ଖୋଲା ଝରକା - ‘@’ର କାହାଣୀ

Advertisment
ଖୋଲା ଝରକା - ‘@’ର କାହାଣୀ

Freeiconspng

କିଛି ବାର୍ତ୍ତା ପ୍ରେରଣ ବେଳେ ଆମେ ବିଭିନ୍ନ ପ୍ରକାରର ସଙ୍କେତ ବ୍ୟବହାର କରିଥାଉ। ଏଥିରେ ବିଭିନ୍ନ ପ୍ରକାରର ଅକ୍ଷର, ସଂଖ୍ୟା ଆଦି ରହିଥାଏ। ସେଥିମଧ୍ୟରୁ @ ର ଚାହିଦା ଅଧିକ। ସୋସିଆଲ ମିଡିଆରେ ଏହାର ବହୁଳ ବ୍ୟବହାର ହୋଇଥାଏ। ତେବେ ଏହା କି ଭଳି ଉଦ୍ଭାବିତ ହେଲା, ଏହା ପଛରେ ଏକ କାହାଣୀ ରହିଛି। @ର ବ୍ୟବହାର ୧୫୩୬ରେ ଆରମ୍ଭ ହୋଇଥିଲା। ସେହି ସମୟରେ ଏହାକୁ ଟ୍ୟାଗ୍‌ କରିବା ପାଇଁ ବ୍ୟବହାର କରାଯାଉନଥିଲା। ଏହାର ପ୍ରଥମ ବ୍ୟବହାର ପ୍ରାଇସ୍‌ ପର୍ ୟୁନିଟ୍‌ ପାଇଁ କରାଯାଇଥିଲା।

ଏହାର ଇତିହାସକୁ ନେଇ ଅନେକ ବର୍ଣ୍ଣନା ରହିଛି। ପ୍ରଥମ ବର୍ଣ୍ଣନା ଅନୁସାରେ ଷଷ୍ଠ ଓ ସପ୍ତମ ଶତାବ୍ଦୀରେ ଏହାକୁ କିଛି ସାଧୁ ବାହାର କରିଥିଲେ। ସେମାନେ ନିଜର ଅନ୍ତ ବିହୀନ ପାଣ୍ଡୁଲିପିକୁ ହାତରେ ନକଲ କରିବାକୁ ନ ପଡ଼ୁ ସେଥିପାଇଁ ବିଭିନ୍ନ ଉପାୟ ଚିନ୍ତା କରିଥିଲେ। ସର୍ଟକଟ୍‌ ପାଇଁ ଲାଟିନ୍‌ ଶବ୍ଦର ବ୍ୟବହାର କରିଥିଲେ, ଯେଉଁଥିରୁ @ର ସୃଷ୍ଟି। ସେହିଭଳି ଆଉ ଏକ ବର୍ଣ୍ଣନା ଅନୁସାରେ ଏହାର ପ୍ରଥମ ବ୍ୟବହାର ଫ୍ରାନ୍ସ୍‌ର ସାମ୍ବାଦିକମାନେ କରିଥିଲେ। ସେମାନେ ଏହାକୁ କୌଣସି ବଡ଼ ଶବ୍ଦ ଲେଖିବାରୁ ବଞ୍ଚିବା ନିମନ୍ତେ କରୁଥିଲେ। ତୃତୀୟ ବର୍ଣ୍ଣନା ଅନୁଯାୟୀ ଏହାର ବ୍ୟବହାର ୧୫୩୬ରେ ଏକ ପତ୍ରରେ କରାଯାଇଥିଲା। ସେତେବେଳେ ଫ୍ଲୋରେଣ୍ଟିନ୍‌ର ବ୍ୟବସାୟୀ ଫ୍ରାନ୍ସେସ୍କୋ ଲିପି ଏକ ପତ୍ର ଲେଖିଥିଲେ। ସେ ଏହି ପତ୍ରରେ ସର୍ଟହ୍ୟାଣ୍ଡ୍‌ ପାଇଁ @ର ବ୍ୟବହାର କରିଥିଲେ। ତେବେ ଏହାପରେ ଅନେକ ଶତାବ୍ଦୀ ଧରି ଏହାର ବ୍ୟବହାର ହୋଇନଥିଲା। ପରେ ୧୯୭୧ ରେ ଏହାର ବ୍ୟବହାର କମ୍ପ୍ୟୁଟର ବୈଜ୍ଞାନିକ ରୟ ତୋମଲିନ୍‌ଶନ୍‌ କରିଥିଲେ। ଉକ୍ତ ବୈଜ୍ଞାନିକଙ୍କୁ ଏକ କାର୍ଯ୍ୟ ଦିଆଯାଇଥିଲା, ସେ ଏହି କାମ କରିବା ସମୟରେ @ର ବ୍ୟବହାର ଆରମ୍ଭ କରିଥିଲେ।

କଥା-ଫରୁଆ- ‘‘ଡିହରେ ବିଲୁଆ ଡେଇଁବା’’

ଘରବାଡ଼ି ଯେଉଁ ଭୂମି ଉପରେ ଗଢ଼ି ଉଠିଥାଏ ତାହାକୁ କୁହାଯାଏ ଡିହ। ଇଂରେଜିରେ ଆମେ ତା’କୁ କହୁ ପ୍ଲଟ୍‌। ଅନ୍ୟ ଦିଗରେ ଘର ନଥିଲେ ବା ଭାଙ୍ଗିଗଲେ ତା’କୁ ମଧ୍ୟ ଡିହ କୁହାଯାଏ। ଡିହରେ ଘର କରି ମଣିଷମାନେ ରହନ୍ତି। ହେଲେ ଡିହରେ ବିଲୁଆ ଡେଇଁବା କଥାଟି କାହିଁକି କୁହାଯାଇଛି? ଯେତେବେଳେ କୌଣସି ପରିବାରର ସମସ୍ତେ ସେ ସ୍ଥାନ ଛାଡ଼ି ଚାଳିଯାଆନ୍ତି କି ମୃତ୍ୟୁମୁଖରେ ପଡ଼ନ୍ତି ବା କୌଣସି କାରଣରୁ ତା’ଙ୍କ ବଂଶ ବୁଡ଼ିଯାଏ ତେବେ ଘରଟି ଆପେ କିଛିକାଳ ପରେ ଭାଙ୍ଗିଯାଏ ଓ ଡିହ ମାତ୍ର ହୋଇ ରହିଯାଏ। ସେଭଳି କ୍ଷେତ୍ରରେ ବିଲୁଆ ଭଳି ଗ୍ରାମ ବା ନଗରବାହାରେ ରହୁଥିବା ଜୀବମାନେ ଆସି ସେଠାରେ ବାସ କରନ୍ତି। ଅତଏବ ‘‘ଡିହରେ ବିଲୁଆ ଡେଇଁବା’’ କଥାଟି ସାଧାରଣରେ ବଂଶଲୋପ କଥାକୁ ହିଁ ବୁଝାଇଥାଏ।

ଶବ୍ଦତୋଡ଼ା - ପତିତପାବନ ବାନା

publive-image Dibyasikha

ସମାଜରେ ଅନେକ ଶ୍ରେଣୀର ବ୍ୟକ୍ତି ବାସ କରନ୍ତି। ଯେଉଁଠି ଜାତିଆଣ ଭାବ ଅଛି ସେଠାରେ ଉଚ୍ଚନୀଚ ଭାବ ତ ରହେ ତେବେ ପ୍ରତିଷ୍ଠା ଓ ଥିବା ନ ଥିବା ଭେଦରେ ଅନେକ ବ୍ୟକ୍ତି ସମାଜବ୍ୟବସ୍ଥାର ତଳେ ରହିଯାଆନ୍ତି। ସେମାନଙ୍କୁ କୁହାଯାଏ ପତିତ। ତେଣେ ପାବନ ଶବ୍ଦଟି ପବିତ୍ରତାକୁ ହିଁ ବୁଝାଇଥାଏ। ଅତଏବ ପତିତପାବନ କହିଲେ ଯାହା ପତିତମାନଙ୍କୁ ପବିତ୍ର କରେ ବା ଉଦ୍ଧାର କରେ। ଓଡ଼ିଶାରେ ଶ୍ରୀ ଜଗନ୍ନାଥଙ୍କୁ କୁହାଯାଏ ପତିତପାବନ। ସେହିଭଳି ଶ୍ରୀମନ୍ଦିର ଉପରେ ଯେଉଁ ଷୋହଳ ହାତର ବାନାଟି ଉଡ଼ୁଥାଏ ତା’କୁ କୁହାଯାଏ ପତିତପାବନ ବାନା। ସ‌େତ ଯେମିତି ସମାଜରେ ଥିବା ଦୁଃଖୀ, ଦରିଦ୍ର ଅସହାୟ ତଥା ଅକ୍ଷମମାନଙ୍କୁ ଉଦ୍ଧାର କରିବା ପାଇଁ ଶ୍ରୀ ଜଗନ୍ନାଥ ଏହି ବାନା ମାଧ୍ୟମରେ ନିଜର ବାର୍ତ୍ତା ଘୋଷଣା କରୁଛନ୍ତି। ବାନା ହେଉଛି ଏକ ପ୍ରତୀକ। ଅତଏବ ପତିତପାବନବାନା କହିଲେ ସେଇ କଥାକୁ ହିଁ ବୁଝାଇଥାଏ। ଆମ ଓଡ଼ିଆ ଭାଷାରେ ପତିତପାବନ ବାନାକୁ ନେଇ ଏକ ସୁନ୍ଦର ଜଣାଣ ଅଛି। ତା’ର ପ୍ରଥମ ପଦଟି ହେଲା- ‘‘ପତିତପାବନବାନା ଅାଉ କେତେବେଳକୁ/ ଭାସିଯାଏ ଭବଜଳେ ନାବ ଦିଅ କୂଳକୁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe