Species New to Science
୧୨କୋଟି ବର୍ଷ ପୂର୍ବେ ଡାଇନୋସର ପରି ଉଡ଼ି ପାରୁଥିବା ବିଶ୍ୱର ଅନ୍ୟତମ ପ୍ରଥମ ପକ୍ଷୀର ଅବଶେଷ ଜାପାନରେ ଆବିଷ୍କୃତ ହୋଇଛି। ପାରା ଆକାର ବିଶିଷ୍ଟ ଏହି ପକ୍ଷୀର ଡେଣା ଧୂସର ଓ ମାଟିଆ ରଙ୍ଗର ଥିଲା। ବୈଜ୍ଞାନିକଙ୍କ ମତରେ, ସେ ନିଜ ଲାଞ୍ଜ ହଲାଇ ପାରୁଥିଲା ଏବଂ ଡେଣା ବି ହଲାଇ ପାରୁଥିଲା। ଏହାର ନାଁ ‘ଫୁକୁଇପ୍ଟେରିକ୍ସ୍ ପ୍ରାଇମା’। ପଥର କନ୍ଦରରୁ ଏହାର ଅସ୍ଥି ଠାବ କରାଯାଇଥିଲା, ଯାହା ପ୍ରାରମ୍ଭିକ କ୍ରିଟେସିଅସ୍ ଯୁଗର। ଏହି ସମୟରେ ପ୍ରଥମ ପକ୍ଷୀ ଦେଖାଯିବା ଆରମ୍ଭ କରିଥିଲେ।
ଫୁକୁଇପ୍ଟେରିକ୍ସ୍ ସେହି ସମୟର ପ୍ରଥମ ପକ୍ଷୀ ଯାହା ଚୀନ୍ ବାହାରେ ଦେଖାଯାଇଥିଲା। ଏହି ପକ୍ଷୀ ନଦୀ ଓ ଝରଣା ନିକଟରେ ବାସ କରୁଥିବା ଅନୁମାନ କରାଯାଉଛି। ଟେରୋସ୍ରସ୍ ଓ ଡାଇନୋସର ସମ୍ଭବତଃ ଏହାକୁ ଶିକାର କରୁଥିଲେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଏହା ଆର୍ଦ୍ର ପରିବେଶରେ ବାସ କରୁଥିଲା। ଉକ୍ତ ଅଞ୍ଚଳ ଅଧିକାଂଶ ସମୟ ଉଷ୍ମ ଓ ଆର୍ଦ୍ର ରହୁଥିଲା। ଖୁବ୍ କମ୍ ସମୟ ଶୁଷ୍କ ଜଳବାୟୁକୁ ସେ ସାମ୍ନା କରୁଥିଲା। ମିଳିଥିବା ଅବଶେଷରେ ତା’ର ଥୋଡ଼ି ନଥିବାରୁ ପକ୍ଷୀଟି କ’ଣ ଖାଉଥିଲା, ସେ ବିଷୟରେ ବୈଜ୍ଞାନିକମାନେ ଜାଣିପାରି ନାହାନ୍ତି। ଏହି ଅବଶେଷ ପ୍ରାରମ୍ଭିକ ପକ୍ଷୀ ବିକାଶ ସମ୍ପର୍କରେ ଅଧିକ ତଥ୍ୟ ଯୋଗାଇବ ବୋଲି ଗବେଷକମାନେ ଆଶା କରୁଛନ୍ତି। ଫୁକୁଇପ୍ଟେରିକ୍ସ୍ର ଅନେକ ବୈଶିଷ୍ଟ୍ୟ ବିଶ୍ବର ପ୍ରଥମ ପକ୍ଷୀ ଆର୍କିଓପ୍ଟେରିକ୍ସ ସହ ମେଳ ଖାଉଛି।
Follow Us