ସପନ ହେଲା ସତ

ତୁମ କାହାଣୀ - ତସନିମ୍ ସୁଲତାନା

ସପନ ହେଲା ସତ

ରଘୁରାଜପୁର ନାମରେ ଗୋଟିଏ ଗାଁ ଥିଲା। ଗାଁଟି ଆଖପାଖ ଅଞ୍ଚଳରେ ଖୁବ ପ୍ରସିଦ୍ଧ ଥିଲା। ଗାଁର ଯୁବକମାନେ ଶିକ୍ଷକ ଠାରୁ ଆରମ୍ଭ କରି ଡାକ୍ତର, ରେଳବାଇ ଓ ସୈନ୍ୟବାହିନୀରେ ନିଯୁକ୍ତି ପାଇବା ସହ ସରକାରୀ, ବେସରକାରୀ ଚାକିରି ଓ ବ୍ୟବସାୟ ଆଦି କାର୍ଯ୍ୟରେ ସମ୍ପୃକ୍ତ ଥିଲେ। ସେଇ ଗାଁର ଆଇଆଇଟି ଓ ନାଇଜରରୁ ପାସ କରିଥିବା ଅନେକ ପ୍ରତିଭାବାନ ଯୁବକ ଆମ ଦେଶ ସହ ଆମେରିକା, କାନାଡା ପରି ଦେଶରେ ମଧ୍ୟ ନିଯୁକ୍ତି ପାଇଥିଲେ।

ସମସ୍ତେ ଗାଁ ଠାରୁ ଦୂର ସହର ,ନଗର ଓ ବିଦେଶରେ ରହୁଥିଲେ। ସେମାନେ କେବଳ ଗାଁରେ ହେଉଥିବା ପର୍ବପର୍ବାଣି ସମୟରେ ଏକତ୍ର ହେଉଥିଲେ। ସେଇ ଗାଁରେ ରଘୁ ନାମରେ ଜଣେ ଉଚ୍ଚଶିକ୍ଷିତ ଓ ଦୂରଦୃଷ୍ଟି ସମ୍ପନ୍ନ ଯୁବକ ଥିଲା। ସେ ଗାଁର ପରିବେଶକୁ ଛାଡ଼ି ବାହାରେ ରୋଜଗାର ପାଇଁ ଯିବାକୁ ଇଚ୍ଛା ପ୍ରକାଶ କରି ନଥିଲା। ଗାଁରେ ସହର ଓ ନଗରର ସୁବିଧା କରିବା ପାଇଁ ଯୋଜନା କରିଥିଲା। ସେଥିପାଇଁ ଗାଁ ମୁଖିଆ,ଯୁବକ ଓ ବୃଦ୍ଧ ଲୋକମାନଙ୍କୁ ଏକାଠି କରି ତା’ର ଯୋଜନାଟି ସେମାନଙ୍କୁ ଜଣାଇଲା। ଦେଶ ବିଦେଶର ରହୁଥିବା ଅନେକ ପରିବାରଙ୍କ ଜମିଜମା ସମ୍ପତ୍ତି ଏଇ ଗାଁରେ ମଧ୍ୟ ଥିଲା। ସେଗୁଡ଼ିକ ବ୍ୟବହାରରେ ଲାଗୁ ନଥିଲା। କିଛି ଜମି ଚାଷବାସରେ ଲାଗୁଥିଲେ ବି ଜମିଗୁଡ଼ିକୁ ସମାଜର କଲ୍ୟାଣ ପାଇଁ ଦାନ କରିବାକୁ ରଘୁ ସେମାନଙ୍କୁ ବୁଝାଇଲା।

ଏସବୁ ଜମିଗୁଡ଼ିକୁ ଭାଗ ଭାଗ କରି ଏଠାରେ ନିଜ ରାଜ୍ୟ, ବାହାର ରାଜ୍ୟ ଓ ବିଦେଶୀ ବିଶ୍ବବିଦ୍ୟାଳୟ ସହଯୋଗରେ ଅନେକ,ବୈଷୟିକ ପ୍ରତିଷ୍ଠାନ, ଏନଇଏଫଟି,ଆଇଜର,ନାଇଜର ଓ ମେଡିକାଲ କଲେଜ କ୍ୟାମ୍ପସ୍‌ ପ୍ରତିଷ୍ଠା ପାଇଁ ମାଗଣାରେ ଏହିସବୁ ଅନୁଷ୍ଠାନକୁ ଭୂମିଦାନ କରାଯିବ। ଏ କ୍ଷେତ୍ରରେ ଗାଁ ବାହାରେ ରହୁଥିବା ବିଶିଷ୍ଟ ଲୋକମାନେ ସରକାରଙ୍କୁ ଓ ବେସରକାରୀ କଲେଜଗୁଡ଼ିକ ସେମାନଙ୍କର କ୍ୟାମ୍ପସ୍‌ ଖୋଲିବା ପାଇଁ ପ୍ରସ୍ତାବ ମାଧ୍ୟମରେ ଆମନ୍ତ୍ରଣ କରିବ। ଯୁବକଟିର ମହତ ଯୋଜନା ବିଷୟରେ ଗାଁର ଲୋକମାନେ ରାଜିହେଲେ। ଯୋଜନାର ସଫଳ ରୂପାୟନ ପାଇଁ ଯୁବକ ଜଣକ ଲାଗିପଡ଼ିଲେ। ଦୂର ସହର ଓ ବିଦେଶରେ ରହୁଥିବା ସମସ୍ତଙ୍କୁ ଏ ବିଷୟରେ ଅବଗତ କରାଗଲା। ଏହି ଭୂଦାନ ଆନ୍ଦୋଳନରେ ସାଧାରଣ ଲୋକଙ୍କ ସହ ଆଖପାଖ ଗାଁର ଜମିଦାରଙ୍କ ବଂଶଜମାନେ ମଧ୍ୟ ଭାଗ ନେଲେ। ଦେଖୁ ଦେଖୁ ଦୁଇ ହଜାର ଏକର ଜମି ଏକତ୍ର ସଂଗ୍ରହ କରାଯାଇ ପାରିଲା।

ଏପଟେ ବାହାର ରାଜ୍ୟର ବିଶ୍ବବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡିକ ସେମାନଙ୍କ କ୍ୟାମ୍ପସ୍‌ ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରିବାସହ ବିଦେଶୀ ବିଶ୍ବବିଦ୍ୟାଳୟ ସହଯୋଗରେ ସେମାନଙ୍କର ସହଭାଗିତାକୁ ମଧ୍ୟ ସ୍ବାଗତ କଲେ। ରାଜ୍ୟ ସରକାର ମଧ୍ୟ ଏଥିରେ ସହଯୋଗର ହାତ ବଢ଼ାଇଲେ। ଦେଖୁ ଦେଖୁ ରଘୁରାଜପୁର ଏକ ଆନ୍ତର୍ଜାତିକ ଗାଁରେ ପରିଣତ ହୋଇଗଲା।

ସତରେ ଜାଗ୍ରତ ସ୍ବପ୍ନ ଦେଶ ଓ ଜାତିର ଭାଗ୍ୟ ନିର୍ଦ୍ଧାରିତ କରିଥାଏ ।

ଅଷ୍ଟମ ଶ୍ରେଣୀ,
କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,
କାକଟପୁର,ପୁରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe