ଦୁର୍ନୀତି, ଚାଷ, କେନ୍ଦ୍ରୀୟ ଯୋଜନାରେ ଘୋଟାଲାକୁ ପ୍ରସଙ୍ଗ କରିବ ବିଜେପି

Advertisment
ଦୁର୍ନୀତି, ଚାଷ, କେନ୍ଦ୍ରୀୟ ଯୋଜନାରେ ଘୋଟାଲାକୁ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ୱର : ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ହେଉଥିବା ଘୋଟାଲା, ନିର୍ବାଚିତ ପ୍ରତିନିଧିଙ୍କ ସମ୍ବିଧାନିକ ଅଧିକାର କ୍ଷୂଣ୍ଣ କରିବା, ଦୁର୍ନୀତି, ଚାଷ ଆଦି ପ୍ରସଙ୍ଗ ବିଜେପି ଗୃହରେ ଉଠାଇବ। ଦଳୀୟ କାର୍ଯ୍ୟାଳୟରେ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ବିଧାୟକ ଦଳ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ଉପସ୍ଥିତ ରହି ବିଧାୟକଙ୍କ ସହ ଆଲୋଚନା କରିଥିଲେ।

ବୈଠକ ସମ୍ପର୍କରେ ସୂଚନା ଦେଇ ବିଧାୟକ ପ୍ରଦୀପ ପୁରୋହିତ କହିଲେ, ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆଙ୍କୁ କେନ୍ଦ୍ର ‘ଆୟୁଷ୍ମାନ’ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର କରାଇ ଦେଉ ନାହାନ୍ତି। ଏହା ଓଡ଼ିଆଙ୍କ ପ୍ରତି ବିଶ୍ୱାସଘାତକତା। ସେହିପରି ଶୌଚାଳୟ ନିର୍ମାଣ ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରୁଥିବା ସତ୍ତ୍ୱେ ଶୌଚାଳୟ ନିର୍ମାଣରେ ଶିଥିଳତା ଦେଖାଦେଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଆଧାରରେ ୩ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ରାସନ୍‌ କାର୍ଡ ଯୋଗାଇବା ପାଇଁ ସରକାରଙ୍କ ପାଖରେ ବ୍ୟବସ୍ଥା ଥିଲେ ବି ବହୁ ଆଦିବାସୀ ପରିବାରଙ୍କୁ ଏଥିରୁ ବଞ୍ଚିତ କରାଯାଉଛି। ଏସବୁ ପ୍ରସଙ୍ଗକୁ ବିଜେପି ଗୃହରେ ଉଠାଇ ରାଜ୍ୟ ସରକାରଙ୍କୁ ଜବାବ ମାଗିବ।

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ପଞ୍ଚାୟତ ଅଧିକାର କ୍ଷୂଣ୍ଣ କରାଯାଇ ପ୍ରକଳ୍ପ ମଞ୍ଜୁର କରାଯାଉଛି। କେନ୍ଦ୍ରୀୟ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ତୃତୀୟ ମହଲାର ଛତ୍ରଛାୟା ତଳେ ଯାଜପୁର ଜିଲ୍ଲାର ବିଧାୟକମାନେ ଡଙ୍କାରୀ ପରି ପାହାଡ଼କୁ ଜିଲ୍ଲା ପ୍ରଶାସନର ସହଯୋଗରେ ଲୁଟୁଛନ୍ତି। ଏହି ଦୁଇଟି ପ୍ରସଙ୍ଗ ବିଧାନସଭାରେ ଉଠିବ। ଏହା ସହ ରାଜ୍ୟରେ ବଢ଼ିଚାଲିଥିବା ଦୁର୍ନୀତି, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା, ଚାଷୀ ସମସ୍ୟା ଫୋକସ୍‌ରେ ରହିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ବୈଠକରେ ଦଳର ୧୦ ବିଧାୟକଙ୍କ ମଧ୍ୟରୁ ୫ ଜଣ ଉପସ୍ଥିତ ଥିଲେ। ବିଧାୟକ ପ୍ରଦୀପ ପୁରୋହିତ, ରବି ନାରାୟଣ ନାଏକ, ନୀତିଶ ଗଙ୍ଗଦେବ ଓ ରାଧାରାଣୀ ପଣ୍ଡାଙ୍କ ସମେତ ଦଳର ବହୁ ରାଜ୍ୟ କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe