ପ୍ରାଣୀ ମାତ୍ରେ ପରିସ୍ଥିତିର ଦାସ। ତା’ର ଅର୍ଥ ପ୍ରତ୍ୟେକ ପ୍ରାଣୀ ସେ ପଶୁ ହେଉ କି ମଣିଷ, ପକ୍ଷୀ ହେଉ କି ଜଳଚର ସମସ୍ତେ ପରିସ୍ଥିତି ଅନୁସାରେ ବଦଳିଯାଆନ୍ତି। ସେଇଥିପାଇଁ ଗଛ ପତ୍ର ହଟିଯାଇଥିବା ସହରମାନଙ୍କରେ କୋଠା ଘରର ଖୋପ, ବତିଖୁଣ୍ଟ ଆଦିେର ଆମେ ଚଢ଼େଇ ବସା କରୁଥିବାର ଦେଖୁ। ସେମିତି ପଞ୍ଜୁରି ଭିତରେ ନୂଆ ନୂଆ ପଶିଥିବା ପକ୍ଷୀଟିଏ ବହୁତ ଫଡ଼ଫଡ଼ ହୁଏ, ଅଥଚ ଧୀରେ ଧୀରେ ପୁଣି ସେଠି ସ୍ଥିର ହୋଇ ବସିବା ତା’ର ଅଭ୍ୟାସରେ ପଡ଼ିଯାଏ। ପାରା ଭଳି ପକ୍ଷୀ ମଣିଷ ବସତିରେ ରହନ୍ତି। ବେଳେ ବେଳେ ସେମାନଙ୍କୁ ଘଉଡ଼େଇବା ପାଇଁ ନାନା ପ୍ରକାରର ଶବ୍ଦ କରିବାକୁ ପଡ଼ିଥାଏ। ହେଲେ କଂସାରି ଘରେ ବଢ଼ିଥିବା ପାରା କଂସାରି ଘରର ଠଣ୍, ଠକ୍କର ଶବ୍ଦରେ ଏତେ ପରିଚିତ ହୋଇଯାଇଥାଏ ଯେ ତା’କୁ ଆଉ କୁଲା ଢାଉଁ ଢାଉଁ କରି ଘଉଡ଼େଇବା ଅସମ୍ଭବ। ସେଥିପାଇଁ କୁହାଯାଏ- ‘‘କଂସାରି ଘରର ପାରା, ତାକୁ କୁଲା ଢାଉଁ ଢାଉଁ ଡରା।’’ ଅତଏବ ଯେଉଁ ବ୍ୟକ୍ତି ବଡ଼ ବଡ଼ ବିପଦ ମଧ୍ୟରେ ବିଭିନ୍ନ କାର୍ଯ୍ୟରେ ଅଭିଜ୍ଞତା ଅର୍ଜନ କରିଛି ସେ ସାମାନ୍ୟ ଭୟ ଦେଖାଇଲେ ଡରିବ କାହିଁକି? ସେଥିପାଇଁ ସେଭଳି ଲୋକ ପାଇଁ ‘‘କଂସାରି ଘରର ପାରା’’ ଉକ୍ତିଟି ବ୍ୟବହାର କରାଯାଇଥାଏ।
କଥା-ଫରୁଆ : କଂସାରି ଘରର ପାରା
Advertisment
Follow Us