ ବା ଗଣତନ୍ତ୍ର ଦିବସର କଥା। ଏ ଦୁଇଟି ଆମର ଜାତୀୟ ଉତ୍ସବ। ଆମେ ସମସ୍ତେ ଏ ଦୁଇ ଦିବସକୁ ଆମର ଜାତୀୟ ପର୍ବ ଭାବରେ ମଧ୍ୟ ଗ୍ରହଣ କରିଛୁ। ଅତଏବ ପର୍ବ ମାତ୍ରେ ଉତ୍ସବ। ବହୁବଚନରେ ପର୍ବ ସହିତ ଆମେ ପର୍ବପର୍ବାଣି କହିଥାଉ। ହେଲେ ହିନ୍ଦୁ ମତରେ ତିଥି ଅନୁଯାୟୀ ପ୍ରତି ମାସର ପାଞ୍ଚଗୋଟି ଦିବସକୁ ପ୍ରାୟତଃ ଆମେ ଉତ୍ସବ ଦିବସ ଭାବରେ ପାଳନ କରିଥାଉ। ସେ ପାଞ୍ଚଗୋଟି ତିଥି ହେଲା ପ୍ରତି ମାସର ପାଞ୍ଚଗୋଟି ବିଶିଷ୍ଟ ଦିନ। ଯଥା: ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣମା ଓ ସଂକ୍ରାନ୍ତି। ତେଣୁ ସାଧାରଣତଃ ଦେଖାଯାଏ ଯେ ପାଞ୍ଜିରେ ଏହିଦିନଗୁଡ଼ିକ ସହ କୌଣସି ‌ନା କୌଣସି ନାମ ଯୋଡ଼ା ହୋଇ ରହିଛି। ଯେମିତି ଜନ୍ମାଷ୍ଟମୀ, ଶିବଚତୁର୍ଦ୍ଦଶୀ, ଦୀପାବଳି ଅମାବସ୍ୟା, କୁମାର ପୂର୍ଣ୍ଣିମା, ବିଷୁବ ସଂକ୍ରାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe