ତୁମ କାହାଣୀ: ଶିକ୍ଷୟିତ୍ରୀରୁ ରାଷ୍ଟ୍ରନେତ୍ରୀ

ତସନିମ୍‌ ସୁଲତାନା

ତୁମ କାହାଣୀ: ଶିକ୍ଷୟିତ୍ରୀରୁ ରାଷ୍ଟ୍ରନେତ୍ରୀ

Jagran Josh

ମୟୂରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ଆଦିବାସୀ ଗାଁ ଉପରବେଡା। ଏଇ ଗାଁର ମୁଖିଆ ବିରଞ୍ଚି ନାରାୟଣଙ୍କ ପରିବାରରେ ଏକ ଶିଶୁକନ୍ୟା ଆଖି ଖୋଲିଲା। ସେଦିନ ଥିଲା ଶୁକ୍ରବାର ୧୯୫୮ ମସିହା ଜୁନ ୨୦ ତାରିଖ। ଆଦିବାସୀ ସଂସ୍କୃତିରେ କନ୍ୟାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆ ଯାଇଥାଏ। ପରିବାରରେ ଖେଳିଗଲା ଖୁସିର ପରିବେଶ।

ବିରଞ୍ଚି ଥିଲେ ଉକ୍ତ ସାନ୍ତାଳୀ ଗାଁର ମୁଖିଆ। ଆଦିବାସୀ ସମ୍ପ୍ରଦାୟରେ ନାମସବୁ କେବେ ମରେନି। ତେଣୁ ଉତ୍ତରାଧିକାର ସୂତ୍ରେ ଏହି ଝିଅଟିର ଜେଜେମାଆଙ୍କ ନାମ ରଖାଗଲା। ତାଙ୍କ ପ୍ରାଥମିକ ଶିକ୍ଷା ଗାଁରୁ ଆରମ୍ଭ ହୋଇଥିଲା। ଆଦିବାସୀମାନେ ଉପଯୁକ୍ତ ଶିକ୍ଷା ଓ ନେତୃତ୍ବର ଅଭାବରୁ ସମାଜର ମୁଖ୍ୟସ୍ରୋତରେ ସାମିଲ ନହୋଇ ପାରିବା କଥା ଏଇ ଝିଅ ପିଲାଦିନୁ ବୁଝି ପାରିଥିଲେ। ଏହି ନିଶା ତାଙ୍କୁ ରାଜଧାନୀ ଭୁବନେଶ୍ବରକୁ ଟାଣି ଆଣିଲା।

ଭୁବନେଶ୍ବର ୟୁନିଟ-୨ ରେ ଥିବା ଉଚ୍ଚବିଦ୍ୟାଳୟରେ ତିନି ବର୍ଷ ହାଇସ୍କୁଲ ଶିକ୍ଷା ଜାରି ରହିଥିଲା। ସେ ସେଇ ବିଦ୍ୟାଳୟର ହ‌ଷ୍ଟେଲ୍‌ରେ ରହିବାର ସୁଯୋଗ ପାଇଥିଲେ। ୧୯୭୯ ମସିହାରେ ସେ ରମାଦେବୀ ମହିଳା କଲେଜରେ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମରେ କୃତିତ୍ବରସହ ଉତ୍ତୀର୍ଣ୍ଣ ହେଲେ। ସେଇ ବର୍ଷ ସଚିବାଳୟରେ କନିଷ୍ଠ ସହକାରୀ ପଦ ପାଇ ବେଶ୍‌ ଖୁସି ଥିଲେ। ସେ ପାଖ ଗାଁର ଯୁବ ବ୍ୟାଙ୍କ୍‌ ଅଧିକାରୀ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ।
ତାଙ୍କର ତିନିଟି ସନ୍ତାନ ଥିଲେ। ସ୍ବାମୀଙ୍କ ଅସୁସ୍ଥତା ଯୋଗୁଁ ତାଙ୍କ ସେବା ପାଇଁ ଚାକିରି ଛାଡ଼ିବାକୁ ପଡ଼ିଥିଲା। ପରେ ସେ ବିନା ବେତନରେ ଶିକ୍ଷୟିତ୍ରୀ ଭାବେ ରାଇରଙ୍ଗପୁରର ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ଯୋଗ ଦେଲେ।

ଏତିକିରେ ସେ ଅଟକି ଗଲେନି। ୧୯୯୭ ମସିହାରେ ରାଜ୍ୟକୁ ଉପଯୁକ୍ତ ନେତୃତ୍ବ ପ୍ରଦାନ କରିବା ପାଇଁ ଜନସେବା ଉଦ୍ଦେଶ୍ୟରେ ରାଜନୀତିରେ ଯୋଗଦାନ କଲେ। ଘଟଣାକ୍ରମେ ତାଙ୍କ ଦୁଇ ପୁତ୍ର ସନ୍ତାନଙ୍କ ମୃତ୍ୟୁ ହୋଇଥିଲା। ୨୦୧୪ ମସିହାରେ ସ୍ବାମୀ ମଧ୍ୟ ଚାଲିଗଲେ। ତା’ଙ୍କ ପାଇଁ ପିଲା ଏବଂ ସ୍ୱାମୀଙ୍କ ମୃତ୍ୟୁ ଏକ କଷ୍ଟକର ସମୟ ଥିଲା କିନ୍ତୁ ସେ ହାର ମାନିନଥିଲେ।

ସେ କାଉନସିଲରରୁ ବିଧାୟକ, ମନ୍ତ୍ରୀ ଓ ପରେ ପଡ଼ୋଶୀ ଝାଡଖଣ୍ଡ ରାଜ୍ୟର ପ୍ରଥମ ମହିଳା ରାଜ୍ୟପାଳ ପଦବୀ ଅଳଙ୍କୃତ କରିଥିଲେ। ସେ ଏବେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି(ରାଷ୍ଟ୍ରନେତ୍ରୀ) ପଦରେ ଅଧିଷ୍ଟିତ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଆମ ଦେଶର ପନ୍ଦରତମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।
ନବମ ଶ୍ରେଣୀ
କେଜିଏନ ହାଇସ୍କୁଲ,
କାକଟପୁର,ପୁରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe