ଖୋଲା ଝରକା: ଜୋରୋ

ଖୋଲା ଝରକା: ଜୋରୋ

କ୍ଷୁଦ୍ର କାନ ବିଶିଷ୍ଟ ଜୋରୋ ହେଉଛି ବିଲୁଆ ପ୍ରଜାତିର ପ୍ରାଣୀ। ବିଜ୍ଞାନରେ ଏହାକୁ ଆଟେଲୋସାଇନସ୍‌ ମାକ୍ରୋଟିସ୍‌ ବୋଲି କୁହାଯାଏ। ଆମାଜନ୍‌ ଉପତ୍ୟକାରେ ଏହି ସ୍ବତନ୍ତ୍ର ପ୍ରାଣୀ ବାସ କରନ୍ତି। ସ୍ଥାନୀୟ ବାସିନ୍ଦା ଜୋରୋକୁ ବିଭିନ୍ନ ନାମ ଦେଇଛନ୍ତି। ୨.୫ ମିଲିୟନ୍‌ ବର୍ଷ ପୂର୍ବେ ଏହି ପ୍ରାଣୀ ଉତ୍ତର ଆମେରିକାରୁ ଦକ୍ଷିଣକୁ ଚାଲିଆସିଥିଲେ। ଏହି ପ୍ରାଣୀ ସେତେବେଳେ କ୍ରାନ୍ତିମଣ୍ଡଳୀୟ ଚିରହରିତ୍‌ ଜଙ୍ଗଲରେ ରହୁଥିଲେ। ବୁଦାରେ ରହୁଥିବା କୁକୁରଙ୍କ ସହିତ ଏମାନଙ୍କର ସାମଞ୍ଜସ୍ୟ ରହିଛି। ସମ୍ପ୍ରତି ଏମାନେ ଆମାଜନ୍‌ ତଟରେ ଥିବା ଚିରହରିତ୍‌ ଜଙ୍ଗଲରେ ବହୁଳ ସଂଖାରେ ରହିଛନ୍ତି।

ବିଶେଷ କରି ପେରୁ, ବଲିଭିଆ, ବ୍ରାଜିଲ୍‌, କଲମ୍ବିଆରେ ଜୋରୋକୁ ଦେଖିବାକୁ ମିଳେ। ଏମାନଙ୍କ ଅଙ୍ଗ କ୍ଷୁଦ୍ର ଓ କାନ ଗୋଲାକୃତି। ବିଲୁଆ ଭଳି ଏମାନଙ୍କ ଲାଞ୍ଜ ମଧ୍ୟ ଗହଳିଆ। ରଙ୍ଗ କଳା କିମ୍ବା ଲାଲ୍‌ ଧୂସର। ବେଳେ ବେଳେ ନେଭି ବ୍ଲୁ କିମ୍ବା କଫି ରଙ୍ଗ ମଧ୍ୟ ହୋଇଥାଏ। ଏହାର ପାଦ ଜାଲ ଭଳି। ଫଳରେ ପାଣିରେ ମଧ୍ୟ ସହଜରେ ସନ୍ତରଣ କରିପାରେ। ଜୋରୋଙ୍କ ଛାତି ସାଧାରଣତଃ ସରୁଆ, ମୁଣ୍ଡ ଲମ୍ବା ଓ ଦାନ୍ତ ତୀକ୍ଷ୍‌ଣ। ଜୋରୋଙ୍କର ସାଧାରଣତଃ ୪୨ଟି ଦାନ୍ତ ଥାଏ। ଗୋଟିଏ ବୟସ୍କ ଜୋରୋ ଅତିବେଶୀରେ ୨୫-୩୦ ସେଣ୍ଟିମିଟର ଉଚ୍ଚ ଓ ୧୦୦ ସେଣ୍ଟିମିଟର ଲମ୍ବ ହୋଇଥାଏ। ଓଜନ ୯ରୁ ୧୦ କି.ଗ୍ରା । ଏମାନେ ଜଙ୍ଗଲରେ ଦଳ ଦଳ ହୋଇ ରହିବା ପରି‌ବର୍ତ୍ତେ ଏକାକୀ ରହିବାକୁ ବେଶୀ ପସନ୍ଦ କରିଥାନ୍ତି। ଏମାନେ ବିଶେଷ କରି ମାଛ, କୀଟ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଆହାର କରିଥାଆନ୍ତି। ରାବିସ୍‌ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଏହି ପ୍ରାଣୀ ପ୍ରାଣ ହରାଉଛନ୍ତି। ଫଳରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଇୟୁସିଏନ୍‌ ପକ୍ଷରୁ ଏହି ପ୍ରାଣୀଙ୍କୁ ବିଲୁପ୍ତପ୍ରାୟ ତାଲିକାଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe