ବିଜେଡି ଅନ୍ତଃକନ୍ଦଳ ପଦାକୁ ଆସିଲା : ଉତ୍ତର ଭୁବନେଶ୍ୱର ବିଧାୟକଙ୍କୁ ବିରୋଧ

Advertisment
ବିଜେଡି ଅନ୍ତଃକନ୍ଦଳ ପଦାକୁ ଆସିଲା : ଉତ୍ତର ଭୁବନେଶ୍ୱର ବିଧାୟକଙ୍କୁ ବିରୋଧ

ଚନ୍ଦ୍ରଶେଖରପୁର : ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେଡି ଅନ୍ତଃକନ୍ଦଳ ଉଗ୍ର ରୂପ ଧାରଣ କଲାଣି। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ମୁଣ୍ଡ ଟେକିଲେଣି। ଏମିତି ଯେ ବିଧାୟକଙ୍କୁ ଅପଦସ୍ଥ କରିବା ମଉକାକୁ ହାତ ଛଡା କରିନାହାନ୍ତି। ନିକଟରେ ପାଞ୍ଚ ପଞ୍ଚାୟତର ୭ଟି ଓ୍ଵାର୍ଡରେ ହୋଇଥିବା ଉପନିର୍ବାଚନରେ ଦଳ ମଧ୍ୟରେ ରହିଥିବା ଏହି ଫାଟ ପଦାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ଏହି ୭ଟି ଓ୍ଵାର୍ଡ଼ରୁ ୬ଟି ଓ୍ଵାର୍ଡ଼ରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି ବୋଲି ବିଧାୟକ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜରିଆରେ ଦାବି ରଖିିଥିଲେ। ଦଳୀୟ ପର୍ଯ୍ୟବେକ୍ଷକ ବିଧାୟକ ଦେବାଶିଷ ନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମାତ୍ର ଗୋଟିଏ ସପ୍ତାହ ବିତିନି, ଏହି ନେତାମାନେ ବିଜେଡି ବିଧାୟକଙ୍କ ଦାବିକୁ ଠୋ ଠା ପ୍ରତ୍ୟାଖ୍ୟାନ କରିଛନ୍ତି। କଳାରାହଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ଵାର୍ଡ଼ ନଂ ୧ ଏବଂ ୧୦ରେ ନିର୍ବାଚିତ ହୋଇଥିବା ନଳିନୀ ଦାସ ଓ ଏବଂ ବାଳକୃଷ୍ଣ ସ୍ୱାଇଁ ଏବଂ କଲ୍ୟାଣପୁର ପଞ୍ଚାୟତର ଓ୍ଵାର୍ଡ଼ ନଂ-୩ର ପ୍ରଫୁଲ୍ଲ ମହାନ୍ତି ବିଧାୟକଙ୍କ ଦାବିକୁ ଅସ୍ୱୀକାର କରିଛନ୍ତି।

ଯଦିଓ ଏହି ନିର୍ବାଚିତ ସଭ୍ୟମାନେ ନିଜକୁ ବିଜେଡ଼ି ସମର୍ଥିତ ବୋଲି କହିଛନ୍ତି, କିନ୍ତୁ ବିଧାୟକଙ୍କ ନେତୃତ୍ୱକୁ ମାନିବା ଲାଗି ଆଗ୍ରହ ଦେଖାଇନାହାନ୍ତି। କହିଛନ୍ତି, ସେମାନେ ବିଧାୟକଙ୍କ ପ୍ରାର୍ଥୀ ନୁହନ୍ତି। ଏପରିକି ଟଙ୍କାର ଲୋଭ ଦେଖାଇ ଏବଂ କୌଣସି ସୂଚନା ନଦେଇ ବିଧାୟକ ଏଭଳି ଏକ ସାମ୍ବାଦିକ ସମ୍ମିଳନୀ କରିଥିବା କହିଛନ୍ତି। କେବଳ ସେତିକି ନୁହେଁ, ବିଧାୟକଙ୍କ ସମର୍ଥନ ଥିଲେ ସେମାନେ ପରାଜିତ ହୋଇଥାଆନ୍ତେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଏହି ତିନି ଓ୍ଵାର୍ଡ଼ ସଭ୍ୟ। ଅନ୍ୟପକ୍ଷରେ ଦଳର ମୂଳ କର୍ମୀଙ୍କୁ ବିଧାୟକ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ କଳାରାହଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସ୍ଥାନୀୟ ବିଜେଡି ନେତା ଚଗଲି ମହାଭୋଇ। କିଛି ବ୍ୟକ୍ତିଙ୍କ ପ୍ରରୋଚନାରେ ବିଧାୟକ କର୍ମୀଙ୍କୁ ଅଣଦେଖା କରୁଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୯ ମସିହାରେ ନୂତନ ଭାବେ ଗଠିତ ହୋଇଥିବା ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରେ ଭୁବନେଶ୍ୱର ବ୍ଲକ୍‌ ଅନ୍ତର୍ଗତ ରଘୁନାଥପୁର, ଦାଢ଼ା, କଲ୍ୟାଣପୁର, ବରିମୁଣ୍ଡ ଏବଂ କଳାରାହଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ। ୨୦୦୯ରେ ଏହି ନିର୍ବାଚନ ମଣ୍ଡଳୀରୁ ଭାଗୀରଥି ବଡ଼ଜେନା ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୪ ମସିହାରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ନୂତନ ଚେହେରା ଭାବରେ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଶ୍ରୀ ମିଶ୍ର ମଧ୍ୟ ବହୁ ଭୋଟ ବ୍ୟବଧାନରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିିଲେ।

ମାତ୍ର ପରବର୍ତ୍ତୀ ସମୟରେ ବିଜେଡି କନ୍ଦଳ ବହୁବାର ପଦାକୁ ଆସିଛି। କେତେବେଳେ ବିଧାୟକ ଉଦ୍‌ଘାଟନ କରିବାକୁ ଥିବା ଫଳକ ଭଙ୍ଗା ଯାଇଛି ତ ଆଉ କେବେ କିଛି ନେତାଙ୍କ ସମାନ୍ତରାଳ ସଂଗଠନ ନେତୃତ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏହି ନିର୍ବାଚନମଣ୍ଡଳୀରେ ବିଜେପିର ସାଂଗଠନିକ ସ୍ଥିତି ଦୁର୍ବଳ ଥିବା ବେଳେ କଂଗ୍ରେସର ପ୍ରଭାବ ମଧ୍ୟ ସେମିତି ନାହିଁ। ଏଭଳି ପରିସ୍ଥିତିରେ ଅନ୍ତଃକନ୍ଦଳ ଯଦିଓ ବିଜେଡି ଭୋଟ ବ୍ୟାଙ୍କ୍‌ରେ ବଡ଼ ପ୍ରଭାବ ରଖିନି, ନିର୍ବାଚନମଣ୍ଡଳୀ ଓ ନେତା କିନ୍ତୁ ଚର୍ଚ୍ଚାକୁ ଆସୁଛନ୍ତି।

ଏ ସମ୍ପର୍କରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ନେତାମାନେ ସମର୍ଥନ ନେଇ ଲିଖିତ ଭାବେ ଜଣାଇଛନ୍ତି। ନିର୍ବାଚନ ମଣ୍ଡଳୀରେ ସ୍ୱଚ୍ଛତାର ସହିତ ସମସ୍ତ କାର୍ଯ୍ୟ କରାଯାଉଛି। କୌଣସି ଗୋଷ୍ଠୀବିବାଦ ନାହିଁ। ସମସ୍ତ ଅଭିଯୋଗ ଅମୂଳକ ବୋଲି ବିଧାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe