ଭୁବନେଶ୍ବର: ଆଜି ମମିତା ପ୍ରସଙ୍ଗ ନେଇ ବିଜେପି ଯୁମମୋର୍ଚ୍ଚା ପକ୍ଷରୁ କରାଯାଇଥିବା ପ୍ରତିବାଦ ଶୋଭାଯାତ୍ରା ଓ ବିଧାନସଭା ଘେରାଉ ସମୟରେ ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ଓ ବିଜେପି କର୍ମୀମାନଙ୍କ ମଧରେ ହୋଇଥିବା ଧସ୍ତାଧସ୍ତି ଘଟଣାରେ ଉଭୟ ପୁଲିସ କର୍ମୀ ଓ ଦଳୀୟ କର୍ମୀ ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ ଓ ବିଜେପି କର୍ମୀଙ୍କୁ ମାଡ଼ରେ ବିଜେଡିର ସଂପୃକ୍ତି ଥିବା ଅଭିଯୋଗ କରିଛି ବିଜେପି। ଏହାପରେ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ।
ଯୁବ ବିଜେପିର ବିଧାନସଭା ଘେରାଉ ଓ ପୁଲିସ ସହିତ ହାତାହାତି ପ୍ରସଙ୍ଗରେ ବିଜେଡ଼ି ବରିଷ୍ଠ ନେତା ପ୍ରତାପ ଦେଵଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ମମିତା ନାଁରେ ରାଜନୀତି କରୁଛି ବିଜେପି। ନାରୀ ସମାଜ ପାଇଁ ଏହା ନିନ୍ଦନୀୟ। ଏହା ପଛରେ ନିହିତ ରାଜନୀତି ଅଛି। ବିଜେପି ଯୁବ ସଭାପତିଙ୍କ ନାଁରେ ରହିଛି ଅନେକ ମାମଲା। ମମିତାଙ୍କୁ ନ୍ୟାୟ ଦାବିରେ ଏସବୁ ପ୍ରହସନ । ଏହା ଭାରତୀୟ ଜନତା ପାଟି ନୁହେଁ ‘ଯାତ୍ରା ପାର୍ଟି’ରେ ପରିଣତ ହୋଇଛି ।ଆମେ ଦୃଢ ଭାବେ ଏହାକୁ ନିନ୍ଦା କରୁଛୁ। ମମିତା ବାପା-ମା’ ମନା କଲାପରେ ବି ଏମାନେ ମମିତାକୁ ନେଇ ରାଜନୀତି କରୁଛନ୍ତି। ଯେଉଁ କଟଆଉଟ ଗଳି କନ୍ଦିରେ ଲଗାଇଛନ୍ତି ମମିତାଙ୍କ ପ୍ରତି ଅସମ୍ମାନ। ବିଧାନସଭାରେ ହେଉ କି ବାହାରେ ବିଜେପିର ମାନସିକତା ସ୍ପଷ୍ଟ ହୋଇପଡୁଛି-ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ଏ ନ୍ୟାୟ ପାଇଁ ନୁହେଁ ଏହା ଏକ ରାଜନୈତିକ ଷଡଯନ୍ତ୍ର।
ବିଜେପି ଡ୍ରାମା କରେ ନାହିଁ। ଆମେ ମମିତାକୁ ନ୍ୟାୟ ପାଇଁ ଲଢେଇ କରୁଛୁ। କିଏ ଡ୍ରାମା କରୁଛି ତାହା ଓଡ଼ିଶାବାସୀ ଜାଣିଲେଣି।ପ୍ରତାପ ଦେବ ଡ୍ରାମା କରୁଛନ୍ତି। ପ୍ରସଙ୍ଗକୁ ବିଭ୍ରାନ୍ତ କରୁଛନ୍ତି।ଆନ୍ଦୋଳନରୁ ଆମେ ଓହରିବୁ ନାହିଁ।ପ୍ରତାପ ଦେବ,ଦିବ୍ୟଶଙ୍କର ମିଶ୍ର, ଗୋବିନ୍ଦ ସାହୁ ସମସ୍ତଙ୍କର ସମ୍ପର୍କ ନିବିଡ। ଗୋବିନ୍ଦ ସାହୁଙ୍କୁ ବିଧାୟକ ଟିକେଟ ପାଇଁ ଜୋରଦାର ପ୍ରୟାସ ପ୍ରତାପ କରିଥିଲେ।ଏମିତିକି ନବୀନ ନିବାସ ଯା’ଆସ ଚାଲିଥଲା। ବିଧାନସଭା ଭିତରେ ଓ ବାହାରେ ପ୍ରତାପ ଦେବ ଡ୍ରାମା କରନ୍ତି। ମମିତା ମେହେର ପ୍ରସଙ୍ଗରେ ଆଗକୁ ମଧ୍ୟ ଆନ୍ଦୋଳନ ତୀବ୍ରତର ହେବ।
Follow Us