ଲୋଭୀ ବିଲୁଆକୁ ସଜା

କଥା କାହାଣୀ - ନଗେନ୍ଦ୍ର ନାଥ ପଟ୍ଟନାୟକ

ଲୋଭୀ ବିଲୁଆକୁ ସଜା

Clipart Panda

ସେଦିନ ଯୋଗକୁ ହରିଣଟିଏ ବାଘରାଜା ହାବୁଡ଼ରେ ପଡ଼ିଲା। ଲାଞ୍ଜକୁ ପିଟି ବାଘ କହିଲା- ‘ଯାହାହଉ, ଏତେ ଘୂରାଘୂରି କଲାପରେ ମୋ ଭାଗ୍ୟକୁ ଏ ଶିକାରଟା ଜୁଟିଛି, ଆଜି ୟାର ତଣ୍ଟି କଣାକରି ରକତ ମନଭରି ପିଇବି। କଅଁଳ ମାଉଁସ ଖାଇ ଓ ହାଡ଼ ଚୋବାଇ ମୋର ଭୋକ ମାରିବି।’ ଏତକ କହି ହରିଣକୁ ବାଘ ମାଡ଼ି ବସିଲା। କିଛି ହାଡ଼ ଓ ମାଂସ ଖାଇ ବାକିତକ ଗୁମ୍ଫା ପାଖରେ ଥୋଇ ଦେଇ ବିଶ୍ରାମ ନେଲା। ବାଘ ସେଠୁ ଚାଲିଗଲା ପରେ ବିଲୁଆଟେ କୁଆଡ଼ୁ ଆସି ସେଠାରେ ପହଞ୍ଚି ହରିଣ ମାଂସ ଦେଖି କହିଲା, ଆଜି ମୋର କି ଭାଗ୍ୟ, ଦଇବ ମୋ ପାଇଁ ସଜ ହରିଣ ମାଉଁସ ଗୁଡ଼ାଏ ଥୋଇଛି। ‌

ସେ ଏହା ଭାବୁଛି ଏତିକିବେଳେ ଗୋଟାଏ କଟାଶ ସେଠାରେ ପହଞ୍ଚି କହିଲା, ବିଲୁଆ ନନା ମତେ ଟି‌କେ ହରିଣ ମାଂସ ଦିଅନ୍ତନି? ବିଲୁଆ କହିଲା- ଏଇ ଆହାର କେବଳ ମୋ ପାଇଁ, ଠାକୁର ଥୋଇଛନ୍ତି। ତତେ କିଆଁ ଦେବି? ଏଠୁ ଶୀଘ୍ର ପଳା, ନହେଲେ ତତେ ଗୋଡ଼େଇ ଗୋଡ଼େଇ ମାରିଦେବି। ସେଠୁ ଅ‌ଳ୍ପ ଦୂରରେ ଏକ ଗହଳିଆ ବୁଦା ଉହାଡ଼ରେ ହେଟାବାଘଟିଏ ଛକିରହି ଏସବୁ ଶୁଣୁଥିଲା। ସେ ଏବେ ଗୁମ୍ଫା ଆରପଟୁ ଡାକ ଛାଡ଼ିଲା ‘ମଣିମା! ଆପଣ ଯେଉଁ ହରିଣ ମାଉଁସ ରଖି ଆସିଥିଲେ ତାକୁ ବିଲୁଆ ଏକା ଖାଇବ ବୋଲି କହୁଛି। ବିଚରା ଭୋକିଲା କଟାଶଟିଏ ମାଗିଲା ବୋଲି ତାକୁ ମାରିଦେବ ବୋଲି କହୁଛି।

ଏ କଥା‌ ଶୁଣି ବାଘରାଜା ରାଗରେ ନିଆଁବାଣ। ସେ ଗୁମ୍ଫା ଭିତରୁ ବାହାରକୁ ବାହାରି ଆସି ବିଲୁଆର କାନ ଧରି କହିଲା, ମୁଁ କ’ଣ ତୋ ପାଇଁ ଏ ଆହାର ଏଇଠି ରଖିଥିଲି? ଛୋଟ ଛୋଟ ଭୋକିଲା ଜୀବଜନ୍ତୁଙ୍କ ପାଇଁ ଏଇ ମାଉଁସତକ ମୁଁ ଥୋଇଥିଲି। ତୁ ମୂର୍ଖ! ସବୁଯାକ ଖାଇବୁ ବୋଲି କହିଲୁ କେମିତି? ତେଣୁ ଏଇଠି କାନଧରି ହଜାରଥର ବସଉଠୁ ହୁଅ।

ବିଲୁଆ ବିଚରା ବସଉଠ ହେଉଥାଏ, ଏଣେ ଅଧରାତି ହେଇଗଲା।

୯୯୯-୩, ଜଗମୋହନ ନଗର, ଜାଗମରା
ଖଣ୍ଡଗିରି, ଭୁବନେଶ୍ବର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe