ଦାମଙ୍କୁ ଟାଣିଲେ ବାପି

Advertisment
ଦାମଙ୍କୁ ଟାଣିଲେ ବାପି

ଭୁବନେଶ୍ୱର : ଟିଟୋର ଘନିଷ୍ଠ ସହଯୋଗୀ ଜ୍ୟୋତିକାନ୍ତ(ବାପୁ) ପରିଡ଼ାଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିବା ପରେ ପାରାଦୀପ ବିଧାୟକ ଦାମୋଦର ରାଉତଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସର୍ଖେଲ କହିଛନ୍ତି ଯେ ପାରାଦୀପ ବିଧାୟକ ଶ୍ରୀ ରାଉତଙ୍କ ଏକାନ୍ତ ଘନିଷ୍ଠ ଥିବା ବାପୁ ଏକାଧିକ ଅପରାଧିକ ମାମଲାରେ ଜଡ଼ିତ। ବିଧାୟକଙ୍କ କଥାରେ ସେ ବହୁ ଅପରାଧ କରିଛି। ୨୦୦୫ରେ ବିଜେଡିର ଯୁବନେତା ମୁନା ପତି ହତ୍ୟା ଘଟଣାରେ ବି ବାପୁ ପରିଡ଼ାର ହାତ ରହିଛି। ଆଉ ଏହାର ପ୍ରଚ୍ଛଦପଟ୍ଟରେ ବିଧାୟକ ଶ୍ରୀ ରାଉତ ଥିବା ନେଇ ଶ୍ରୀ ସର୍ଖେଲ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ପାରାଦୀପକୁ ଦେଶର ବିଭିନ୍ନ ଅଞ୍ଚଳରୁ ଅନେକ ବ୍ୟବସାୟୀ ବ୍ୟବସାୟ କରିବା ପାଇଁ ଆସିଥା’ନ୍ତି। ସେମାନେ ବନ୍ଦର ଓ ଶିଳ୍ପଗୁଡ଼ିକରେ ଟେଣ୍ଡର ମାଧ୍ୟମରେ ଠିକା କାମ କରନ୍ତି। ସେମାନଙ୍କୁ ସୁରକ୍ଷା ଦେବା ନାଁରେ ବିଧାୟକ ଶ୍ରୀ ରାଉତ ବର୍ଷ ବର୍ଷ ଧରି ଟଙ୍କା ଆଦାୟ କରୁଛନ୍ତି। ଏହି କାରବାରକୁ ସୁଚିନ୍ତିତ ଉପାୟରେ କରିବା ପାଇଁ ଶ୍ରୀ ରାଉତ ପାରାଦୀପରେ ଅନେକ କ୍ରାଇମ୍‌ ସିଣ୍ଡିକେଟ୍‌ ତିଆରି କରିବା ସହ ରିଙ୍ଗ ମାଷ୍ଟର ସାଜିଛନ୍ତି। ଯେତେବେଳେ ଯାହାକୁ ଚାହାଁନ୍ତି ତାଙ୍କୁ କ୍ରାଇମ୍‌ ସିଣ୍ଡିକେଟ୍‌ରେ ପୁରଧା ସଜାଇଥାନ୍ତି। ବାପୁ ପରିଡ଼ାଙ୍କ ପରି ଆହୁରି ଅନେକ ଅସାମାଜିକ ଓ ଅପରାଧପ୍ରବଣ ଲୋକ ଅଛନ୍ତି ଯେଉଁମାନଙ୍କୁ ସ୍ଥାନୀୟ ପୁଲିସ ଦ୍ୱାରା ସୁରକ୍ଷା ଦେଇ ବିଧାୟକ ରାଉତ ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ସଂସ୍ଥାଠାରୁ ବଟି ଟଙ୍କା ଉଠାଉଛନ୍ତି। ସେହି ଟଙ୍କା ବିଧାୟକ, ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ବଣ୍ଟା ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

୨୦୦୫ରେ ହୋଇଥିବା ମୁନା ପତି ହତ୍ୟାକାଣ୍ଡର ତଦନ୍ତ ପୁଣିଥରେ କରିବାକୁ ବାପି ସର୍ଖେଲ ଦାବି କରିଛନ୍ତି। ଫଳରେ ଏହା ପଛରେ ଥିବା ବହୁ ରାଜନେତାଙ୍କ ମୁଖା ଖୋଲିଯିବ। ବାପୁ ପରିଡ଼ାଙ୍କ ଦ୍ୱାରା ଗଢ଼ା ହୋଇଥିବା ଅନେକ ସଂଗଠନରେ ବିଧାୟକଙ୍କ ପୁଅ ସମ୍ବିତ ରାଉତରାୟ ଯୋଡ଼ି ହୋଇଛନ୍ତି। ତେଣୁ ଟିଟୋ ଲିଙ୍କରେ ଦାମୋଦର ରାଉତ ଓ ସମ୍ବିତ ରାଉତରାୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଫଳରେ ଅନେକ ଗୁମର ଲୋକଲୋଚନକୁ ଆସିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe