କର୍ତ୍ତବ୍ୟ

ତୁମ କାହାଣୀ - ମନୋହର ବାରିକ

କର୍ତ୍ତବ୍ୟ

ନଦୀ କୂଳରେ ଜଙ୍ଗଲଟିଏ ଥିଲା। ସେହି ଜଙ୍ଗଲରେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ବାସ କରୁଥିଲେ। ସମସ୍ତେ ଗୋଟିଏ ପରିବାର ପରି ଚଳୁଥିଲେ ଓ ପରସ୍ପର ସୁଖଦୁଃଖରେ ସାଥୀ ହେଉଥିଲେ।

ଦିନେ ହଠାତ୍‌ ଜଙ୍ଗଲର ଗୋଟିଏ ପାର୍ଶ୍ବରେ ନିଆଁ ଲାଗିଗଲା। ସବୁ ଜୀବଜନ୍ତୁୁ ପ୍ରାଣ ଭୟରେ ଜଙ୍ଗଲ ବାହାରକୁ ଆସି ପାଖରେ ଥିବା ନଦୀକୂଳରେ ଠୁଳ ହେଲେ। ସମସ୍ତେ ଚିନ୍ତା କରୁଥାନ୍ତି ନିଆଁ କିପରି ଲିଭାଇବେ। ଠିକ୍‌ ସେତିକିବେଳେ ସେମାନେ ଦେଖିଲେ, ଗୋଟିଏ ଛୋଟ ଚଢ଼େଇ ନଦୀ କୂଳରୁ ଥଣ୍ଟରେ ପାଣି ଧରି ନିଆଁ ଉପରେ ପକାଇବାରେ ଲାଗିଛି। ତା’ର ଏହି କାର୍ଯ୍ୟକୁ ଦେଖି ସବୁ ପଶୁପକ୍ଷୀ ତାକୁ ଡାକି କହିଲେ, ତୁ’ କ’ଣ ଭାବୁଛୁ ଏତିକି ପାଣିରେ ଜଙ୍ଗଲର ନିଆଁ ଲିଭିଯିବ! ଟିକି ଚଢ଼େଇଟି କହିଲା ମୁଁ ଜାଣେ ମୋ ଦ୍ବାରା ଏହି ନିଆଁ କଦାପି ଲିଭିବ ନାହିଁ। କିନ୍ତୁ ମୁଁ ମୋର କର୍ତ୍ତବ୍ୟ କରୁଛି। ଯଦି ଆମେ ସମସ୍ତେ ନିଆଁରେ ପାଣି ପକାଇବା, ତା’ ହେଲେ ନିଆଁ ଲିଭିଯିବାର ସମ୍ଭାବନା ଅଛି।

ଚଢ଼େଇର ଏହିକଥା ସମସ୍ତଙ୍କ ମନକୁ ପାଇଲା। ଯାହାଦ୍ବାରା ଯେତିକି ହେଲା, ସମସ୍ତେ ନଦୀରୁ ପାଣି ଆଣି ନିଆଁରେ ପକାଇଲେ। ଚାହୁଁ ଚାହୁଁ ନିଆଁ ଲିଭିଗଲା। ସମସ୍ତେ ଚଢ଼େଇକୁ ପ୍ରଶଂସା କଲେ।

ସାଲେପୁର, କଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe