ପଣ୍ଡୁ ରାଜା

Advertisment

କଥା କାହାଣୀ - ଶାନ୍ତିଲତା ସାହୁ

କଥା କାହାଣୀ - ଶାନ୍ତିଲତା ସାହୁ

ପଣ୍ଡୁ ରାଜା

VectorStock

ଜଙ୍ଗଲ ରାଜା ଥାଏ ସିଂହ। ସେ ଦିନେ ମରିଗଲା। ଏବେ ରାଜା ହେବ କିଏ? ସମସ୍ତଙ୍କ ଚିନ୍ତା ବଢ଼ିଲା। ୟେ କହିଲା ମୁଁ ହେବି, ସେ କହିଲା ମୁଁ ହେବି। ଏହାକୁ ନେଇ ପରଷ୍ପର ମଧ୍ୟରେ ଝଗଡ଼ା ସୃଷ୍ଟି ହେଲା। ଶେଷରେ ନିଷ୍ପତ୍ତି ନେଲେ, ପାଣ୍ଡବ ପାଞ୍ଚ ଭାଇଙ୍କ ପାଖକୁ ଯିବେ। ସେ ଯାହାକୁ କହି‌େବ, ସେ ଜଙ୍ଗଲର ରାଜା ହେବ। ସେତେବେଳେ ପଞ୍ଚୁପାଣ୍ଡବ ଜଙ୍ଗଲରେ ଅଜ୍ଞାତ ବାସରେ ଥାଆନ୍ତି।

ଧର୍ମରାଜ ଯୁଧିଷ୍ଠିର ସମସ୍ତ କଥା ଶୁଣି ସାରି ନିଷ୍ପତ୍ତି ନେଲେ ଯେ, କୁୁକୁର ହିଁ ଏକ ମାତ୍ର ରାଜା ହେବା ପାଇଁ ଯୋଗ୍ୟ। ପଞ୍ଚୁପାଣ୍ଡବଙ୍କ କଥାରେ କୁକୁର ରାଜା ହେଇଥିବାରୁ କୁକୁରକୁ ସମସ୍ତେ ଶ୍ୱାନରାଜା କହିବାକୁ ଲାଗିଲେ।

ଶ୍ୱାନରାଜା ଯେତେବେଳେ ଶାସନ ଗାଦିରେ ବସିଲେ ପ୍ରଥମ ରାୟ ଶୁଣାଇଲେ ଯେ ଜଙ୍ଗଲ ଉପରେ ସମସ୍ତଙ୍କର ସମାନ ଅଧିକାର ଅଛି। କେହି କାହାରି ଉପରେ ଅନ୍ୟାୟ- ଅତ୍ୟାଚାର କରି ପାରିବେ ନାହିଁ କି କେହି କାହାରିକୁ ଶିକାର କରି ପାରିବେ ନାହିଁ।

ଶ୍ୱାନରାଜା କଥା ଶୁଣି ମାଉଁସଖିଆ ପ୍ରାଣୀମାନେ ଭୟରେ ଛାନିଆ ହେଇଗଲେ। ହେଲେ କରିବେ କ’ଣ? ରାଜାଙ୍କ ମୁଣ୍ଡ ଉପରେ ପଞ୍ଚୁପାଣ୍ଡବଙ୍କ ହାତ ଅଛି। ତେଣୁ ମାନି ଚଳିବାକୁ ବାଧ୍ୟ ହେଲେ।

ଦିନେ ସେହି ଜଙ୍ଗଲ ମଧ୍ୟ ଦେଇ ଦୁଇ ଅନ୍ଧ ବୁଢ଼ାବୁଢ଼ୀ ପୁଅକୁ ଧରି ଘରକୁ ଫେରୁଥାନ୍ତି। ହଠାତ୍‌ ଏକ ମହାବଳ ବାଘ ଆସି ତାଙ୍କ ପୁଅକୁ ଝାମ୍ପି ନେଇଗଲା। ଅନ୍ଧ-ଅନ୍ଧୁଣୀ ପୁତ୍ର ବିୟୋଗରେ କେଉଁ ଆଡ଼େ ଆଉ ଯାଇ ନପାରି ସେଇଠି ପଡ଼ି ରହି କାନ୍ଦିବାକୁ ଲାଗିଲେ।

ଏ କଥା ରାଜାଙ୍କ କାନରେ ପଡ଼ିଲା। ରାଜା ଅନ୍ଧ-ଅନ୍ଧୁଣୀ ପାଖକୁ ଆସି ନିଜର ପରିଚୟ ଦେଲେ। କାନ୍ଦିବାର କାରଣ ମଧ୍ୟ ପଚାରିଲେ। ସେମାନଙ୍କଠାରୁ ସବୁ ଶୁଣି ରାଜା କହିଲେ- ତମେ କାନ୍ଦିବା ବନ୍ଦକର। ବାଘର ଅପରାଧ ପାଇଁ ମୁଁ କଠୋରରୁ ଅତି କଠୋର ଦଣ୍ଡ ବ୍ୟବସ୍ଥା କରିବି। ଅନ୍ଧ ଦମ୍ପତି କହିଲେ- ସେଥିରେ ଆମର ଲାଭ କ’ଣ ହେବ! ଆମ ପୁତ୍ର ଯୋଗୁ ଆମେ ଗାଁ ଗାଁ ବୁଲି ଭିକ୍ଷା ମାଗି ପେଟ ପୋଷୁଥିଲୁ। ସେ ମରିଗଲା। କିଏ ଆଉ ଆମର ସାହା ଭରସା ହେବ? କେମିତି ଆମେ ବଞ୍ଚିବୁ? ତା’ପରେ ରାଜା କହିଲେ ମୋ ରାଜ୍ୟର ପ୍ରଜା କରିଥିବା ଅପରାଧ ହେଉଛି ମୋ ଅପରାଧ। ସେ ଅପରାଧର ପ୍ରାୟଶ୍ଚିତ ପାଇଁ ତୁମର ଆଶା ବାଡ଼ି ମୁଁ ଧରିବି। ଘରକୁ ବି ସୁରକ୍ଷା ଦେବି।

ତା’ପରେ ଅନ୍ଧ ଦମ୍ପତି ରାଜାଙ୍କୁ ସଙ୍ଗରେ ନେଇ ଆସିଲେ ଆଉ ଶ୍ୱାନରାଜାଙ୍କର ଉତ୍ତର ଦାୟଦମାନେ ପିଢ଼ି ପରେ ପିଢ଼ି ବିତି ଯାଇଥିଲେ ମଧ୍ୟ ଆଜି ମାନବ ସମାଜର ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତଙ୍କୁ ସେବା ପ୍ରଦାନ କରୁଛନ୍ତି।

ପାପସରା, କିଶୋରନଗର
ଅନୁଗୁଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe