ଓଡ଼ିଆ ରୂଢ଼ି ପ୍ରୟୋଗରେ ଗୋଟେ କଥା ଅଛି ଯେ ‘‘ଉଅ ବୋଇଲେ ପୁଅ/ କୋଳେ ଘେନିକରି ଶୁଅ।’’ ସନ୍ତାନ ଜନ୍ମ ହେଉ, ଫୁଲ ଫୁଟିବା ବା ଫଳ ଫଳିବା କଥା ହେଉ, ସେ ସକାଶେ ନିର୍ଦ୍ଦିଷ୍ଟ ସମୟର ଆବଶ୍ୟକତା ରହିଛି। କଢ଼ରୁ ଫୁଲ ହୁଏ, ଫୁଲରୁ ଫଳ ହୁଏ। ସେଥିପାଇଁ ସମୟ ଲାଗେ। ସେମିତି ପୁଅ ହେବା ପାଇଁ ମାଆଟିଏ ଗର୍ଭବତୀ ହୋଇଥିବା ଆବଶ୍ୟକ। ହଠାତ୍ ଫୁଲ ଫୁଟେ ନାହିଁ କି ଫଳ ଫଳେ ନାହିଁ। ଅବିକଳ ଭାବେ ଚାହିଁବାମାତ୍ରେ କେହି ପୁଅ ଜନ୍ମ କରିପାରନ୍ତି ନାହିଁ। ଅତଏବ ତରବର ହୋଇ ହମହମ ହେଲେ କାର୍ଯ୍ୟ ସାଧିତ ହୁଏ ନାହିଁ। ଏଠାରେ ‘ଉଅ’ ଶବ୍ଦଟିକୁ ହଠାତ୍ ଅର୍ଥରେ ବ୍ୟବହାର କରାଯାଇଛି। ଉଅ ବା ଏଇଲେ ବା ଏହିକ୍ଷଣି ସେଇ ଗୋଟିଏ କଥାକୁ ବୁଝାଏ। ଯେେତବେଳେ କେହି ଅତିଶୟ ବ୍ୟଗ୍ରତା ପ୍ରକାଶ କରି ତରବର ହୁଅନ୍ତି ସେତେବେଳେ ମନ୍ତବ୍ୟ ମିଳେ- ‘‘ଉଅ ବୋଇଲେ ପୁଅ/ କୋଳେ ଘେନିକରି ଶୁଅ’’। ହଠାତ୍ ପୁଅ ଜନ୍ମ ହେବ ନା କେହି ତା’କୁ ଟେକି ନେଇ କୋଳରେ ଧରିବେ? ଏ କଥା ଅସମ୍ଭବ। ସେଭଳି ବ୍ୟଗ୍ରତାକୁ ଅବାସ୍ତବ ମନେ କରାଯାଏ।
କଥା-ଫରୁଆ : ‘ଉଅ ବୋଇଲେ ପୁଅ’
Advertisment
Follow Us