ରଘୁ ଫେରିଲେ, ମିଳିଲା ଉପସଭାପତି ପଦ

Advertisment
ରଘୁ ଫେରିଲେ, ମିଳିଲା ଉପସଭାପତି ପଦ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ପୁଣି ବିଜେଡିର ମୁଖ୍ୟ ଧାରାକୁ ଫେରିଛନ୍ତି। ତାଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ। ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଶ୍ରୀ ମହାନ୍ତିଙ୍କୁ ଏହି ଦୁଇଟି ଦାୟିତ୍ୱ ଦେଇ ତାଙ୍କ ରାଜନୈତିକ ପୁନଃଉତ୍‌ଥାନର ସଙ୍କେତ ଦେଇଛନ୍ତି।

୨୦୧୩ ମାର୍ଚ୍ଚ ମାସରେ ବୋହୂ ବର୍ଷାସୋନିଙ୍କୁ ନିର୍ଯାତନା ମାମଲାରେ ରଘୁନାଥ ମହାନ୍ତିଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା। ତାହା ପରେ ସେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ମାମଲାରେ ଛନ୍ଦି ହୋଇଥିବାରୁ ୨୦୧୪ରେ ବିଜେଡି ଟିକେଟ୍‌ରୁ ବି ସେ ବଞ୍ଚିତ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ପୁଅ-ବୋହୂଙ୍କ ମିଳାମିଶା ହୋଇଥିଲା। ଏହା ପରେ ପୁଣି ଥରେ ରାଜନୀତିରେ ସକ୍ରିୟ ହେବାକୁ ଉଦ୍ୟମ କରିଥିଲେ ଶ୍ରୀ ମହାନ୍ତି।

ଗତ ବର୍ଷ ଜୁନ୍‌ ମାସରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଭେଟିଥିଲେ। ବିଜେଡିରେ ସକ୍ରିୟ ହୋଇ କାମ କରିବେ ବୋଲି ନିଜେ ରଘୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେହିଠାରୁ ହିଁ ରଘୁଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲେ। ତାଙ୍କୁ ଦଳର ସୁପ୍ରିମୋ କିପରି ଥଇଥାନ କରିବେ, ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଥିଲା।

ରଘୁଙ୍କୁ ଥଇଥାନ କରାଯିବା ପୂର୍ବରୁ ବାଲେଶ୍ୱର ଜିଲ୍ଲାର ଏକମାତ୍ର ମନ୍ତ୍ରୀ ଅନନ୍ତ ଦାସଙ୍କ ପତିଆରା ଆହୁରି ବୃଦ୍ଧି କରାଗଲା। ଉଚ୍ଚଶିକ୍ଷା ବିଭାଗ ସହିତ ଓଜନିଆ ଶିଳ୍ପ ବିଭାଗ ଦିଆଗଲା। ଅନନ୍ତଙ୍କ ପତିଆରା ବୃଦ୍ଧି ପରେ ରଘୁଙ୍କ କ୍ଷେତ୍ରରେ ମୁଖିଆ କି ନିଷ୍ପତ୍ତି ନେବେ, ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା।

ଆଜି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ସହ ରଘୁନାଥ ମହାନ୍ତି ନବୀନ ନିବାସରେ ଯାଇ ଦଳର ସଭାପତିଙ୍କୁ ଭେଟିଥିଲେ। କିଛି ସମୟ ସେଠାରେ ଆଲୋଚନା ହୋଇଥିଲା। ତାହା ପରେ ଗଣମାଧ୍ୟକୁ ରଘୁଙ୍କ ନୂଆ ନିଯୁକ୍ତି ନେଇ ସୂଚନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe