ପରିଶ୍ରମର ମୂଲ୍ୟ ମଧୁର

କଥା କାହାଣୀ - ମନୋରଞ୍ଜନ ମିଶ୍ର

ପରିଶ୍ରମର ମୂଲ୍ୟ ମଧୁର

ଆଶ୍ରମର ବାବାଙ୍କ ପାଖରେ ତିନିଜଣ ଯୁବକ ପହଞ୍ଚିଲେ। ସେମାନଙ୍କୁ ଦେଖି ବାବା ପଚାରିଲେ, ତୁମେମାନେ କଣ ପାଇଁ ଆସିଛ? ମୁଁ ତୁମକୁ କ’ଣ ସାହାଯ୍ୟ କରିପାରେ? ସେମାନେ କହିଲେ, ବାବା! ଆମେ ଖରାପ ସାଙ୍ଗମାନଙ୍କ ସହିତ ମିଶି ଅମଣିଷ ହୋଇଯାଇଛୁ। ଆମ ବାପା ମା’ କହୁଛନ୍ତି, ବାଳୁଙ୍ଗା, ଆସାମୀଗୁଡ଼ାକ ଘରର ନାଁ ପକଉଚ। ଆମେ ମଣିଷ ହେବାକୁ ଚାହୁଁ। ଆପଣଙ୍କଠାରୁ ଶିକ୍ଷା ଲାଭ କରିବା ଆଶାରେ ଆସିଛୁ। ଆମକୁ ଆଶୀର୍ବାଦ କରନ୍ତୁ। ସେମାନଙ୍କ କଥା ଶୁଣି ବାବା କହିଲେ, ମୋ ଆଶୀର୍ବାଦ ତୁମ ଉପରେ ସଦାବେଳେ ରହିବ। କିନ୍ତୁ ମୁଁ ତୁମ ତିନି ଜଣଙ୍କୁ ପ୍ରଥମେ ପରୀକ୍ଷା କରିବି। ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହେଲେ, ମୋ’ ଆଶ୍ରମରେ ରହି ଶିକ୍ଷା ଲାଭ କରି ପାରିବ।

ବାବା କହିଲେ, ଭିତର କୋଠରୀକୁ ଯାଅ। ଧାନବସ୍ତା ସବୁ ଗଦା ହୋଇ ରହିଛି। ସମସ୍ତେ ଚାରି ବସ୍ତା ଲେଖାଏଁ ଧାନ ନେଇ ଯାଅ। ମନେରଖ, ବର୍ଷେ ପରେ ଠିକ୍‌ ଏଇଦିନ ମୋ’ ଆଶ୍ରମକୁ ଆସିବ। ସେଇଆ ହେଲା। ସମସ୍ତେ ଚାରିବସ୍ତା ଲେଖାଏଁ ଧାନ ନେଇ ଚାଲିଗଲେ।

ବର୍ଷେ ପରେ ସେଇ ତିନିଜଣ ବାବାଙ୍କ ପାଖରେ ଆସି ପହଞ୍ଚିଲେ। ବାବା, ପ୍ରଥମ ଯୁବକଙ୍କୁ ପଚାରିଲେ, ତୁମେ ଚାରିବସ୍ତା ଧାନ ନେଇ କ’ଣ କଲ? ସେ କହିଲା, ଆପଣ କିଛି କହି ନ ଥିଲେ। ମୁଁ ନେଇ ବସ୍ତା ଚାରିଟାକୁ ଘର କଣରେ ଥୋଇ ଦେଲି। ଅଧା ମୂଷା ଖାଇଗଲେ। ଅଧା ସେମିତି ବସ୍ତାରେ ପଡ଼ି ରହିଛି। ବାବା ଦ୍ୱିତୀୟ ଯୁବକଙ୍କୁ ପଚାରିବାରୁ ସେ କହିଲା, ମୁଁ ବସ୍ତାସବୁ ହାଟ ବଜାରକୁ ନେଇ ବିକି ଦେଲି। ଯାହା ଟଙ୍କା ମିଳିଲା, ଘର ପାଇଁ ଖର୍ଚ୍ଚ କରିଦେଲି। ତୃତୀୟ ଯୁବକ କହିଲା, ମୋର ଜମି କିଛି ଥିଲା। ଚାଷ କରୁ ନ ଥିଲି। ଚାରି ବସ୍ତା ଧାନକୁ ଚାଷରେ ଲଗେଇ ଦେଲି। କିଛି ଧାନ ମିଳିଗଲା।

ବାବା ସେମାନଙ୍କୁ କହିଲେ, ଯିଏ ପରିଶ୍ରମର ମୂଲ୍ୟ ବୁଝିଛି, ସିଏ ମୋ ଶିଷ୍ୟ ହେବ। ଯିଏ ଧାନ ବୁଣିଛି, ମୁଁ ତାକୁ ଶିକ୍ଷା ଦେବି। ମନେରଖ, ପରିଶ୍ରମୀ ସୁଖ ପାଏ। ଅଳସୁଆ ଦୁଃଖ ଭୋଗେ। ପରିଶ୍ରମ ହେଉଛି ସୁଖର ଚାବିକାଠି। ପରିଶ୍ରମର ମୂଲ୍ୟ ସଦାବେଳେ ମଧୁର। ଯିଏ ପରିଶ୍ରମ କରେ, ସେ ଭଲ ଫଳ ପାଏ।

ଗାନ୍ଧୀଛକ, ବଉଦରାଜ, ବୌଦ୍ଧ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe