ଅପପ୍ରଚାରକାରୀଙ୍କୁ ଜବାବ ଦିଅ: ନବୀନ

Advertisment

୧୦ଦିନିଆ ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ

୧୦ଦିନିଆ ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ

ଅପପ୍ରଚାରକାରୀଙ୍କୁ ଜବାବ ଦିଅ: ନବୀନ

ଭୁବନେଶ୍ୱର : ବର୍ତ୍ତମାନ କିଛି ଦଳ ଓଡ଼ିଶା ସରକାରଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି। ସେମାନେ ଶୂନ୍ୟରେ ମହଲ ତୋଳୁଛନ୍ତି। ଓଡ଼ିଶାବାସୀ ସବୁବେଳେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଆସିଛନ୍ତି। ସେମାନଙ୍କ ସହ କେବେ ନଥିଲେ, ରହି ନାହାନ୍ତି କି ଆଗକୁ ମଧ୍ୟ ରହିବେ ନାହିଁ।

ନାଁ ନ ନେଇ ଆଜି ଏମିତି କଠୋର ଭାଷାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଓ ବିଜେପିକୁ ସମାଲୋଚନା କରିବା ସହିତ ଦଳୀୟ କର୍ମୀଙ୍କୁ ଏସବୁର କଡ଼ା ମୁକାବିଲା ଲାଗି ଆହ୍ଵାନ ଦେଇଛନ୍ତି। ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହିଷାଖାଲ ବେହେରା ସାହିଠାରେ ରାଜ୍ୟସ୍ତରୀୟ ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳା ଓ ଉଦାସୀନତା ବିଷୟରେ ଲୋକଙ୍କୁ ବୁଝାଇବା ଲାଗି ମଧ୍ୟ ପରାମର୍ଶ ଦେଇଥିଲେ। ଏଥିସହିତ ପ୍ରତିବର୍ଷ ଭଳି ଆଜି ଅର୍ଥାତ୍‌ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଠାରୁ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ଯାଏଁ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି।

ଆଜି ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ପ୍ରତି ଘରକୁ, ପ୍ରତି ପରିବାରକୁ ବିକାଶ ସହ ଯୋଡ଼ିବା ହେଉଛି ଏହି ପଦଯାତ୍ରାର ଉଦ୍ଦେଶ୍ୟ। ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଥୀରେ ରହିଛି। ମା’ମାଟି ଓ ମଣିଷ ପାଇଁ କାମ କରି ଚାଲିଛି ଏବଂ କରି ଚାଲିବ। ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ଆମର ଲକ୍ଷ୍ୟ।

ଗତ ୧୭ବର୍ଷ ଭିତରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କୁ ସୁଶାସନ ଦେଇ ଆସିଛି ବୋଲି ଦାବି ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ସାରା ଦେଶରେ ଓଡ଼ିଶାର ସୁନାମ ବୃଦ୍ଧି କରିଛି। ଦାରିଦ୍ର୍ୟ ହାର ୨୫ ପ୍ରତିଶତ କମିଛି, ଏ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଆଗରେ। ଶିଶୁ ଓ ମାତୃ ମୃତ୍ୟୁ ହାର ସହ ଅନ୍ୟାନ୍ୟ ସାମାଜିକ ସୂଚକାଙ୍କରେ ଓଡ଼ିଶା ଜାତୀୟ ହାର ଠାରୁ ଭଲ ସ୍ଥିତିରେ ଅଛି। ଚାଷୀର ରୋଜଗାର ବଢ଼ିଛି। ମିସନ୍‌ ଶକ୍ତି କାର୍ଯ୍ୟକ୍ରମ ମା’ମାନଙ୍କ ଆର୍ଥକ ଦୃଷ୍ଟିକୁ ସଶକ୍ତ କରିବା ସହ ବିକାଶ ସହିତ ଯୋଡ଼ିବାରେ ସଫଳ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଶାସନ ଓ ଭିତ୍ତିଭୂମି ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ନିଜର ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛି। ନୀତି ଆୟୋଗ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହୋଇଛି। ବିଜୁ ଜନତା ଦଳ କାମରେ ବିଶ୍ୱାସ କରେ ଏବଂ ସବୁବେଳେ ତା’ର ପ୍ରତିଶ୍ରୁତି ରକ୍ଷା କରି ଆସିଛି।

ଏକାମ୍ର ବିଧାୟକ ତଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଦଳର ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ। କହିଥିଲେ, ବିଜେପି ନେତୃତ୍ୱାଧୀନ ସରକାର ଦିଶାହୀନ ହୋଇପଡିଛି। ରାଜ୍ୟ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରାଯାଉଛି।ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ବିଫଳ ହୋଇଛି। ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି କେନ୍ଦ୍ର। ଅହେତୁକ ତୈଳ ଦର ବୃଦ୍ଧି ସହିତ ରନ୍ଧନ ଗ୍ୟାସ୍‌ର ଦର ବୃଦ୍ଧି କରାଯାଉଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପ୍ରସଂଗରେ ରାଜ୍ୟର ଦାବିକୁ କେନ୍ଦ୍ର ଅଣଦେଖା କରିଛି। ସ୍ୱତନ୍ତ୍ର ଅନୁଦାନ ଦେବା ପରିବର୍ତ୍ତେ ଅର୍ଥ କାଟ୍‌ କରାଯାଇଛି। ୮ଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ଯୋଜନାକୁ ବନ୍ଦ କରାଯିବା ସହିତ ୩୩ଟି ଯୋଜନାରେ ଅନୁଦାନ ରାଶି ହ୍ରାସ କରିଛନ୍ତି ଏନ୍‌ଡିଏ ସରକାର। କେନ୍ଦ୍ର ଏନ୍‌ଡିଏ ସରକାରଙ୍କ ଜନ-ବିରୋଧୀ ଆଭିମୁଖ୍ୟ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲାଗି ବିଜେଡିର ଏହି ନେତାମାନେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ବିଜେଡି ସଭାପତି ବାବୁଲି ମିଶ୍ର, କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ମହିଳା ସଭାନେତ୍ରୀ ଭାରତୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe