ନିଜର ନାହିଁ, ଅନ୍ୟ ପାଇଁ ଚିନ୍ତା: ୫ ବିଧାୟକଙ୍କର ନାହିଁ ପଞ୍ଚାୟତ, ଅନ୍ୟ ପଞ୍ଚାୟତରେ ଡେରା ପକାଇଛନ୍ତି

Advertisment
ଆଜି ନାଏବ୍ ସରପଞ୍ଚ ନିର୍ବାଚନ

The Economic Times

ଭୁବନେଶ୍ବର,(ବିଶ୍ବଜିତ ଦାଶ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସବୁ ବିଧାୟକ ଏବେଠୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ହେଲେ ରାଜ୍ୟର ଏମିତି ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି ଯେଉଁଠି ବିଧାୟକଙ୍କ ଅଧୀନରେ କୌଣସି ପଞ୍ଚାୟତ ନାହିଁ। ‌କିନ୍ତୁ ସେମାନେ ବି ପଞ୍ଚାୟତ ନିର୍ବାଚନକୁ ନେଇ ଚିନ୍ତାରେ। ନିଜ ପାଇଁ ନହେଲେ ବି ଦଳ ପାଇଁ ଅନ୍ୟ ପଞ୍ଚାୟତରେ ଏବେ ସେମାନେ ବ୍ୟସ୍ତ।

ଭୁବନେଶ୍ବର (ମଧ୍ୟ), କଟକ (ବାରବାଟୀ), ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କୌଣସି ପଞ୍ଚାୟତ ଅଞ୍ଚଳ ନଥିଲେ ବି ଏହି ୫ ସହରର ବିଧାୟକମାନେ ଏବେ ନିଜ ନିଜ ଦଳର ବିଧାୟକଙ୍କୁ ଜିତାଇବାକୁ ବିଭିନ୍ନ ସ୍ଥାନରେ ଡେରା ପକାଇଛନ୍ତି। କିଏ ଅନ୍ୟ ନିର୍ବାଚନମଣ୍ଡଳୀରେ ପ୍ରଚାର ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ତ କିଏ ପୂରା ଜିଲ୍ଲା ପାଇଁ ଗୋଟି ଚାଳନା କରୁଛନ୍ତି। ଏମିତି ୫ଜଣ ବିଧାୟକ ହେଲେ ଭୁବନେଶ୍ବର ମଧ୍ୟର ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା, କଟକ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍, ରାଉରକେଲାର ବିଜେଡି ବିଧାୟକ ସାରଦା ନାୟକ, ବ୍ରହ୍ମପୁରର ବିଜେଡି ବିଧାୟକ ବିକ୍ରମ ପଣ୍ଡା ଏବଂ ସମ୍ବଲପୁରର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର।

ସବୁ ଦଳ ପଞ୍ଚାୟତ ନିର୍ବାଚନରେ ଯେପରି ଜିତିବେ ଏବଂ ବିଜୟ ଆଶା ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦେବେ ସେଥିପାଇଁ ସ୍ଥାନୀୟ ବିଧାୟକ କିମ୍ବା ହାରିଥିବା/ ଅଶାୟୀ ଥିବା ବିଧାୟକ ପ୍ରାର୍ଥୀଙ୍କୁ ଟିକେଟ୍ ବାଣ୍ଟିବା ଦାୟିତ୍ବ ଦେଇଛନ୍ତି। ବିଜେଡିର ସବୁ ବିଧାୟକଙ୍କୁ ସେମାନଙ୍କ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଦିଆଯାଇଛି। ଏପରିକି ସେମାନଙ୍କ ଅଞ୍ଚଳରେ ନିର୍ବାଚନ ନସରିବା ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀ ନଛାଡ଼ିବାକୁ କୁହାଯାଇଛି। ବାକି ସ୍ଥାନରେ ହାରିଥିବା ବା ପୁରୁଣା ନେତାଙ୍କୁ ଦଳ ଟିକେଟ୍ ବାଣ୍ଟିବା ଦାୟିତ୍ବ ଦେଇଛି। ହେଲେ ଯେଉଁଠି ଦଳର ସଂଗଠନ ଦୁର୍ବଳ ଅଛି ବା ବିରୋଧୀ ଦଳ ବାଜିମାତ୍ କରିବାର ଆଶଙ୍କା ଅଛି ସେଠାରେ ଦଳ ଅନ୍ୟ ବିଧାୟକ ଏବଂ ସହରାଞ୍ଚଳର ନେତାଙ୍କୁ ସହଯୋଗ ପାଇଁ ଦାୟିତ୍ବ ଦେଇଛି।

ସୁନ୍ଦରଗଡ଼ ଜିଲ୍ଲା ବିଜେଡିରେ ଦବ୍‌ଦବା ରଖୁଥିବା ସାରଦା ନାୟକଙ୍କ ନିର୍ବାଚନମଣ୍ଡଳୀରେ କୌଣସି ପଞ୍ଚାୟତ ନଥିଲେ ବି ପୂରା ସୁନ୍ଦରଗଡ଼ ଜିଲ୍ଲାରେ କିପରି ବିଜେଡି ବାଜିମାତ୍ କରିବ ସେନେଇ ଶ୍ରୀ ନାୟକ ଜୋ‌ର୍‌ଦାର୍ ଉଦ୍ୟମ ଚଳାଇଛନ୍ତି। ଏହି ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀ ଭିତରୁ ମାତ୍ର ଦୁଇଟିରେ ବିଜେଡି ବିଧାୟକ ଥିବାରୁ ବାକି ୫ଟିରେ କିପରି ବିରୋଧୀଙ୍କୁ ମାତ୍‌ ଦିଆଯିବ, ଜିଲ୍ଲା ପରିଷଦ ଜୋନ୍‌ ଦଖଲ ହେବ ସେନେଇ ଏବେ ସାରା ଜିଲ୍ଲାରେ ବୁଲୁଛନ୍ତି। ସେହିପରି ଆଉ ଜଣେ ହେ‌ଲେ ଭୁବନେଶ୍ବର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା। ଅନନ୍ତଙ୍କ ଅଧୀନରେ ଗୋଟିଏ ବି ପଞ୍ଚାୟତ ନଥିବାରୁ ତାଙ୍କୁ ଦଳ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ୍‌ ଦାୟିତ୍ବ ଦେଇଛି। ସାନଖେମୁଣ୍ଡି, ଧରାକୋଟ ବ୍ଲକରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ଅନନ୍ତ ବି ସେଠାରେ ଡେରା ପକାଇଛନ୍ତି। ଏନେଇ ଶ୍ରୀ ଜେନା କହିଛନ୍ତି ଯେ, ମୋ ନିର୍ବାଚନ ମଣ୍ଡଳୀରେ କୌଣସି ପଞ୍ଚାୟତ ଅଞ୍ଚଳ ନଥିବାରୁ ମୋତେ ଦଳ ଗଞ୍ଜାମ ପଠାଇଛି। ସେଠାରେ କଂଗ୍ରେସ ବିଧାୟକ ଥିବାରୁ ଟିକେଟ୍ କିଏ ପାଇବେ ସେନେଇ ସ୍ଥାନୀୟ ବିଜେଡି ନେତା ଓ ଦଳ ନିଷ୍ପତ୍ତି ନେଉଛନ୍ତି। ମୋତେ ପ୍ରଚାର ଦାୟିତ୍ବ ଏବଂ ନିର୍ବାଚନରେ କିପରି ବିଜେଡି କ୍ଲିନ୍ ସୁଇପ୍ କରିବ ସେ ଦାୟିତ୍ବ ଦିଆଯାଇଛି।

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଅଧୀନରେ କୌଣସି ପଞ୍ଚାୟତ ନଥିବାରୁ ତାଙ୍କୁ ଦଳ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ଦା‌ୟିତ୍ବ ଦେଇଛି। ସେଠାରେ ବିଜେଡିର ବିଧାୟକ ଥିଲେ ବି ଶ୍ରୀ ପଣ୍ଡା ତାଙ୍କୁ ନିର୍ବାଚନ ପରିଚାଳନାରେ ସ‌ାହାଯ୍ୟ କରିବେ।

ଏପଟେ ବିଜେପିର ବିଧାୟକମାନଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀ ସହ ସେମାନଙ୍କ ଜିଲ୍ଲା ଓ ପାଖ ଜିଲ୍ଲା ଦାୟିତ୍ବ ବି ଦିଆଯାଇଛି। ସମ୍ବଲପୁରର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଅଧୀନରେ କୌଣସି ପଞ୍ଚାୟତ ଅଞ୍ଚଳ ନଥିଲେ ବି ତାଙ୍କୁ ପୂରା ସମ୍ବଲପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି। ସମ୍ବଲପୁର ରାଜନୀତିରେ ଶ୍ରୀ ମିଶ୍ରଙ୍କର ଦବ୍‌ଦବା ଅଧିକ ରହୁଥିବା ବେଳେ ରେଙ୍ଗାଲିରେ ତାଙ୍କ ଅନୁଗତ ନାଉରୀ ନାୟକ ବିଧା‌ୟକ ଅଛନ୍ତି।

କୁଚିଣ୍ଡାରେ ବିଜେଡି ଓ ବିଜେପିର ମିଶ୍ର ପ୍ରଭାବ ଥିବାବେଳେ ରେଢାଖୋଲରେ ବିଜେଡି ବିଧାୟକ ଅଛନ୍ତି। ତେଣୁ ଶ୍ରୀ ମିଶ୍ର ଏବେ ରେଙ୍ଗାଳି, କୁଚିଣ୍ଡା, ରେଢାଖୋଲରେ କିଏ ପ୍ରାର୍ଥୀ ହେବ, ଦଳ କିପରି ଭଲ ପ୍ରଦର୍ଶନ କରିବ ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। କୋଭିଡ ସଂକ୍ରମଣ ପାଇଁ ଶ୍ରୀ ମିଶ୍ର ଏବେ ଅସୁସ୍ଥ ଅଛନ୍ତି। ତାହା ସତ୍ତ୍ବେ ଭର୍ଚୁଆଲ ମୋଡରେ ବୈଠକ କରି ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

କଟକ ବାରବାଟୀରେ କଂଗ୍ରେସରୁ ମହମ୍ମଦ ମୋକିମ୍ ବିଧାୟକ ଅଛନ୍ତି। ପୂର୍ବରୁ କଟକ ଜିଲ୍ଲା କଂଗ୍ରେସର ସଭାପତି ଥିବା ମୋକ୍କିମ୍ ଏବେ ବି କଟକ ଜିଲ୍ଲାର କେଉଁ ନିର୍ବାଚନ ମଣ୍ଡଳୀରେ କିଏ ପ୍ରାର୍ଥୀ ହେବ ତାହାର ତଦାରଖ କରୁଛନ୍ତି। କଟକରେ କଂଗ୍ରେସ ଯେପରି ଭଲ ପ୍ରଦର୍ଶନ କରିବ ସେନେଇ ମୋକିମ୍‌ ଏବଂ ତାଙ୍କର ଅନୁଗତମାନେ ଲାଗିପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe