ବୁଲୁର ଉଦାରପଣ

Advertisment

କଥା କାହାଣୀ - ଜ୍ୟୋସ୍ନା ବାରିକ

କଥା କାହାଣୀ - ଜ୍ୟୋସ୍ନା ବାରିକ

ବୁଲୁର ଉଦାରପଣ

clipart.email

ବୁଲୁର ପରୀକ୍ଷା ଫଳ ଦେଖି ବାପା କହିଲେ, ତୋର ପାଠ ପଢ଼ାରେ ଆଦୌ ମନ ନାହିଁ। ମାଟ୍ରିକ ପରୀକ୍ଷାକୁ ଦୁଇବର୍ଷ ରହିଲା। ଜାଣିଥା ପରୀକ୍ଷା ଭଲ ନ ହେଲେ ଭଲ କଲେଜରେ ସ୍ଥାନ ପାଇବୁ ନାହିଁ। ବୁଲୁ ଅଭିଯୋଗ କରି କହିଲା ମୋର ପଢ଼ାଘର ନାହିଁ, ତେଣୁ ପାଠ ପଢ଼ାରେ ଅସୁବିଧା ହେଉଛି। ମୋ ସାଙ୍ଗମାନଙ୍କର ପଢ଼ାଘର ଅଛି। ମୋ ପାଇଁ ଗୋଟେ ଅଲଗା ପଢ଼ାଘର କରିଦିଅ।

ବାପା ବିରକ୍ତ ହୋଇ କହିଲେ, ଆମବେଳେ ପଢ଼ାଘର ନ ଥାଇ ବି ଆମେ ପାଞ୍ଚଜଣ ଭାଇ ଭଉଣୀ କେମିତି ପାଠ ପଢ଼ିଲୁ? ଇଛାଥିଲେ ଗୋଟିଏ ଘରେ ମଧ୍ୟ ପାଠ ପଢ଼ିହେବ। ବାପା ରାଗିକରି ସିନା ଏହି କଥା କହିଦେଲେ ହେଲେ ଚିନ୍ତା କଲେ ଯେ ବାଡ଼ିପଟେ ଯେତିକି ଜାଗା ଅଛି ସେଠାରେ ଗୋଟିଏ ପଢ଼ାଘର ତିଆରି ହୋଇପାରିବ। ମାତ୍ର ଅସୁବିଧା ହେଲା ସେଠାରେ ଥିବା ବିରାଟ ଆମ୍ବଗଛ।

ତା’ ପରଦିନ ବାପା ଲୋକ ଡକେଇ ଜାଗା ମାପଚୁପ କରେଇଲେ। ମିସ୍ତ୍ରୀ କହିଲା ଏଠାରେ ସୁନ୍ଦର ଘରଟିଏ ହୋଇପାରିବ। କିନ୍ତୁ ଏହି ଆମ୍ବଗଛଟିକୁ କାଟିବାକୁ ପଡ଼ିବ। ଏତେ ବଡ଼ ଗଛ କାଟିବାକୁ ସମୟ ଲାଗିବ। ଆମେ ପ୍ରଥମେ ତା’ର ବଡ଼ବଡ଼ ଡାଳ କାଟିଦେବା। ପରେ ଗଣ୍ଡିକୁ ଖଣ୍ଡ ଖଣ୍ଡ କରି କାଟିବା। ବୁଲୁ ସେଠାରେ ଥାଇ ସବୁ ଶୁଣୁଥାଏ। ଆମ୍ବଗଛ କଟାହେବ। ବୁଲୁ ଆମ୍ବଗଛକୁ ଭଲକରି ଦେଖିଲା। ଜନ୍ମ ପାଖରୁ ଏହି ଆମ୍ବଗଛଟିକୁ ଦେଖୁଚି ହେଲେ ଆଜି ଯେମିତି ଦେଖୁଚି ଆଗରୁ ବୋଧେ ସେମିତି କେବେ ଦେଖି ନ ଥିଲା। ଜେଜେ କହୁଥିଲେ ଗଛଟି ବହୁତ ପୁରୁଣା। ଜାଗା କିଣା ହେବା ଆଗରୁ ଆମ୍ବଗଛଟି ଥିଲା। ଏମିତି ଗୋଟେ ଗଛ ହେବାକୁ ନିହାତି ଶହେ ବର୍ଷ ଲାଗିଥିବ। ଖରାଦିନେ ଜେଜେ ଆମ୍ବଗଛ ତଳେ ଚୌକି ପକେଇ ବସନ୍ତି। ସେ ନିଜେ ଆମ୍ବଗଛର ଛାଇରେ କେତେ ଖେଳିଛି।

ସେତିକି ନୁହେଁ। ଆମ୍ବ ଗଛରେ ପ୍ରତିବର୍ଷ ବଉଳ ଆସେ। ବାସ୍ନାରେ ଖଣ୍ଡମଣ୍ଡଳ ମହକି ଉଠେ। କୋଇଲିମାନେ ଆସି ଆମ୍ବ ଡାଳରେ ବସନ୍ତି ଓ ଗୀତ ଗାଆନ୍ତି। ଗଛର କଞ୍ଚାଠାରୁ ପାଚିଲା ଆମ୍ବ ସମସ୍ତେ ଖାଆନ୍ତି। କଞ୍ଚା ଆମ୍ବର ଚଟଣି ଭାରି ସୁଆଦିଆ। ମା’ ବର୍ଷକ ପାଇଁ ଆଚାର ଓ ଆମ୍ବୁଲ କରି ରଖନ୍ତି। ପାଚିଲା ଆମ୍ବ ତ ଆହୁରି ସୁଆଦିଆ। କେତେ ବଣ୍ଟା ହୁଏ। ଘରେ ପୂଜାପର୍ବ ହେଲେ ମା ଆମ୍ବଡାଳ ଆଣି କଳସ ବସେଇ ପୂଜା କରାଯାଏ।

ସେ ଏମିତି ଭାବୁଥାଏ ଠିକ୍‌ ସେହି ସମୟରେ ଦୁଇଟି ହଳଦୀ ବସନ୍ତ ଚଢ଼େଇ ବୋବେଇ ବୋବେଇ ଏ ଡାଳରୁ ସେ ଡାଳକୁ ଉଡ଼ି ବୁଲିଲେ। ବୁଲୁ ଦେଖିଲା ଆମ୍ବଗଛରେ କେତେ ଗୁଡ଼ିଏ ଚଢ଼େଇ ବସା ବାନ୍ଧିଛନ୍ତି। ଗୁଣ୍ଡୁଚି ମୂଷାମାନେ ଆମ୍ବଗଛ କୋରଡ଼ ଭିତରେ ପଶୁଛନ୍ତି ବାହାରୁଛନ୍ତି। ମନଖୁସିରେ ଦୌଡ଼ା ଦୌଡ଼ି ହେଉଛନ୍ତି। ସେମାନେ କେହି ଜାଣନ୍ତି ନାହିଁ ଯେ ତାଙ୍କର ଏତେ ଦିନର ବାସସ୍ଥଳୀ କାଲି ଭାଙ୍ଗଯିବ। ଏସବୁ ଭାବି ବୁଲୁର ମନ ଦୁଃଖରେ ଭରିଗଲା। ତାକୁ ଦୋଷୀ ଦୋଷୀ ଲାଗିଲା।

ସେ ଦୌଡ଼ିଯାଇ ବାପାଙ୍କୁ କହିଲା, ତୁମେ ଠିକ କହୁଥିଲ। ପାଠ ପଢ଼ିବା ପାଇଁ ଅଲଗା ପଢ଼ାଘରର ଆବଶ୍ୟକ ନାହିଁ। ମନଥିଲେ ଜଣେ ଯେତେ ଅସୁବିଧା ଥିଲେ ବି ପାଠ ପଢ଼ି ପାରିବ। ମୁଁ ନିଜର ଗୋଟେ ପଢ଼ାଘର ପାଇଁ ସେମାନଙ୍କର ଘର ଭାଙ୍ଗି ପାରିବି ନାହିଁ।

ବାପା ଆଶ୍ଚର୍ଯ୍ୟ ହୋଇ ପଚାରିଲେ କାହାର ଘର ଭାଙ୍ଗିଯିବ? ବୁଲୁ ବାପାଙ୍କୁ ଆମ୍ବଗଛ ପାଖକୁ ନେଇ ଆସିଲା। ଚଢ଼େଇମାନେ ନିର୍ଭୟରେ କିଚିରି ମିଚିରି ଶବ୍ଦ କରି ଏ ଡାଳରୁ ସେ ଡାଳକୁ ଉଡ଼ି ବୁଲୁଥିଲେ। ଗୁଣ୍ଡୁଚି ମୂଷାମାନେ ଖେଳୁଥିଲେ। ବୁଲୁର ଉଦାରପଣ ଦେଖି ବାପାଙ୍କ ମନ ଆନନ୍ଦରେ ନାଚି ଉଠିଲା। ସେ କହିଲେ, ‘‘ବୁଲୁ! ତୋ ମନଟା ବହୁତ ଭଲ। ପାଠ ପଢ଼ି କ’ଣ ହେବୁ ମୁଁ ଜାଣିନି, ତୁ କିନ୍ତୁ ନିଶ୍ଚୟ ଗୋଟିଏ ଭଲ ମଣିଷ ହେବୁ।’’

ପ୍ଲଟ ନମ୍ବର ୪୮୩/୧
ଏରୋଡ୍ରମ ଏରିଆ, ପଳାସପଲ୍ଲୀ,
ଭୁବନେଶ୍ୱର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe