ପୁଲିସ୍‌ ଓ ପ୍ରଶାସନ ବିଜେଡିକୁ ସହଯୋଗ କରୁଛନ୍ତି

Advertisment
ପୁଲିସ୍‌ ଓ ପ୍ରଶାସନ ବିଜେଡିକୁ ସହଯୋଗ କରୁଛନ୍ତି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି
ପ୍ରଚାର ସମୟରେ ବିଜେଡି ହିଂସ୍ର ହେଉଥିବା ଅଭିଯୋଗ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି ଓ ବିଜେପି ମଧ୍ୟରେ ବିବାଦ ସେତିକି ଉଗ୍ର ହେଉଛି। ଆଜି ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୋଧରେ ଫେରାଦ ହୋଇଛି। ସ୍ଥାନୀୟ ପୁଲିସ୍‌ ଓ ପ୍ରଶାସନ ବିଜେଡିକୁ ପ୍ରତ୍ୟକ୍ଷ ସହଯୋଗ କରୁଛି ବୋଲି ଦଳ ଅଭିଯୋଗ କରିଛି।

ବିଜେପିର ଅଭିଯୋଗ ଅନୁଯାୟୀ ବିଜେପୁରରେ ବିଜେଡି ଶାସନ କଳର ଅପବ୍ୟବହାର କରୁଛି। ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ପ୍ରଶାସନ ନିକଟରେ ଏ ନେଇ ଅଭିଯୋଗ ହେଉଥିଲେ ବି ସେଗୁଡ଼ିକୁ ବନ୍ଦ କରିବା ପାଇଁ ଆଦୌ ପଦକ୍ଷେପ ନିଆଯାଉ ନାହିଁ। ବିଜେପୁର ନିର୍ବାଚନମଣ୍ଡଳୀର ପ୍ରାୟ ସବୁ ପଞ୍ଚାୟତରେ ବିଜେଡିର ଏଲ୍‌ଇଡି ପ୍ରଚାର ଭ୍ୟାନ୍‌ ବୁଲୁଛି। ପ୍ରଚାରରେ ବୁଲୁଥିବା ଏହି ମାତ୍ରାଧିକ ଏଲ୍‌ଇଡି ଭ୍ୟାନ୍‌ଗୁଡ଼ିକ ଆଦର୍ଶ ଆଚରଣ ବିଧି ଅନୁସାରେ ଯେଉଁ ପଞ୍ଜିକରଣ ଓ କାଗଜପତ୍ର କରାଯିବା କଥା, ତାହା କରାଯାଇ ନାହିଁ। ଗତ ୧୬ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍‌ ସୋ’ରେ ସାମିଲ୍‌ ହେବାକୁ ଆସିଥିବା ମୋଟର୍‌ ସାଇକେଲ୍‌ଗୁଡ଼ିକୁ ସ୍ଥାନୀୟ ପ୍ରଶାସନ ଅଟକାଇଥିଲା। ମୋଟର୍‌ ସାଇକେଲ୍‌ଗୁଡ଼ିକର ନମ୍ବର ଓ ଏହାର ମାଲିକଙ୍କ ବିବରଣୀ ନ ଦେଲେ ସେଗୁଡ଼ିକୁ ରୋଡ୍‌ ସୋ’ରେ ସାମିଲ୍‌ ହେବାକୁ ବାରଣ କରାଗଲା। କିନ୍ତୁ ବିଜେଡି ସମର୍ଥକମାନେ ବହୁ ସଂଖ୍ୟାରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ମୋଟର୍‌ ସାଇକେଲ୍‌ ବ୍ୟବହାର କରୁଥିଲେ ବି ସେମାନଙ୍କୁ ଅଟକାଯାଉ ନାହିଁ। ଏପରିକି ସେମାନଙ୍କୁ ଏହାର ତାଲିକା ଦେବାକୁ ବି ପ୍ରଶାସନ ବାଧ୍ୟ କରୁ ନାହିଁ। ଏହି ପ୍ରସଙ୍ଗକୁ ବିଚାରକୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।

ଦଳ ଆହୁରି ମଧ୍ୟ ଅଭିଯୋଗ କରିଛି, ନିର୍ବାଚନ ପ୍ରଚାର ସମୟରେ ବିଜେଡି ହିଂସା ଆଚରଣ କରିବା ସହ ବାରମ୍ବାର ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ଆକ୍ରମଣ କରିଚାଲିଛି। ଶାସକ ଦଳର ଏପରି କାର୍ଯ୍ୟର ତଦାରଖ କେବଳ କଡ଼ା ସୁରକ୍ଷା ଓ ସିସିଟିଭି ଦ୍ୱାରା ସମ୍ଭବ ହୋଇପାରିବ। କେବଳ ସେତିକି ନୁହେଁ, ଶେଷ ମୂହୁର୍ତ୍ତରେ ଭୋଟର୍‌ମାନଙ୍କୁ ଡରାଇବା, ଧମକାଇବା, ଆକ୍ରମଣ କରିବା ସହ ଲାଞ୍ଚ ଦେବା ଆଦି କାର୍ଯ୍ୟ ବିଜେଡି କରିବାର ଆଶଙ୍କା ରହିଛି। ତେଣୁ ସିସିଟିଭି ଦ୍ୱାରା ରେକର୍ଡିଂ କ୍ଲିପ୍‌କୁ ପରେ ସମୀକ୍ଷା କରିବାକୁ ଦଳ ଦାବି କରିଛି। ଏହି ପରିପ୍ରେକ୍ଷୀରେ ବିଜେପୁର ନିର୍ବାଚନମଣ୍ଡଳୀରେ ଥିବା ସମ୍ବେଦନଶୀଳ ବୁଥ୍‌ଗୁଡ଼ିକର ଏକ ତାଲିକା ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe