Scientific American
ପାହାଡ଼କୁ ଲାଗି ଏକ ଘଂଚ ଜଂଗଲ ଥିଲା। ଜଗଂଲରେ ଏକ ସୁନ୍ଦର ଝରଣା ବହି ଯାଉଥିଲା। ବର୍ଷାଦିନ ଆରମ୍ଭ ହୋଇଥାଏ। ଜଂଗଲଟି ଗଛଲତାରେ ଭରି ଯାଇଥାଏ ଏବଂ ଅନେକ ବୃକ୍ଷ ବର୍ଷାର ଆଗମନରେ କଅଁଳିଆ ପତ୍ର ଦେଇ ଖୁବ୍ ସୁନ୍ଦର ଦେଖା ଯାଉଥାନ୍ତି। ସେଇ ଜଂଗଲରେ ଅନେକ ଜାତିର ଜୀବଜନ୍ତୁ ବାସ କରନ୍ତି। ତୃଣଭୋଜୀ ପ୍ରାଣୀଙ୍କ ମଧ୍ୟରେ ନୀଳଗାଈ,ଜଂଗଲି ମଇଁଷି, ହରିଣ, ଜେବ୍ରା, ଜିରାଫ୍ ଓ ହାତୀଙ୍କ ସଂଖ୍ୟା ଅଧିକ। ମାଂସଭୋଜୀ ପ୍ରାଣୀଙ୍କ ମଧ୍ୟରେ ସିଂହ ଓ ବାଘଙ୍କ ସଂଖ୍ୟା ଅପେକ୍ଷାକୃତ କମ ଥିବାରୁ ହେଟାବାଘ, ଚିତାବାଘ ଓ ଜଂଗଲି କୁକୁର ସେମାନଙ୍କର ପ୍ରାଧାନ୍ୟ ବିସ୍ତାର କରି ଖୁସିରେ ଦିନ କାଟୁଥାନ୍ତି।
ଦିନେ ଜିରାଫ୍ଙ୍କ ଏକ ଦଳ ଝରଣା କୂଳରେ ଥିବା ବୃକ୍ଷମାନଙ୍କ ନୂଆପତ୍ର ଖାଇ ସେମାନଙ୍କର କ୍ଷୁଧା ମେଣ୍ଟାଉଥାନ୍ତି। ଗୋଟିଏ ଜିରାଫ୍ ନୂଆପତ୍ରର ସ୍ୱାଦରେ ଏତେ ମଗ୍ନ ହୋଇଗଲା ଯେ ତା’ର ସାଥୀମାନେ ତାକୁ ଛାଡ଼ି ଆଗକୁ ବଢ଼ିଗଲେଣି ସେ ଏହା ଜାଣି ପାରିଲା ନାହିଁ। ସେହି ସମୟରେ ଏକ ଚିତାବାଘ ଦଳ ସେଠାରେ ପହଞ୍ଚିଗଲେ ଏବଂ ଜିରାଫ୍କୁ ଏକୁଟିଆ ଦେଖି ତାକୁ ଶିକାର କରିବା ପାଇଁ ଆକ୍ରମଣ ଆରମ୍ଭ କରିଦେଲେ।
ଜିରାଫ୍ଟି ଏହା ଦେଖି ଭୟଭୀତ ହୋଇ ସାଥୀମାନଂକୁ ଖୋଜିଲା ଏବଂ ସାଥୀମାନଙ୍କ ସାହାଯ୍ୟ ଲୋଡ଼ିଲା। କିନ୍ତୁ ସାଥୀମାନେ ବହୁ ଦୂରକୁ ପଳାଇ ଯାଇ ଥିବାରୁ, କେହି କିଛି ଜାଣି ପାରିଲେ ନାହିଁ। ଜିରାଫ୍ଟି ନିଜକୁ ବଞ୍ଚାଇବା ପାଇଁ ମନରେ ଉପାୟ ଚିନ୍ତା କଲା ଏବଂ ପ୍ରତିରକ୍ଷା ପାଇଁ ଚିତାବାଘମାନଙ୍କୁ ତାର ଶକ୍ତ ଗୋଡ଼ରେ ନାତ ମାରିବାକୁ ଲାଗିଲା। ପାଞ୍ଚ ଛଅଟି ଚିତାବାଘ ଭିନ୍ନ ଭିନ୍ନ ଦିଗରୁ ତାକୁ ଆକ୍ରମଣ କରୁଥାନ୍ତି। ସେ କିନ୍ତୁ କାହାକୁ ନିଜ ପାଖକୁ ଆସିବାକୁ ଦେଉ ନଥାଏ ଏବଂ ନିଜର ଶକ୍ତି ଓ ବୁଦ୍ଧିକୁ ଉପଯୋଗ କରି ଚିତାବାଘମାନଙ୍କୁ ଗୋଡ଼ରେ ନାତ ମାରି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥାଏ।
ଜୀବନ ମରଣର ଏ ଯୁଦ୍ଧ ପ୍ରାୟ ଦୁଇଘଣ୍ଟା ଚାଲିଲା। ଜିରାଫ୍ର ସାହସ ଓ ପ୍ରତି ଆକ୍ରମଣରେ ଚିତାବାଘମାନେ କ୍ରମଶଃ ବିବଶ ହୋଇ ପଡ଼ିଲେ। ଆକ୍ରମଣ ନ କଲେ ବି, ଠିକ୍ ସମୟକୁ ଅପେକ୍ଷା କରି ଶିକାର କରିବା ଆଶାରେ ଜିରାଫ୍କୁ ଘେରି ରହିଲେ।
ଠିକ୍ ଏହି ସମୟରେ ଏକ ହାତୀପଲ ଝରଣାର ପାଣି ପିଇବା ପାଇଁ ସେଠାରେ ପହଞ୍ଚିଲେ। ହାତୀପଲଙ୍କୁ ଦେଖି ଚିତାବାଘମାନେ ଭୟଭୀତ ହୋଇ, ସ୍ଥାନ ଛାଡି ଜଙ୍ଗଲ ଭିତରକୁ ପଳାଇଗଲେ। ହାତୀପଲ ପାଣି ପିଇ ଫେରିବା ସମୟରେ, ଜୀରାଫ୍ଟି ସେମାନଙ୍କର ପଥକୁ ଅନୁସରଣ କରି ଜଂଗଲ ଭିତରେ ଯାଉ ଯାଉ ନିଜର ସାଥୀଦଳକୁ ପାଇଗଲା ଏବଂ ନିଜର ସାହସିକତା ପାଇଁ ଜୀବନ ବଞ୍ଚାଇ ପାରି ଥିବାରୁ ନିଜକୁ ଧନ୍ୟ ମନେକଲା।
ତେନ୍ତୁଳିପଦା, ଜଗତସିଂହପୁର
Follow Us