ଚଗଲା ପାରିଲା ବୁଝି

ତୁମ କାହାଣୀ - ପ୍ରଶାନ୍ତ କୁମାର ନାଥ

ଚଗଲା ପାରିଲା ବୁଝି

ଚଗଲା ନାଁଟି ଯେମିତି କାମ ବି ସେମିତି। ଭାରି ଦୁଷ୍ଟ। ଚାଲିଲା ଶଗଡ଼ରେ ହାତମାରି ଦିଏ। ନଈପହଁରେ, ଗଛଚଢ଼େ, ବିଲେଇ, କୁକୁର, ମାଙ୍କଡକୁ ଟେକାପଥର ଫିଙ୍ଗେ। କାହାର ବଙ୍କୁଲି ବାଡ଼ି ଛଡ଼େଇନିଏ ତ କାହାର ଧୋତି ଟାଣିଦିଏ। କାହାର ବହିଖାତା ଚିରିଦିଏ ତ କାହାକୁ ଧରି ମାରେ। କେହି ବି ତାକୁ ଭଲ ପାଆନ୍ତିନି। ବାପାମାଆଙ୍କ କଥା ମାନେନି। କାହାରି କଥାକୁ ଖାତିର କରେନି।

ଖରାବେଳ ସାରା ବୁଲିବୁଲି କାହା ବାଡ଼ିରେ ପଶି ଆମ୍ବ, ପିଜୁଳି ଚୋରି କରେ। ସ୍କୁଲ ଯାଏନି କି ପାଠ ମଧ୍ୟ ପଢ଼େନି। ସାଙ୍ଗସାଥୀମାନେ ତା’ର କେତେ ପାଠ ପଢ଼ିଲେଣି। ଚଗଲାକୁ କିନ୍ତୁ ନିଜ ନାଁ ମଧ୍ୟ ଲେଖି ଆସେନି। ବାପା ମା’ତାର ସବୁବେଳେ ଚିନ୍ତାରେ ଥାଆନ୍ତି। ଦୁନିଆଯାକର କଳି ଆଣି ଘରେ ପୂରାଏ। କେତେ ମାରିବେ ଗାଳିଦେବେ? ବାପା ଥରେ ମାରିଥିଲେ ଯେ ସେ ମଧ୍ୟ ବାପାଙ୍କ ଉପରକୁ ହାତ ଉଠେଇ ଦେଲା। ସେହିଦିନରୁ ତାକୁ ଆଉ କିଛି କୁହନ୍ତିନି।

ଦିନେ ଖରାବେଳେ ଏକା ଏକା ପଡ଼ିଆରେ ବୁଲୁଥାଏ। ଗଛରେ ବସିଥିବା ଦଳେ ମାଙ୍କଡ଼ଙ୍କୁ ଟେକା ଫିଙ୍ଗିଲା। କେଉଁଠି ଥିଲା କେଜାଣି ଅଣ୍ଡିରାମାଙ୍କଡ଼ ଦାନ୍ତକୁ କାମୁଡ଼ି ତା’ ଆଡ଼କୁ ଦୌଡ଼ି ଆସିଲା। ଚଗଲା ଜୀବନ ବିକଳରେ ଯେତେ ଦୌଡ଼ିଲେ ବି ମାଙ୍କଡ଼ ଛାଡ଼ିବାର ଜନ୍ତୁ ନ ଥିଲା। ଚଗଲା ଉପାୟ ଶୂନ୍ୟ ହୋଇ ତା ଆଗରେ ହାତ ଯୋଡ଼ି ହାମୁଡ଼େଇ ପଡ଼ିଲା। ମାଙ୍କଡ଼ଟି କଣ ବୁଝିଲା କେଜାଣି ଢୋଢୋ କରି ଦୁଇ ଚାପୁଡ଼ା ତା’ର ଗାଲକୁ କସିଦେଲା ଆଉ ଖେଏଁଖେଏଁ ହେଇ କଣ ସବୁ କହିଗଲା। ସତରେ ଯେମିତି ମାଙ୍କଡ଼ଟି ତାକୁ କହୁଥିଲା ତୁ କଣ ପାଇଁ ଆମମାନଙ୍କୁ ଟେକାପଥର ଫିଙ୍ଗୁଛୁ! ଆଉଥରେ ଯଦି ଏମିତି କରିଛୁ ତା ହେଲେ ତୋତେ ଆଉ ଛାଡ଼ିବିନି। ଚଗଲା କାନ୍ଦି ପକେଇଲା। ମାଙ୍କଡ଼ଟି ଫେରି ଚାଲିଗଲା। ଚଗଲା ଘରକୁ ଆସି ବହୁତ କାନ୍ଦିଲା।

ସେହିଦିନଠାରୁ ସିଏ ସୁନା ପିଲା ହେଇଗଲା। ସବୁଦିନ ସ୍କୁଲଗଲା,ପାଠପଢ଼ିଲା, ଗୁରୁଜନମାନଙ୍କୁ ସମ୍ମାନ କଲା, ସମସ୍ତଙ୍କୁ ସାହାଯ୍ୟ କଲା, ଆଉ ସମସ୍ତଙ୍କୁ ବୁଝେଇଲା ଜୀବଜନ୍ତୁ ମାନଙ୍କୁ ଆଘାତ ନଦେବା ପାଇଁ।

ଯେଉଁମାନଙ୍କୁ ହଇରାଣ ହରକତ କରୁଥିଲା ସେମାନଙ୍କୁ ହାତ ଯୋଡ଼ି କ୍ଷମା ମାଗିଲା। ବାପାଙ୍କର ମଧ୍ୟ ଗୋଡ଼ ଧରି କ୍ଷମା ପ୍ରାର୍ଥନା କଲା। ଆଉ ସମସ୍ତଙ୍କୁ ବୁଝେଇଲା ଜୀବଜନ୍ତୁମାନଙ୍କର ମଧ୍ୟ ଏକ ଜୀବନ ଅଛି ତେଣୁ ତାଙ୍କୁ ଆଘାତ ନ ଦେବା ପାଇଁ। ସମସ୍ତେ ତାକୁ ଆଦର କଲେ। ସମସ୍ତଙ୍କର ସେ ପ୍ରିୟ ହୋଇଗଲା। ଗୁରୁଜନମାନଙ୍କ ଆଶୀର୍ବାଦ ପାଇଲା। ସମସ୍ତେ ଭାବୁଥିଲେ ଯାହାହେଉ ଚଗଲା ନିଜର ଭୁଲ୍‌ ବୁଝି ପାରିଛି ଆଉ ସୁନା ପିଲା ପାଲଟି ଯାଇଛି।

ସୁନ୍ଦରପୁର, ପ୍ରୀତିପୁର, ଯାଜପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe