New Delhi: Prime Minister of Mauritius, Pravind Kumar Jugnauth shakes hands with Petroleum Minister Dharmendra Pradhan during a meeting in New Delhi on Friday. PTI Photo by Kamal Singh(PTI5_26_2017_000168B)
ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ। କିନ୍ତୁ କେଉଁ ଆସନରୁ ଲଢ଼ିବେ, ଲୋକସଭାରୁ ନା ବିଧାନସଭାରୁ। ସେ ସଂପର୍କରେ ଦଳ ନିଷ୍ପତ୍ତି ନେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। କିନ୍ତୁ ଧର୍ମେନ୍ଦ୍ରଙ୍କ ଘୋଷଣାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପାଖାପାଖି ଦଶ ବର୍ଷର ବ୍ୟବଧାନରେ ସେ ନିର୍ବାଚନ ଲଢ଼ି ଭାଗ୍ୟ ପରୀକ୍ଷା କରିବେ।
ଧର୍ମେନ୍ଦ୍ର ଶେଷଥର ପାଇଁ ୨୦୦୯ରେ ସାଧାରଣ ନିର୍ବାଚନ ଲଢ଼ିଥିଲେ। ସେହି ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କଠାରୁ ଧର୍ମେନ୍ଦ୍ର ପରାସ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିହାରରୁ ରାଜ୍ୟସଭାକୁ ଯାଇ ଧର୍ମେନ୍ଦ୍ର ଜାତୀୟ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିଥିଲେ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନ୍ଡିଏ ସରକାର ଗଠନ ହେବା ପରେ ଧର୍ମେନ୍ଦ୍ର ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଏବଂ ଏବେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ଓଡ଼ିଶାରେ ନିଜକୁ ନବୀନଙ୍କ ବିକଳ୍ପ ଭାବେ ଉପସ୍ଥାପନ କରିବାକୁ ଉଦ୍ୟମ କରୁଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ବିଜେପିର ସଫଳତାର ଶ୍ରେୟ ବି କେତେକାଂଶରେ ଧର୍ମେନ୍ଦ୍ରଙ୍କୁ ଯାଉଛି। ଦଳର ମୋହର ବାଜି ନଥିଲେ ବି ଓଡ଼ିଶାରେ ଧର୍ମେନ୍ଦ୍ର ବିକଳ୍ପ ମୁଖ୍ୟମନ୍ତ୍ରୀ ଚେହେରା ପାଲଟିଥିବାରୁ ସେ କେଉଁଠୁ ନିର୍ବାଚନ ଲଢିବେ, ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।
ନିର୍ବାଚନରେ ଜୟ ଓ ପରାଜୟର ଖଟାମିଠା ଅନୁଭବ ରହିଛି ଧର୍ମେନ୍ଦ୍ରଙ୍କର। ବିଜେଡି-ବିଜେପି ମେଣ୍ଟ ହେବା ପରେ ପ୍ରଥମ ଥର ପାଇଁ ସେ ପାଳଲହଡ଼ାରୁ ୨୦୦୦ ମସିହାରେ ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ିଥିଲେ। ସ୍ୱାଧୀନ ପ୍ରାର୍ଥୀ ଡକ୍ଟର ନୃସିଂହ ଚରଣ ସାହୁଙ୍କୁ ୯,୮୭୯ଭୋଟ୍ରେ ହରାଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ କିନ୍ତୁ ଧର୍ମେନ୍ଦ୍ର ଦେବଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ର ୭୯,୦୯୬ ଖଣ୍ଡ ଭୋଟ୍ ବ୍ୟବଧାନରେ କଂଗ୍ରେସର ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କୁ ହରାଇ ସଂସଦକୁ ନିର୍ବାଚିତ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ୨୦୦୯ ନିର୍ବାଚନରେ ଧର୍ମେନ୍ଦ୍ର ପୁଣି ପାଳଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାଗ୍ୟ ପରୀକ୍ଷା କରିଥିଲେ। କିନ୍ତୁ ବିଜେଡି ପ୍ରାର୍ଥୀ ରବିନାରାୟଣ ପାଣିଙ୍କଠାରୁ ଧର୍ମେନ୍ଦ୍ର ୫,୪୬୭ ଖଣ୍ଡ ଭୋଟ୍ରେ ହାରି ଯାଇଥିଲେ। ତେବେ ୨୦୧୪ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ଆଉ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ।
୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ତୁଳନାତ୍ମକ ଭାବେ ନିଜର ଶକ୍ତି ବୃଦ୍ଧି କରିପାରିଥିଲା। ତାହାର ଶ୍ରେୟ ଯଦିଓ କିଛି ପରିମାଣରେ ଧର୍ମେନ୍ଦ୍ରଙ୍କୁ ଦିଆଯାଉଛି କିନ୍ତୁ ଧର୍ମେନ୍ଦ୍ରଙ୍କ ନିଜ ଜିଲ୍ଲା ଅନୁଗୁଳରେ ବିଜେପିକୁ ସେଭଳି ଉଲ୍ଲେଖନୀୟ ସଫଳତା ମିଳିପାରି ନାହିଁ। ହେଲେ ଧର୍ମେନ୍ଦ୍ରଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ପାଳଲହଡ଼ା ସମେତ ପାର୍ଶ୍ୱବର୍ତ୍ତୀ ଦୁଇ ବ୍ଲକ୍ରେ ବିଜେପିକୁ ବେଶ୍ ଭଲ ସଫଳତା ମିଳିଛି। ବିଜେଡି ଦଖଲରେ ଥିବା ପାଳଲହଡ଼ା, କଣିହାଁ ଓ ତାଳଚେର ବ୍ଲକ୍କୁ ବିଜେପି ନିଜ ଦଖଲକୁ ନେଇପାରିଛି। ଏହି ବ୍ଲକ୍ ଅଧୀନରେ ଯାଉଥିବା ୧୦ଟି ଜିଲ୍ଲା ପରିଷଦ ଜୋନ୍ରୁ ବିଜେପି ୮ଟିରେ ଜିତିିଥିବା ବେଳେ ବିଜେଡିକୁ ମିଳିଛି ମାତ୍ର ୨ଟି।
ଏଭଳି ସ୍ଥିତିରେ ଧର୍ମେନ୍ଦ୍ର ଦଶ ବର୍ଷ ପରେ ଭାଗ୍ୟ ପରୀକ୍ଷା ପାଇଁ ଯଦି ନିଜର ପୁରୁଣା ପାଳଲହଡ଼ା ନିର୍ବାଚନ ମଣ୍ଡଳୀକୁ ବାଛନ୍ତି, ତେବେ ସେଥିରେ ବିଶେଷ ଚକିତ ହେବାର ନାହିଁ। ଧର୍ମେନ୍ଦ୍ର ଯେଉଁଠୁ ନିର୍ବାଚନ ଲଢିବେ, ନିଶ୍ଚିତ ଭାବେ ସେହି ନିର୍ବାଚନ ମଣ୍ଡଳୀର ଚର୍ଚ୍ଚା ତଥା ଗୁରୁତ୍ୱ ବଢ଼ିଯିବ। କିନ୍ତୁ ୨୦୧୮ରେ ବିଧାନସଭା ନିର୍ବାଚନ ସମ୍ଭାବନାକୁ ନେଇ ଯେଉଁ ଆକଳନ ଆରମ୍ଭ ହୋଇଛି, ସେଥିରେ ଧର୍ମେନ୍ଦ୍ର ବିଧାନସଭାରେ ନିଜ ଭାଗ୍ୟକୁ ବାଜି ଲଗାଇବେ ନା ୨୦୧୯ ଲୋକସଭା ନିର୍ବାଚନରେ ମୋଦି ହାଓ୍ଵାର ସୁଯୋଗ ଅପେକ୍ଷାରେ ରହିବେ, ତାହା ସ୍ପଷ୍ଟ ହେବାକୁ ହୁଏତ ସମୟ ଲାଗିବ।
Follow Us