ସଂଚୟର ମୂଲ୍ୟ

ତୁମ ଗଳ୍ପ - ରାମଚନ୍ଦ୍ର ବେହେରା

ସଂଚୟର ମୂଲ୍ୟ

ଳିତ ଗାଆଁ ଛାଡ଼ିଲାଣି ପ୍ରାୟ ପାଂଚବର୍ଷ ହେବ। ଗାଆଁରେ ମୂଲପାତି ନ ମିଳିବାରୁ ପରିବାରକୁ ଚଳେଇବା କଷ୍ଟ ହୋଇପଡ଼ିଥିଲା। ସେଥିପାଇଁ ସହର ତଳି ବସ୍ତିରେ ଏକ ଛୋଟ କୁଡ଼ିଆଘରେ ସେ ରହିଆସୁଛି। ଲଳିତ ଠେଲାରେ ପନିପରିବା ବେପାର କରେ। ସହରର ଗଳିକନ୍ଦି ବୁଲି ବୁଲି ପରିବା ବିକି ଯାହା କିଛି ରୋଜଗାର କରେ ସେଥିରେ ଚଳନ୍ତି ତା’ସ୍ତ୍ରୀ-ବର୍ଷା ଏବଂ ଝିଅ ଖୁସି ଓ ଲୁସି। ଖୁସି ଓ ଲୁସି ପାଖ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ଖୁସି ଷଷ୍ଠ ଓ ଲୁସି ଚତୁର୍ଥ ଶ୍ରେଣୀରେ । ଖାଇବାପିଇବା,ବହିଖାତା,ପୋଷାକପତ୍ର ଓ ପୂନେଇପର୍ବ ପାଇଁ ଲଳିତର ରୋଜଗାର ଅଣ୍ଟେନି। ସେଥିପାଇଁ ବର୍ଷା ପାଖ କଲୋନୀରେ କିଛି ବାବୁଙ୍କ ଘରେ ବାସନମଜା ଓ ଘରପୋଛା କାମ କରୁଛି ଦି-ପଇସା ରୋଜଗାର କରିବା ପାଇଁ। ଖୁସି ଓ ଲୁସି ପରିବାରର ସମସ୍ୟାକୁ ଦେଖି କେବେ ବି କିଛି ମାଗନ୍ତି ନାହିଁ କିମ୍ବା କୁଆଡ଼େ ବୁଲିଯିବାକୁ ଲଳିତକୁ କେବେ ବି ବାଧ୍ୟ କରନ୍ତି ନାହିଁ।

ବର୍ଷାଦିନ ହୋଇଥାଏ। ଲଘୁଚାପ ଯୋଗୁଁ ବର୍ଷା ଲାଗି ରହିଥାଏ। ଲଗାତର ବର୍ଷା ପାଇଁ ପରିବା ଯୋଗାଡ଼ କରିପାରିଲା ନାହିଁ ଲଳିତ। ଘରେ ବସି ଖାଉ ଖାଉ ବେପାରର ମୂଳଧନ ସଂପୂର୍ଣ୍ଣ ଖର୍ଚ୍ଚ ହୋଇଗଲା। ପହିଲି ତାରିଖ ପୂର୍ବରୁ ବାବୁମାନେ ବର୍ଷାକୁ ମାସିକ ଦେୟ ବି ଦିଅନ୍ତି ନାହିଁ। ଘରେ ଛତାଟିଏ ନ ଥିବାରୁ ଓଦା ହୋଇ ବାବୁମାନଙ୍କ ଘରକୁ କାମ କରିବାକୁ ଯାଏ ବର୍ଷା।

ଦିନେ ସକାଳୁ ଖୁସି ଓ ଲୁସି ବିଦ୍ୟାଳୟକୁ ଯିବା ପୂର୍ବରୁ ବର୍ଷାକୁ ଡାକିଲେ କିଛି ଖାଇବାକୁ ଦେବାପାଇଁ। କିନ୍ତୁ ଦେଖିଲା ବେଳକୁ ବୋଉ ଓ ବାପା ଦୁହେଁ ପ୍ରବଳ ଜ୍ୱରରେ କମ୍ପୁଛନ୍ତି। ଏହା ଦେଖି ଖୁସି ଓ ଲୁସି ଦୌଡ଼ିଲେ ପାଖ ସରକାରୀ ଚିକିତ୍ସାଳୟକୁ ଔଷଧ ଆଣିବା ପାଇଁ। କିନ୍ତୁ ଡାକ୍ତର କହିଲେ ରୋଗୀଙ୍କୁ ଏଠାକୁ ଆସିବାକୁ ହେବ। ସେମାନେ ଘରକୁ ଫେରି ବାପା ଓ ବୋଉକୁ ସାଥୀରେ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚିଲେ। ଡାକ୍ତର ଜ୍ୱରର ତୀବ୍ରତା ଦେଖି ଚିଠା ଲେଖିଦେଲେ ଓ କହିଲେ ଔଷଧ ଦୋକାନରୁ ଔଷଧ କିଣିବାକୁ ପଡ଼ିବ। ଘରେ ଟଙ୍କା-ପଇସା ନ ଥିବାରୁ କଣ କରିବେ ବୋଲି କିଛି ବୁଝିପାରିଲେ ନାହିଁ ସେମାନେ।

ହଠାତ୍ ଖୁସିର ମନକୁ ଏକ ଉପାୟ ଆସିଲା। ସେ ଲୁସିକୁ କହିଲା ଆମେ ସାଇତି ରଖିଥିବା ମାଟି କୁମ୍ପିକୁ ଭାଙ୍ଗି ସେଇ ପଇସାରେ ଔଷଧ କିଣି ଆଣିବା। ଚାରି-ପାଞ୍ଚବର୍ଷ ହେଲା କିଛି କିଛି ପଇସା ସେମାନେ ସେଥିରେ ସଂଚୟକରି ରଖି ଆସୁଥିଲେ। କେବେ କେମିତି ବେପାର ଭଲ ହୋଇଥିଲେ,ଲଳିତ ସେମାନଙ୍କୁ କିଛି କିଛି ପଇସା ଖର୍ଚ୍ଚ କରିବାକୁ ଦେଇଥାଏ।

ଖୁସି କଥାରେ ଲୁସି ରାଜି ହେବାରୁ କୁମ୍ପି ଭଙ୍ଗା ହେଲା। କୁମ୍ପିରୁ ଯାହା ମିଳିଲା ସେଥିରେ ଔଷଧ ଖର୍ଚ୍ଚ ହୋଇ, କିଛି ପଇସା ବଳି ପଡ଼ିଲା, ଡାଲି ଓ ଚାଉଳ ପାଇଁ। ଦୁଇଦିନ ଔଷଧ ଖାଇବା ପରେ ଲଳିତ ଓ ବର୍ଷା ଆରାମ ଅନୁଭବ କଲେ ଓ ଧୀରେ ଧୀରେ ସେମାନଙ୍କର ନିତିଦିନିଆ କାମରେ ଲାଗିଗଲେ।
ତେନ୍ତୁଳିପଦା,ଜଗତସିଂହପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe