ଭୁବନେଶ୍ବର: ଆସନ୍ତା ନିର୍ବାଚନରେ ପଶ୍ଚିମ ଓଡ଼ିଶାର ଏକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ବ୍ୟକ୍ତି ହୋଇପାରନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ! ଏଠାରେ ଆମେ ବିଜେଡି ସୁପ୍ରିମୋ ନବୀନଙ୍କ କଥା ହିଁ କହୁଛୁ। କାରଣ ନବୀନବାବୁ ଘୋଷଣା କରି ସାରିଲେଣି କି ସେ ଏଥର ତାଙ୍କର ପାରମ୍ପରିକ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଛାଡ଼ି ପଶ୍ଚିମ ଓଡ଼ିଶାରୁ ଲଢ଼ିବେ। ଓଡ଼ିଶା ନିର୍ବାଚନ ଇତିହାସ ଅନୁସାରେ ନବୀନ ହେବେ ପଶ୍ଚିମ ଓଡ଼ିଶାରୁ ନିର୍ବାଚିତ ଚତୁର୍ଥ ମୁଖ୍ୟମନ୍ତ୍ରୀ। ଆସନ୍ତୁ ଜାଣିବା ଏହି କ୍ରମରେ କିଏ ତାଙ୍କର ପୂର୍ବସୂରୀ।
ହରେକୃଷ୍ଣ ମହତାବଙ୍କ ଠାରୁ ଏବେ ଯାଏଁ ରାଜ୍ୟରେ ୧୪ ଜଣ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିବା ବେଳେ ନବୀନ ସର୍ବାଧିକ ସମୟ ଏହି ଆସନରେ ବସିବା ସହ ରାଜ୍ୟର ନେତୃତ୍ୱ ନେଇ ଆସିଛନ୍ତି । ତେବେ ପଶ୍ଚିମ ଓଡ଼ିଶାରୁ ୩ ଜଣ ଏହି ସମ୍ମାନଜନକ ଆସନରେ ବସିବାର ଗୌରବ ଲାଭ କରିଛନ୍ତି । ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢି ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ୱନାଥ ଦାଶ ଓ ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାର ସୌଭାଗ୍ୟ ପାଇଛନ୍ତି ।
Frontline - The Hinduରାଜେନ୍ଦ୍ର ନାରାୟଣ ସିଂହଦେଓ : ପାଟଣାଗଡ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ପଶ୍ଚିମ ଓଡିଶାର ପ୍ରଥମ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ସୁଯୋଗ ପାଇଥିଲେ । ୮ ମାର୍ଚ୍ଚ ୧୯୬୭ ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଐତିହାସିକ ଦିନ ହୋଇ ରହିଛି । କାରଣ ପାଟଣାଗଡ ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ହାତକୁ ଆସିଥିଲା ରାଜ୍ୟର କ୍ଷମତା ଡୋରି । କଂଗ୍ରେସ ବିରୋଧୀ ମୋର୍ଚ୍ଚାର ନେତୃତ୍ୱ ନେଉଥିବା ପ୍ରଜା ସୋସିଆଲିଷ୍ଟ ପାର୍ଟିର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓ ବଲାଙ୍ଗୀରରୁ ନିର୍ବାଚିତ ହେବା ସହ ହରେକୃଷ୍ଣ ମହତାବଙ୍କ ଆଞ୍ଚଳିକ ଦଳ ଜନ କଂଗ୍ରେସର ସମର୍ଥନରେ ସରକାର ଗଢିବାକୁ ସୁଯୋଗ ପାଇଥିଲେ । କିନ୍ତୁ ୫ ବର୍ଷ ଶାସନକାଳ ପୂରଣ କରିବା ପୂର୍ବରୁ ୯ ଜାନୁଆରି ୧୯୭୧ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ ।
Indianetzoneବିଶ୍ୱନାଥ ଦାଶ : ରାଜେନ୍ଦ୍ର ନାରାୟଣ ସିଂହଦେଓ ଇସ୍ତଫା ଦେବା ପରେ ଫାଙ୍କା ପଡିଥିବା ମୁଖ୍ୟମନ୍ତ୍ରୀ ଚୌକିରେ ପୁଣି ଥରେ ବସିବାର ସୁଯୋଗ ପାଇଥିଲେ ପଶ୍ଚିମ ଓଡିଶାର ରାଉରକେଲା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଶ୍ୱନାଥ ଦାଶ । ସେତେବେଳେ ବିଜୁ ପଟ୍ଟନାୟକଙ୍କ ଆଞ୍ଚଳିକ ଦଳ ଉତ୍କଳ କଂଗ୍ରେସ ଓ ସ୍ୱତନ୍ତ୍ର ପାର୍ଟିର ମେଣ୍ଟ ସରକାରର ନେତୃତ୍ୱ ନେବା ସହ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ଗଞ୍ଜାମ ଜିଲ୍ଲାର ମୂଳନିବାସୀ ବିଶ୍ୱନାଥ ଦାଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାର ୧୪ ମାସ ପରେ ୧୯୭୨ ଜୁନ ୧୪ରେ ଇସ୍ତଫା ଦେଇଥିଲେ ।
ହେମାନନ୍ଦ ବିଶ୍ୱାଳ : ବିଶ୍ୱନାଥ ଦାଶ ଇସ୍ତଫା ଦେବାର ୧୨ ବର୍ଷ ପରେ ପୁଣିଥରେ ପଶ୍ଚିମ ଓଡିଶା ନେତାଙ୍କ ହାତକୁ ଆସିଥିଲା ମୁଖ୍ୟମନ୍ତ୍ରୀ ଆସନ । କଂଗ୍ରେସର ହେଭିୱେଟ ନେତା ହେମାନନ୍ଦ ବିଶ୍ୱାଳଙ୍କୁ ଦୁଇ ଦୁଇ ଥର ୩ ମାସିଆ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ପ୍ରଥମେ ୧୯୮୯ ମସିହାରେ ଦଳ ତାଙ୍କ ହାତରେ ଦେଇଥିଲା ରାଜ୍ୟର ଶାସନ ଭାର । ଲାଇକେରାର ବିଧାୟକ ହେମାନନ୍ଦଙ୍କ ଉପରେ ଦ୍ୱିତୀୟ ଥର ପାଇଁ ଦଳ ୧୯୯୯ ମସିହାରେ ଭରସା କରିଥିଲା । ୧୯୯୯ ଡିସେମ୍ବର ୬ରେ ପୁର୍ନବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେମାନନ୍ଦ। ତେବେ ସେତେବେଳେ ମଧ୍ୟ ମାତ୍ର ୩ ମାସ ପାଇଁ ଏହି ଚୌକିରେ ବସିଥିଲେ ହେମାନନ୍ଦ । ଏହାପରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ରାଜ୍ୟ ରାଜନୀତିକୁ ଆସିଲେ ନବୀନ ପଟ୍ଟନାୟକ । ଲଗାତାର ୪ ଥର ମୁଖ୍ୟମନ୍ତ୍ରୀ ହେବା ସହ ରାଜ୍ୟ ରାଜନୀତିରେ ନୂଆ ଇତିହାସ ସୃ୍ଷ୍ଟି କରିଛନ୍ତି ନବୀନ । ତେବେ ଦକ୍ଷିଣ ଗଡରୁ ପଶ୍ଚିମ ଗଡକୁ ଯିବା ପାଇଁ ନବୀନ ସଜବାଜ ହେଉଥିବା ପଶ୍ଚିମ ଓଡିଶା ବାସୀଙ୍କ ମନରେ ମଧ୍ୟ ଏକ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।
Follow Us