ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଓଡ଼ିଶାରେ ୧୭ ଜଣ କୋଟିପତି ପ୍ରାର୍ଥୀ

Advertisment
ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଓଡ଼ିଶାରେ ୧୭ ଜଣ କୋଟିପତି ପ୍ରାର୍ଥୀ

Image Souce: Naiduniya

ନୂଆଦିଲ୍ଲୀ: ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ ତରଫରୁ ପ୍ରକାଶିତ ତଥ୍ୟ ଅନୁସାରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି କୋଟିପତି।

ପ୍ରାର୍ଥୀମାନଙ୍କ ମଧ୍ୟରୁ କୋଟିପତି ତାଲିକାର ଶୀର୍ଷରେ ଅଛନ୍ତି ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ। ତାଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ମିଶି ପ୍ରାୟ ୧୦୪ କୋଟି ଟଙ୍କା ହେବ। ୧୦୭ କୋଟି ଟଙ୍କା ଋଣ କରି ସବୁଠୁ ଅଧିକ ଟଙ୍କା ଋଣ କରିଥିବା ପ୍ରାର୍ଥୀ ତାଲିକାର ଶୀର୍ଷରେ ମଧ୍ୟ ସେ ଅଛନ୍ତି।

ତାଙ୍କ ପଛକୁ ଥିବା ବାଲେଶ୍ୱର ଆସନର କୋଟିପତି ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୭୨ କୋଟି ଟଙ୍କା। କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ କୋଟିପତି ପ୍ରାର୍ଥୀ ତାଲିକା ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କର ଅସ୍ଥାବର ଓ ସ୍ଥାବର ସମ୍ପତ୍ତିର ମୋଟ୍‌ ମୂଲ୍ୟ ପ୍ରାୟ ୫୭ କୋଟି ଟଙ୍କା।

ଭଦ୍ରକ ଆସନର ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ୪ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିର ଅଧିକାରୀ ହୋଇ କୋଟିପତି ପ୍ରାର୍ଥୀ ତାଲିକାରେ ସ୍ଥାନିତ ହୋଇଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କର ସମ୍ପତ୍ତିର ମୂଲ୍ୟ ମଧ୍ୟ ୪ କୋଟିରୁ ଅଧିକ। ଜଗତ୍‌ସିଂହପୁର ଆସନର ବିଜେଡି ପ୍ରାର୍ଥିନୀ ରାଜଶ୍ରୀ ମଲିକଙ୍କର ସମ୍ପତ୍ତିର ମୂଲ୍ୟ ୪ କୋଟିରୁ ଅଧିକ ହେବ। ଭଦ୍ରକ ଆସନର ବିଜେଡି ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳଙ୍କର ସମ୍ପତ୍ତିର ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା।

ମୟୂରଭଞ୍ଜ ନିର୍ବାଚନ ମଣ୍ଡଳୀର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥିନୀ ଅଞ୍ଜନି ସୋରେନଙ୍କର ସମ୍ପତ୍ତିର ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ୱ। ଯାଜପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅମିୟକାନ୍ତ ସେଠୀଙ୍କର ସବୁ ସମ୍ପତ୍ତି ମିଶି ୨ କୋଟିରୁ ଅଧିକ ଟଙ୍କା ହେବ। ଭଦ୍ରକ ଆସନର ଜାତୀୟ କଂଗ୍ରେସ ପ୍ରାର୍ଥିନୀ ମଧୁମିତା ସେଠୀଙ୍କର ସମ୍ପତ୍ତି ମଧ୍ୟ ୨ କୋଟିରୁ ବେଶୀ। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଓଡ଼ିଆ ଅଭିନେତା ଅନୁଭବ ମହାନ୍ତିଙ୍କ ସମ୍ପତ୍ତି ମଧ୍ୟ ୨ କୋଟିରୁ ଊର୍ଦ୍ଧ୍ୱ। ବାଲେଶ୍ୱର ଆସନର ଅମ୍ବେଦକର ନେସ୍‌ନାଲ୍‌ କଂଗ୍ରେସର ପ୍ରାର୍ଥୀ ମହମ୍ମଦ ଅଲିଙ୍କ ପାଖରେ ୨ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି।

ଯାଜପୁର ବିଜେଡି ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀଙ୍କର ସମ୍ପତ୍ତିର ମୂଲ୍ୟ ୧ କୋଟିରୁ ଅଧିକ। ଯାଜପୁର କଂଗ୍ରେସ ପ୍ରାର୍ଥୀ ମାନସ ଜେନାଙ୍କ ସମ୍ପତ୍ତି ମଧ୍ୟ ୧ କୋଟିରୁ ଅଧିକ ଟଙ୍କା ମୂଲ୍ୟର। ଯାଜପୁର ଜୟପ୍ରକାଶ ଜନତା ଦଳ ପ୍ରାର୍ଥୀ ଶଙ୍କର ବେହେରାଙ୍କ ପାଖରେ ଥିବା ସମ୍ପତ୍ତିର ମୂଲ୍ୟ ବି ୧ କୋଟି ଟଙ୍କାରୁ ବେଶୀ। ମୟୂରଭଞ୍ଜ ବିଜେଡି ପ୍ରାର୍ଥୀ ଡକ୍ଟର ଦେବାଶିଷ ମାର୍ଣ୍ଡିଙ୍କର ସମ୍ପତ୍ତିର ମୂଲ୍ୟ ୧ କୋଟିରୁ ଅଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe