‘ଭୋଟର୍‌ଙ୍କୁ ପ୍ରଲୋଭନ ଦେଖାଉଛନ୍ତି ଅରୁଣ’

Advertisment

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲା ବିଜେପି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲା ବିଜେପି

‘ଭୋଟର୍‌ଙ୍କୁ ପ୍ରଲୋଭନ ଦେଖାଉଛନ୍ତି ଅରୁଣ’

ବିଜେପୁରରୁ ଅରୁଣଙ୍କୁ ତଡ଼ିପାର କରିବାକୁ ଦାବି

ଭୁବନେଶ୍ୱର : ବିଜେଡି ସାଧାରଣ ସମ୍ପାଦକ ତଥା ବିଧାୟକ ଅରୁଣ ସାହୁ ବିଜେପୁରରେ ଭୋଟର୍‌ଙ୍କୁ ପ୍ରଲୋଭନ ଦେଖାଇ ଭୋଟ୍‌ ମାଗୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି। ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ଖୋଲା ସଭାରେ ବିଜେଡିକୁ ଅଧିକ ଭୋଟ୍‌ ଦେଲେ ଅଧିକ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ସର୍ବସାଧାରଣରେ ଘୋଷଣା କରିଛନ୍ତି। ଏପରିକି ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଲେ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ଲାଭ ଯୋଗାଇ ଦିଆଯିବା ନେଇ ମଧ୍ୟ ସେ କହିଛନ୍ତି। ଏହାଦ୍ୱାରା ଶ୍ରୀ ସାହୁ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଆଜି ଲିଖିତ ଅଭିଯୋଗ କରିଛି। ଏଥିପାଇଁ ଶ୍ରୀ ସାହୁଙ୍କୁ ବିଜେପୁରରୁ ତଡ଼ିପାର କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି।

ବିଜେପିର ଅଭିଯୋଗ ଅନୁଯାୟୀ ଫେବ୍ରୁଆରି ୭ ତାରିଖରେ ବିଜେପୁର ବ୍ଲକ୍‌ର ଚାରପାଲୀ ପଞ୍ଚାୟତରେ ବିଜେଡି ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଉପସ୍ଥିତିରେ ଶାସକ ବିଜେଡିର ଅନେକ ନେତା ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ। ଏହି ସଭାରେ ଅରୁଣ ସାହୁ କହିଥିଲେ, ‘ସରକାରଙ୍କ ତରଫରୁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମୁଁ ଘୋଷଣା କରୁଛି, ଯେଉଁ ଗାଁ ଯେତିକି ଅଧିକ ଭୋଟ୍‌ ବିଜେଡିକୁ ଦେବ, ସେହି ଗାଁକୁ ଅଧିକ ପୁରସ୍କାର ଦିଆଯିବ। ରୀତା ଅପାଙ୍କ ତରଫରୁ, ସରକାରଙ୍କ ତରଫରୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଅଧିକ ଭୋଟ୍‌ ଦେଉଥିବା ଗାଁକୁ ଅଧିକ ଆର୍ଥିକ ପୁରସ୍କାର ଦିଆଯିବ।’ ଶ୍ରୀ ସାହୁଙ୍କ ସମସ୍ତ ବକ୍ତବ୍ୟ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ। ବିଜେପୁରରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଶ୍ରୀ ସାହୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ବିଜେପି କହିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଓ ଦିଲ୍ଲୀପ ମହାନ୍ତି, ସମ୍ପାଦକ କାଳନ୍ଦୀ ସାମଲ, ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe