୧୯ରେ ବିଜେପିରେ ମିଶିବେ ଅପରାଜିତା

Advertisment
ଏହି ଓଡ଼ିଆ ଛବିରେ ମହାଶ୍ୱେତା ନଥିଲେ, ଅନ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ ବନିଥିଲେ ପ୍ରଶାନ୍ତଙ୍କ ନାୟିକା

ଭୁବନେଶ୍ୱର : ଓଲିଉଡ୍‌ ତାରକାଙ୍କୁ ନିଜ ଦଳରେ ସାମିଲ୍‌ କରାଇବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଚାଲିବା ପ୍ରତିଯୋଗିତାର ଆଉ ଏକ ଅଧ୍ୟାୟ ଚର୍ଚ୍ଚାକୁ ଆସିଛି। ତିନି ଦିନ ତଳେ କଂଗ୍ରେସ ଛାଡ଼ିଥିବା ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ଗେରୁଆ ପତାକା ଧରିବାକୁ ଯାଉଛନ୍ତି। ଆସନ୍ତା ୧୯ ତାରିଖରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେବେ। ଲୋକପ୍ରିୟ ଯୁବ ଅଭିନେତାମାନଙ୍କୁ ବିଜେଡି ନେଇଯାଇଥିଲା ବେଳେ ବିଗତ ଦିନର ଦୁଇ ସୁପର୍‌ହିଟ୍‌ ନାୟିକା ମହାଶ୍ୱେତା ଓ ଅପରାଜିତା ବିଜେପି ଶିବିରକୁ ଆସିଲା ପରେ ରାଜ୍ୟ ରାଜନୀତିରେ ‘ଷ୍ଟାର୍‌ ଓ୍ଵାର୍‌’ ଜମିବ ବୋଲି କୁହାଯାଉଛି।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଅପରାଜିତା କଂଗ୍ରେସରେ ଯୋଗ ଦେଇଥିଲେ। ତାହା ପରେ ସେ କଟକ ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ। ଯଦିଓ ତାହା ପର ଠାରୁ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ଅପରାଜିତା ଆଉ ସକ୍ରିୟ ନାହାନ୍ତି, ତେବେ ସେ କଂଗ୍ରେସ ଛାଡ଼ି ବି ନ ଥିଲେ। ତିନି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ନେଇ ସୂଚନା ଦେଇଥିଲେ। ସେ ବିଜେପିରେ ଯୋଗ ଦେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲେ ବି ନିଜେ ଏ ନେଇ ସ୍ପଷ୍ଟ କରି ନ ଥିଲେ।

ଆଜି ଅପରାଜିତା ବିଜେପିରେ ମିଶୁଥିବା ନେଇ ସ୍ପଷ୍ଟ କରିଛନ୍ତି। କଂଗ୍ରେସ ଛାଡ଼ିବା ନେଇ ଦଳର ନେତୃତ୍ୱକୁ ଦୋଷ ଲଦିଛନ୍ତି। ସେ କହିଛନ୍ତି, ମୁଁ ଯୋଗ ଦେଲା ବେଳେ କଂଗ୍ରେସ ଦୁର୍ବଳ ଥିଲା। ନିର୍ବାଚନ ଲଢ଼ିବା ବେଳେ ମୁଁ ବହୁ ପରିଶ୍ରମ କରିଛି। କଂଗ୍ରେସରେ ଦକ୍ଷ ନେତୃତ୍ୱର ଅଭାବ ରହିଲା। ମୁଁ ଦଳ ଭିତରେ କିଛି ସମର୍ଥନ ଓ ସହଯୋଗ ପାଇଲି ନାହିଁ।

ବିଜେପିରେ ମିଶିବା ପ୍ରସଙ୍ଗରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶୁଛି। ଓଡ଼ିଶାରେ ବିଜେପିର ଭବିଷ୍ୟତ ଉଜ୍ଜ୍ୱଳ। ୨୦୧୯ରେ ନିଶ୍ଚିତ ବିଜେପି ସରକାର ଆସିବ।

ଅପରାଜିତାଙ୍କ ସ୍ୱାମୀ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଗତ ବର୍ଷ ବିଜେଡିରେ ଯୋଗ ଦେଇଥିଲେ। ଏହା ପରେ ପଞ୍ଚାୟତ ନିର୍ବାଚନରେ ସେ ଦଳର ତାରକା ପ୍ରଚାରକ ସାଜିଥିଲେ। ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ସେ ବିଜେଡି ପାଇଁ ମାରାଥନ୍‌ ପ୍ରଚାର କରିଥିଲେ। ତେବେ ପଞ୍ଚାୟତ ନିର୍ବାଚନ ପରେ ବିଜେଡିିର କୌଣସି କାର୍ଯ୍ୟକ୍ରମରେ ଉତ୍ତମଙ୍କୁ ବିଶେଷ ଦେଖିବାକୁ ମିଳୁ ନାହିଁ। ଉତ୍ତମ ବିଜେଡିରେ ଥିଲା ବେଳେ ଅପରାଜିତା ବିଜେପିରେ ମିଶିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି।

ଏ ନେଇ ଅପରାଜିତା ଆଜି ଗଣମାଧ୍ୟମକୁ କହିଛନ୍ତି, ଆମେ ଗୋଟିଏ ଘରେ ରହୁଥିଲେ ବି ପରସ୍ପରର ନିଷ୍ପତ୍ତିକୁ ସମ୍ମାନ ଜଣାଉ। ବିଜେପିରେ ମିଶିବା ପାଇଁ ମୁଁ ନିଷ୍ପତ୍ତି ନେଇଛି। ସେଥିରେ ତାଙ୍କର କୌଣସି ଆପତ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe