ନୂଆ ସମୟ ନୂଆ କଥା: ହାର୍ଟ ବିଟ୍‌ରେ ଚାଲିବ ପେସ୍‌ମେକର୍ ଏବଂ ତାରବିହୀନ ବିଦ୍ୟୁତ୍‌

ନୂଆ ସମୟ ନୂଆ କଥା: ହାର୍ଟ ବିଟ୍‌ରେ ଚାଲିବ ପେସ୍‌ମେକର୍ ଏବଂ ତାରବିହୀନ ବିଦ୍ୟୁତ୍‌

ନ୍ୟୁୟର୍କସ୍ଥିତ ବଫାଲୋ ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଆପ୍ଲାଏଡ୍‌ ସାଇନ୍ସ୍ର ବୈଜ୍ଞାନିକମାନେ ଏପରି ଏକ ପେସ୍‌ମେକର୍‌ ପ୍ରସ୍ତୁତ କରିଛନ୍ତି, ଯାହା ହାର୍ଟ ବିଟ୍‌ରେ ଚାଲିବ। ଏଥିପାଇଁ ବ୍ୟାଟେରିର ଆଦୌ ଆବଶ୍ୟକତା ନାହିଁ ବୋଲି ପ୍ରସ୍ତୁତକାରୀ ବୈଜ୍ଞାନିକମାନେ ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଉକ୍ତ ଗବେଷଣାର ମୁଖ୍ୟ ଏମ୍‌.ଆମିନ୍‌ କାରାମି କହନ୍ତି, ଏହି ନୂତନ ପେସ୍‌ମେକର୍‌ର ଆକାର ଛୋଟ ପକେଟ୍‌ ଘଣ୍ଟା ପରି। ଏହାକୁ ହୃତ୍‌ପିଣ୍ଡର ପ୍ରତିରୋପଣ କରାଯିବା ପରେ ତାହା ହୃତ୍‌ସ୍ପନ୍ଦନ ଦ୍ବାରା ହିଁ ଚାଲିପାରିବ। ହୃତ୍‌ସ୍ପନ୍ଦନ ଦ୍ବାରା ସୃଷ୍ଟି ହେଉଥିବା କମ୍ପନ ଏହି ପେସ୍‌ମେକର୍‌କୁ ଚାଲିବା ପାଇଁ ଆବଶ୍ୟକ ଶକ୍ତି ଯୋଗାଇଥାଏ। କେବଳ ସେତିକି ନୁହେଁ, ଏଥିରୁ ହାର୍ଟ ସମ୍ବନ୍ଧୀୟ କେତେକ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇପାରିବ।

publive-image

ତାରବିହୀନ ବିଦ୍ୟୁତ୍‌
ସାଧାରଣତଃ ବିଦ୍ୟୁତ୍‌ ସଞ୍ଚାରଣ ପାଇଁ ତାରର ଆବଶ୍ୟକତା ପଡ଼ିଥାଏ। ହେଲେ ଏଣିକି ଏଥିପାଇଁ ତାର ଆବଶ୍ୟକ ପଡ଼ିବ ନାହିଁ। ଏ କ୍ଷେତ୍ରରେ ଗ‌ବେଷଣା କରି ସଫଳତା ହାସଲ କରିଥିବା ଜାପାନ ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ବିଷୟରେ ଗବେଷଣା କରିବା ସମୟରେ ସେମାନେ ମାଇକ୍ରୋୱେଭ୍‌ର ପ୍ରୟୋଗ କରି ୧୦ କିଲୋୱାଟ୍‌ ବିଦ୍ୟୁତ୍‌କୁ ୧,୬୪୦ ଫୁଟ୍‌ ଦୂରରେ ଥିବା ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇଥିଲେ। ସାଧାରଣଭାବରେ ୧୦ କିଲୋୱାଟ୍‌ ବିଦ୍ୟୁତ୍‌ ରୋଷେଇ ଘରେ ବ୍ୟବହୃତ ହେଉଥିବା ସମସ୍ତ ଉପକରଣକୁ ଚଳାଇବାକୁ ଯଥେଷ୍ଟ। ତେବେ ଏପରି ତାରବିହୀନ ବିଦ୍ୟୁତ୍‌ ପଛରେ ଆଉ ଏକ ଲକ୍ଷ୍ୟ ରହିଛି। ମହାକାଶରୁ ମିଳୁଥିବା ସୌରଶକ୍ତିକୁ ପୃଥିବୀ ପୃଷ୍ଠରେ କିପରି ବ୍ୟବହାର କରାଯାଇପାରିବ ସେ ନେଇ ଏହାଦ୍ବାରା କେତେକାଂଶରେ ସଫଳତା ମିଳିପାରିବ ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe