କଟକଣା ଲାଗିଲା : ନିର୍ବାଚନ ତାରିଖ ଘୋଷଣା ପରେ ସାରା ରାଜ୍ୟରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

Advertisment
କଟକଣା ଲାଗିଲା : ନିର୍ବାଚନ ତାରିଖ ଘୋଷଣା ପରେ ସାରା ରାଜ୍ୟରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ବର : ନିର୍ବାଚନ ତାରିଖ ଘୋଷଣା ପରେ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ରବିବାର ସନ୍ଧ୍ୟା ୫ଟାରୁ ଲାଗୁ ହୋଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଯଥେଷ୍ଟ ପୂର୍ବରୁ ରାଜ୍ୟ ମୁଖ୍ୟଶାସନ ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ସବୁ ସରକାରୀ ହୋର୍ଡ଼ିଂ ଓ ବିଜ୍ଞାପନ କାଢ଼ିନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ନହୋଇଥିଲେ ଆସନ୍ତା ୨୪ ଘଣ୍ଟା ଭିତରେ ହୋର୍ଡ଼ିଂ ଓ ସରକାରୀ ଯୋଜନାର ପ୍ରଚାର ପତ୍ର କାଢ଼ିନେବାକୁ ଜଣାଇ ଦିଆଯାଇଛି େବାଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁେରନ୍ଦ୍ର କୁମାର କହିଛନ୍ତି।

ଏହା ନ ହୋଇଥିଲେ ଆଦର୍ଶ ଆଚରଣ ବିଧି ଉଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାତି ୧୦ଟା ପରେ ଓ ସକାଳ ୬ଟା ପୂର୍ବରୁ ପ୍ରଚାରକୁ ନିଷିଦ୍ଧ କରାଯାଇଛି। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ପ୍ରାକୃତିକ ବିପର୍ଯ୍ୟୟ ଛାଡ଼ି କୌଣସି ବି ସରକାରୀ ଯୋଜନାରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇପାରିବନାହିଁ।

କିନ୍ତୁ ପୂର୍ବରୁ ଜାରି ରହିଥିବା ହିତାଧିକାରୀ ତାଲିକା ଅନୁଯାୟୀ ଡିବିଟି ଜରିଆରେ ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଦାନ କରିହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। କିନ୍ତୁ କୌଣସି ବି ପରିସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟ ସହାୟତା କିମ୍ବା ସତର୍କତା ସୂଚନା ଦେବାବେଳେ କାହାର ନେତାଙ୍କ ଫଟୋ କିମ୍ବା ବିଜ୍ଞାପନ ପ୍ରକାଶ ପାଇବ ନାହିଁ। ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ପର୍ଯ୍ୟନ୍ତ ଆଜିଠାରୁ ଗଣମାଧ୍ୟମରେ କୌଣସି ସରକାରୀ ବିଜ୍ଞାପନ ପ୍ରକାଶ କରାଯାଇ ପାରିବନି। ସାମାଜିକ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଜିଲ୍ଲା ସ୍ତରରେ ସ୍ବତନ୍ତ୍ର ସେଲ ଗଠନ କରାଯାଇଛି। କମିଟି ଦ୍ବାରା ଅନୁମୋଦିତ ବିଷୟ ହି ସାମାଜିକ ଗଣମାଧ୍ୟମ ଯଥା ଫେସବୁକ, ଟୁଇଟରରେ ପ୍ରକାଶ ପାଇବ। ଏହାକୁ ମନିଟର କରିବାକୁ ଖୁବଶୀଘ୍ର ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ବତନ୍ତ୍ର ବୈଷୟିକ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଶ୍ରୀ କୁମାର କହିଛନ୍ତି। ସେହିପରି ପେଡ ନ୍ୟୁଜ ପ୍ରସାରଣ ରୋକିବାକୁ ମଧ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଅପରାଧ ମାମଲା ଥିଲେ ଗଣମାଧ୍ୟମରେ ଜଣାଇବେ ପ୍ରାର୍ଥୀ
ଭୁବନେଶ୍ବର : ଅପରାଧିକ ମାମଲାରେ ଜଡ଼ିତ ଥିବା ପ୍ରାର୍ଥୀ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ କମିସନ ପ୍ରଥମ କରି ନୂଆ ବ୍ୟବସ୍ଥା କରିଛନ୍ତି। ଅପରାଧିକ ମାମଲା ଥିବା ପ୍ରାର୍ଥୀ ନିଜ ଆଡ଼ୁ ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ୩ ଥର ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ନିଜ ମାମଲା ସମ୍ପର୍କରେ ଲୋକଙ୍କୁ ଜଣାଇବାକୁ ବିଜ୍ଞପ୍ତି ପ୍ରକାଶ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ଏକାଧିକ ସତ୍ୟପାଠ ବଦଳରେ ପ୍ରାର୍ଥୀ ଗୋଟିଏ ସତ୍ୟପାଠ ନାମାଙ୍କନ ପତ୍ର ସହ ଦାଖଲ କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରାର୍ଥୀ ନିଜର ୫ବର୍ଷର ଆୟ ସମ୍ପର୍କରେ ସତ୍ୟପାଠ ଜରିଆରେ ଉଲ୍ଲେଖ କରିବା ସହ ନାମାଙ୍କନ ପତ୍ରରେ ଥିବା କୌଣସି ଗୋଟିଏ ବି କୋଠରୀ ଖାଲି ଛାଡ଼ିବେ ନାହିଁ । ଏହାର ଉଲଂଘନ କଲେ ପ୍ରାର୍ଥୀ ପତ୍ର ନାକଚ କରିଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe