‘ଦି ଟଲ୍‌ ମ୍ୟାନ୍‌’ ପାଇଁ ବିଜେଡି ବ୍ୟସ୍ତ

ଯୋଗ ଦେବେ ପ୍ରଣବ, ଆଡ଼ଭାନୀ, ଦେବେଗୌଡ଼ା

‘ଦି ଟଲ୍‌ ମ୍ୟାନ୍‌’ ପାଇଁ ବିଜେଡି ବ୍ୟସ୍ତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ ‘ଦି ଟଲ୍‌ ମ୍ୟାନ୍‌’ର ଉନ୍ମୋଚନ ହେବ ଆସନ୍ତା ୨୭ ତାରିଖ ଅପରାହ୍ନ ୫ଟାରେ। ଉତ୍କଳ ମଣ୍ଡପରେ ବେଶ୍‌ ପ୍ରଭାବୀ ଢଙ୍ଗରେ ଉନ୍ମୋଚନ ଉତ୍ସବ ଆୟୋଜନ କରିବାକୁ ଚାଲିଛି ପ୍ରସ୍ତୁତି। ଉନ୍ମୋଚନ ଉତ୍ସବକୁ ଜାତୀୟ ସ୍ତରର ରୂପ ଦେବା ପାଇଁ ଯୋଜନା ବି ହୋଇଛି। ଅତିଥି ନିମନ୍ତ୍ରଣ ଚୂଡ଼ାନ୍ତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା ଯୋଗ ଦେବେ। ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୁସ୍ତକର ଲେଖକ ସୁନ୍ଦର ଗଣେଶନ୍‌ ଉପସ୍ଥିତ ରହିବେ। ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାଓ୍ଵଲା ଉତ୍ସବଟିକୁ ସଂଯୋଜନା କରିବେ।

ବିଜେଡିର ଯୁବ ନେତାମାନେ ଅତିଥି ନିମନ୍ତ୍ରଣ ଠାରୁ ଆରମ୍ଭ କରି ମଞ୍ଚ ସଜ୍ଜା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେଇଛନ୍ତି। ପ୍ରଣବ ମୁଖାର୍ଜୀଙ୍କୁ ନିମନ୍ତ୍ରଣ କରିବା ପାଇଁ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଓ ଅରୁଣ ସାହୁଙ୍କୁ ନୂଆଦିଲ୍ଲୀ ପଠାଯାଇଥିଲା। ସେହିପରି ଲାଲକୃଷ୍ଣ ଆଡ଼ଭାନୀଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିବାର ଦାୟିତ୍ୱ ଦିଆଯାଇଥିଲା ଦେବାଶିଷ ସାମନ୍ତରାୟଙ୍କୁ। ଏଚ୍‌ ଡି ଦେବେଗୌଡ଼ାଙ୍କୁ ନିମନ୍ତ୍ରଣ କରିବାକୁ ଆଜି ବେଙ୍ଗାଲୁରୁ ଯାଇଥିଲେ ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚ୍ଚୀ ନାୟକ। ଶ୍ରୀ ଦେବେଗୌଡ଼ା ଆସିବାକୁ ସମ୍ମତି ଜଣାଇବା ସହ ବିଜୁ ବାବୁଙ୍କ ସହ ସେ କାଟିଥିବା କିଛି ଅଭୁଲା ମୂହୁର୍ତ୍ତ ବର୍ଣ୍ଣନା କରିଥିଲେ।

ପ୍ରଥମେ କିଟ୍‌ ସମ୍ମିଳନୀ କକ୍ଷରେ ଉତ୍ସବଟି ଆୟୋଜନ କରାଯିବାକୁ ସ୍ଥିର ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଉତ୍କଳ ମଣ୍ଡପକୁ ବଛାଗଲା। ଯଦିଓ ବିଜେଡି ଉତ୍ସବ ଆୟୋଜନରେ ମୁଖ୍ୟ ଭୂମିକା ନେଉଛି, ତେବେ ଏହାର ପ୍ରଚାର, ପ୍ରସାର ଓ ସଭା ସ୍ଥଳରେ ବିଜେଡିର ନାମ ଓ ଶଙ୍ଖ ଚିହ୍ନ ରହିବ ନାହିଁ। ଏହାକୁ ସମ୍ପୂର୍ଣ୍ଣ ଭାବେ ଅଣରାଜନୈତିକ କାର୍ଯ୍ୟକ୍ରମ ଭାବେ ଚିତ୍ରଣ କରିବାକୁ ଢ଼େର୍‌ ପ୍ରୟାସ ଚାଲିଛି। ଯେହେତୁ ଜାତୀୟ ସ୍ତରର ଭିନ୍ନ ଭିନ୍ନ ଦଳର ନେତା ଏଠାକୁ ଆସୁଛନ୍ତି, ତେଣୁ ବିଜୁ ବାବୁ ରାଜନୀତିରୁ ଊର୍ଦ୍ଧ୍ୱରେ ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe