ବୁଦ୍ଧି ଓ ସାହସ ବଂଚାଏ ପ୍ରାଣ

Advertisment

ତୁମ ଗପ - ରାମଚନ୍ଦ୍ର ବେହେରା

ତୁମ ଗପ - ରାମଚନ୍ଦ୍ର ବେହେରା

ବୁଦ୍ଧି ଓ ସାହସ ବଂଚାଏ ପ୍ରାଣ

Dreamstime.com

ପାହାଡ଼ତଳି ଛୋଟ ଗାଆଁଟିଏ ହରିପୁର। ଗାଆଁକୁ ଲାଗି ରହିଛି ଏକ ଘଞ୍ଚ ଜଙ୍ଗଲ। ଚାଷକାମ ଛଡ଼ା ଗାଆଁର ଲୋକମାନେ ସେମାନଙ୍କର ଜୀବିକା ନିର୍ବାହ ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବୃକ୍ଷଙ୍କ ଗହଣରେ ଅନେକ ପ୍ରକାରର ଜୀବଜନ୍ତୁ ବାସ କରନ୍ତି। ସେମାନଂକ ମଧ୍ୟରେ ହାତୀ ଓ ହରିଣଂକ ସଂଖ୍ୟା ଖୁବ୍ ଅଧିକ।

ଜଙ୍ଗଲରେ ବୃକ୍ଷଙ୍କ ସଂଖ୍ୟା ଧୀରେ ଧୀରେ ଲୋପ ହେଉଥିବାରୁ, ଜୀବଜନ୍ତୁମାନେ ଖାଦ୍ୟ ଆଶାରେ ଜଙ୍ଗଲ ଛାଡ଼ି ଗାଆଁ କ୍ଷେତରେ ଲାଗିଥିବା ଶସ୍ୟକୁ ଖାଇ ନଷ୍ଟ କରିବା ପ୍ରାୟ ସମସ୍ତଂକୁ ଜଣା। ଜଙ୍ଗଲ ମଝିରେ ଦୁଇଟି ନଦୀ ପ୍ରବାହିତ। ଗାଆଁର ଏକ ପାର୍ଶ୍ୱରେ ପିଲାଙ୍କ ପାଠପଢ଼ିବା ପାଇଁ ଏକ ପ୍ରାଥମିକ ବିଦ୍ୟାଳୟ ଅଛି ଓ ବିଦ୍ୟାଳୟର କିଛି ଦୂରରେ ଏକ ଘଞ୍ଚ ବାଉଁଶ ବଣ ସହ ଜଙ୍ଗଲର ସୀମା ଆରମ୍ଭ ହୋଇଛି।

ଗୁଡୁ ଗାଆଁ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼େ। ଶୀତଦିନ ହୋଇଥିବାରୁ ବିଦ୍ୟାଳୟ ଛୁଟିହେଲା ବେଳକୁ ସଂଜ ନଇଁ ଆସିଥାଏ।ଫେରିବା ବାଟରେ ଗୁଡୁ ହଠାତ୍ ଦେଖିଲା,ପଲେ ହାତୀ ତା’ଆଡ଼କୁ ମାଡ଼ି ଆସୁଛନ୍ତି। ସେ କ’ଣ କରିବ କିଛି ବୁଝି ପାରିଲା ନାହିଁ। ଜଙ୍ଗଲ ପାଖରେ ପିଲାଦିନରୁ ବିଢ଼ି ଆସିଥିବାରୁ ସେ ଭାରି ସାହସୀ। ସେ ସମୟ ନଷ୍ଟ ନକରି ଗାଆଁର ପୁରୁଖା ଲୋକଙ୍କ କହିଥିବା କଥାକୁ ମନେ ପକାଇ, ନିଜର ପ୍ରାଣରକ୍ଷା କରିବା ପାଇଁ ପାଖରେ ଥିବା ବାଉଁଶ ବଣକୁ ଦୌଡ଼ି ଦୌଡ଼ି ପଳାଇ ଗଲା।

ଗାଆଁର ପୁରୁଖା ଲୋକଙ୍କଠାରୁ ସେ ଅନେକଥର ଶୁଣିଥିଲା, ହାତୀ ଆକ୍ରମଣ ସମୟରେ ବାଉଁଶ ବଣରେ ଲୁଚିବା ବୁଦ୍ଧିମାନର କାମ। ସତକୁ ସତ ହାତୀମାନେ ବାଉଁଶ ବଣ ପର୍ଯ୍ୟନ୍ତ ଆସିଲେ କିନ୍ତୁ ବାଉଁଶ ବୁଦା ଭିତରେ ପଶି ପାରିଲେ ନାହିଁ। କିଛି ସମୟପରେ ଅନ୍ଧାର ଘୋଟିଯିବାରୁ,ହାତୀମାନେ ଜଙ୍ଗଲ ଭିତରକୁ ପଳାଇଗଲେ। ଗୁଡୁର ବାପା ଓ ଭାଇ ତାକୁ ଖୋଜିଖୋଜି ବିଦ୍ୟାଳୟ ଆଡ଼କୁ ଯିବା ସମୟରେ, ଲଣ୍ଠନ ଆଲୋକ ଦେଖି ଗୁଡୁ ଡାକ ଛାଡ଼ିଲା। ତା’ ବାପା ଓ ଭାଇ ପାଖକୁ ଆସିବା ପରେ,ସେ ବାଉଁଶ ବଣରୁ ବାହାରି ଆସିଲା ଓ ଘରେ ପହଂଚି ହାତୀ ଆକ୍ରମଣର ସମସ୍ତ କଥା କହିଲା।

ଏ କଥା ଗାଆଁରେ ବିଜୁଳି ପରି ଖେଳିଗଲା ଓ ଗାଆଁର ସମସ୍ତ ଲୋକ ଗୁଡୁର ବୁଦ୍ଧି ଓ ସାହସକୁ ପ୍ରଶଂସା କଲେ। ଗାଆଁର ମୁଖିଆ ତଥା ଜିଲ୍ଲା ପ୍ରଶାସନ ତରଫରୁ ତାକୁ ପ୍ରଶଂସା ପତ୍ର ମିଳିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପଦ ସମୟରେ ବୁଦ୍ଧି ଓ ସାହସ ଦେଖାଇ ନିଜ ଜୀବନକୁ ବଂଚାଇ ପାରିଥିବାରୁ ଗୁଡୁକୁ ସମ୍ମାନିତ କଲେ।
ତେନ୍ତୁଳିପଦା,ଜଗତସିଂହପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe