ରାଜ୍ୟ ବିଜେପି ନେତା ଉପବାସରେ ବସିଲେ

Advertisment
ରାଜ୍ୟ ବିଜେପି ନେତା ଉପବାସରେ ବସିଲେ

ଭୁବନେଶ୍ୱର : ସଂସଦରେ କଂଗ୍ରେସ ପକ୍ଷରୁ ହୋଇଥିବା ଅଚଳାବସ୍ଥା ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଆଜି ଉପବାସ ପାଳନ କରାଯାଇଛି। ରାଜ୍ୟ କାର୍ଯ୍ୟାଳୟ ସାମ୍ନାରେ ଥିବା ଦୀନଦୟାଲ ପାର୍କ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ଓମ୍‌ ପ୍ରକାଶ ମାଥୁର୍‌ଙ୍କ ନେତୃତ୍ୱରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ସାମିଲ୍‌ ହୋଇଥିଲେ। ରାଜ୍ୟର ବିଜେପିର ବହୁ ନେତା ଓ କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଉପବାସ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା।

ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ମାଥୁର୍‌ କହିଥିଲେ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଭୟଭୀତ ହୋଇ ଭ୍ରଷ୍ଟାଚାରୀ କଂଗ୍ରେସ ଓ ବିଜେଡି ସମେତ ଅନ୍ୟ ବିରୋଧୀମାନେ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। କେନ୍ଦ୍ର ସରକାର ବହୁ ଜନହିତକର କାର୍ଯ୍ୟ ହାତକୁ ନେଇଥିଲା ବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ହତାଶ ହୋଇ ନିମ୍ନ ସ୍ତରକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। ବିରୋଧୀଙ୍କ ଏପରି କାର୍ଯ୍ୟକୁ ଭ୍ରୁକ୍ଷେପ ନ କରି ଆଗାମୀ ଏକ ମାସ କାଳ ବିଜେପିର କାର୍ଯ୍ୟକର୍ତ୍ତାମାନେ ଗାଁ ଗାଁ ବୁଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ। ରାଜ୍ୟ ପ୍ରଭାରୀ ଶ୍ରୀ ସିଂହ କହିଥିଲେ, କଂଗ୍ରେସ ନିଜ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଧର୍ମ ଓ ଜାତି ନାଁରେ ବିଦ୍ୱେଷ ସୃଷ୍ଟି କରୁଛି। ଦେଶର ଅଖଣ୍ଡତା ଓ ଏକତା ସହ କାହାକୁ ଖେଳିବାକୁ ଦିଆଯିବ ନାହିଁ।

ସନ୍ଧ୍ୟାରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ା, ରାଜ୍ୟ ଉପସଭାପତି ସୁକେଶି ଓରାମ ଓ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପବାସରେ ବସିଥିବା ନେତାମାନଙ୍କୁ ପଣା ପିଆଇ ଉପବାସ ଭଙ୍ଗ କରାଇଥିଲେ। ସୁନ୍ଦରଗଡ଼ରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ସମ୍ବଲପୁରରେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ରାମ ବିଚାର ନେତାମ ଉପସ୍ଥିତ ରହି ଉପବାସ ପାଳନ କରିଥିଲେ। ଏଥିରେ ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଓ ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe